ବଢୁଛି ମଦୁଆଙ୍କ ଦୌରାତ୍ମ୍ୟ, ମଦ ପିଇବାକୁ ପାଣି ନଦେବାରୁ ହାଣିଦେଲେ

0

ବାଲିପାଟଣା(ଓଡ଼ିଆ ନ୍ୟୁଜ୍‌): ରାଜ୍ୟରେ ଦିନକୁ ଦିନ ବଢିଚାଲିଚି ମଦୁଆଙ୍କ ଦୌରାତ୍ମ୍ୟ । ମଦ ପାଇଁ ହିତାହିତ ଜ୍ଞାନ ହରାଇ ସମାଜରେ ନାନାଦି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ମଦ ପିଇବାକୁ ରାତି ଅଧରେ ପାଣି ମାଗିଲେ, ପାଣିନଦେବାରୁ ଶେଷରେ ହାଣିପକାଇଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ପାହାଳରେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଜଣ ହୋଟେଲ କର୍ମଚାରୀ ଲହୁଲୁହାଣ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ସୂଚନାଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୃତ୍ତ ମଦ ପିଇବା ପାଇଁ ଏକ ହୋଟେଲ୍ରେ କର୍ମଚାରୀଙ୍କୁ ପାଣି ମାଗିଥିଲେ। ହୋଟେଲ ବନ୍ଦ ହୋଇଯାଇଥିବା କହି ହୋଟେଲ କର୍ମଚାରୀ ପାଣି ଦେବାକୁ ମନା କରିଥିଲେ। ଏହାକୁ ନେଇ ହୋଟେଲ କର୍ମଚାରୀ ଏବଂ ୨ ଦୁର୍ବୃତ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ହୋଟେଲ୍ କର୍ମଚାରୀଙ୍କୁ ମାଡ଼ ମାରିଥିଲେ।

ଏହି ସମୟରେ ହଠାତ୍ ଜଣେ ଦୁର୍ବୃତ୍ତ ଏକ ଭୁଜାଲିରେ ହୋଟେଲ୍ ରୋଷେୟାଙ୍କୁ ହାଣି ପକାଇଥିଲେ। ଫଳରେ ହୋଟେଲ୍ ରୋଷେୟା ସାଗର ଗୁରୁତର ହୋଇଛନ୍ତି। ଅପର ପକ୍ଷରେ ଏଭଳି ଜଘନ୍ୟ କାଣ୍ଡ ଘଟାଇ ଦୁଇ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଖବର ପାଇ ପାହାଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଗର ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛି।

Leave A Reply

Your email address will not be published.