ଅମାନିଆ ଆନ୍ଧ୍ର, ଓଡ଼ିଶାରେ ଅନୁପ୍ରବେଶ କରି ସର୍ଭେ କଲା ଖଣି ମାଟି

0

କୋରାପୁଟ(ଓଡ଼ିଆ ନ୍ୟୁଜ୍): ରାଜ୍ୟ ସରକାରଙ୍କ ଅପାରଗତା ପାଇଁ ବାରମ୍ବାର ଓଡିଶା ସୀମାକୁ ପଶି ନିଜର ଆଧିପତ୍ୟ ବିସ୍ତାର କରିବା ପାଇଁ ପ୍ରୟାସ ଚଳାଇଛି ଆନ୍ଧ୍ର । ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ଖଣି ମାଟି ସର୍ଭେ ଚିହ୍ନଟ କରାଯାଉଥିବା ସୂଚନା ମିଳିଛି । କୋଟିଆ ପଞ୍ଚାୟତର ଗାଲିଗବଦର ନିକଟରେ ଆନ୍ଧ୍ରର ମୃତ୍ତିକା ସଂରକ୍ଷଣ କରୁଥିବା କିଛି ଅଧିକାରୀଙ୍କୁ ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ପୁଣି ଥରେ ଆନ୍ଧ୍ର କିଛି ବଡ଼ ଷଡ଼ଯନ୍ତ୍ର ରଚୁଥିବା ନେଇ ସନ୍ଦେହ କରାଯାଉଛି। ଆନ୍ଧ୍ରର ଏଭଳି ଔଧତ୍ୟ ଚରମ ସୀମାରେ ପହଁଚିଛି।

 

କହିରଖୁ କି, ଓଡ଼ିଆ ମାନଙ୍କ ନିଷ୍କ୍ରିୟତା ଦେଖି ଆନ୍ଧ୍ର ଓଡ଼ିଆ ମାଟିରେ ପଞ୍ଚାୟତ ନିର୍ବାଚନ କରିଛି। ବିଭିନ୍ନ ସମୟରେ ସୀମାନ୍ତ ଅଞ୍ଚଳରେ ପଶି ପଟ୍ଟା ବାଣ୍ଟିବା ଠୁ ଆରମ୍ଭକରି ବିଭିନ୍ନ ସେବା ଯୋଗାଇ ଲୋକଙ୍କୁ ପ୍ରଲୋଭିତ କରୁଛି। ଏତେ ସବୁ ହେବା ପରେ ବି ରାଜ୍ୟ ସରକାର ଯେତିକି ପ୍ରତିକ୍ରିୟାଶୀଳ ହେବା କଥା ହେଲେନି । ଶେଷରେ ନୂଆ ଜିଲ୍ଲା ଗଠନ କରି କୋଟିଆକୁ ମାନଚିତ୍ରରେ ଦର୍ଶାଇଲା ଆନ୍ଧ୍ର । ନେଡ଼ି ଗୁଡ଼ କହୁଣୀକୁ ବୋହିବା ପରେ ଏବେ ଚେତା ପଶିଛି ରାଜ୍ୟ ସରକାରଙ୍କର । ଲୋକଙ୍କ ପାଖକୁ ଯାଇ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଟିଆବାସୀଙ୍କ ସହ କଥା ହୋଇ ରାଜ୍ୟ ସରକାରଙ୍କ ଉନ୍ନୟନମୂଳକ ଯୋଜନାର ଅନୁଧ୍ୟାନ କରିଛନ୍ତି । ହେଲେ ଏହା କଣ ଯଥେଷ୍ଟ ? ଲୋକଙ୍କ ସମସ୍ୟା ସମାଧାନ ନହେଲେ ସେମାନେ ଆନ୍ଧ୍ରରେ ମିଶିବେ ବୋଲି ସ୍ପଷ୍ଟ ଭାବେ କହିସାରିଛନ୍ତି ।

Leave A Reply

Your email address will not be published.