ଓଡ଼ିଆ ନ୍ୟୁଜ (ବ୍ୟୁରୋ): ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଦିନିକିଆରେ ଭାରତର ଦମଦାର ବିଜୟ । ଘରୋଇ ଦଳକୁ ୫ ୱିକେଟ୍ରେ ହରାଇଲା ରୋହିତ ଆଣ୍ଡ କୋ । ଶୀର୍ଷକ୍ରମକୁ ଦ୍ରୁତ ବୋଲର ଖସାଇ ଦେବା ପରେ ସ୍ପିନ୍ ଯୋଡ଼ି କମାଲ୍ ଦେଖାଇଥିଲେ । କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜାଙ୍କ ସ୍ପିନର ଯାଦୁରେ ଫସିଥିଲେ ୱେଷ୍ଟଇଣ୍ଡିଜ ଦଳ । ୱେଷ୍ଟଇଣ୍ଡିଜ୍ ଦଳ ପକ୍ଷରୁ ସାଇ ହୋପ୍ ୪୩ ରନ କରିଥିବା ବେଳେ ଆଉ କୌଣସି ଖେଳାଳି ଭାରତୀୟ ବୋଲିଂର ସାମ୍ନା କରିପାରିନଥିଲେ । ମାତ୍ର ୨୩ ଓଭରରେ ୧୧୪ ରନରେ ପୂରା ଟିମ୍ ଅଲଆଉଟ ହୋଇଯାଇଥିଲା ।
ଭାରତ ଆଗରେ ୧୧୫ ରନର ବିଜୟ ଲକ୍ଷ୍ୟ ଥିଲା । ମାତ୍ର ୧୧୫ ରନ୍ ଲକ୍ଷ୍ୟରେ ଖେଳିଥିବା ଭାରତ ପାଇଁ ଶୀର୍ଷକ୍ରମରେ ରୋହିତ ଶର୍ମା ଏବଂ ବିରାଟ କୋହଲି ବ୍ୟାଟିଂ ପାଇଁ ଆସିନଥିଲେ । ଫଳରେ ଭାରତ ୧୦୦ ରନ୍ ଭିତରେ ୫ ୱିକେଟ୍ ହରାଇ ଦେଇଥିଲା । ଈଶାନ କିଶନଙ୍କ ଅର୍ଦ୍ଧଶତକ ଭାରତକୁ ସହଜ ବିଜୟ ଦେଇଥିଲା। ଏଥି ସହ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଏହି ୩ ମ୍ୟାଚ୍ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି ।