ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ, ସ୍ନାନ ପୂର୍ଣ୍ଣିମା ଓ ଘୋଷଯାତ୍ରା ପାଇଁ ହେବ ନୀତି ନିର୍ଘଣ୍ଟ
ପୁରୀ(ଓଡ଼ିଆ ନ୍ୟୁଜ୍): ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ଵପୂର୍ଣ୍ଣ ବୈଠକ। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ଆସନ୍ତା ୧୩ରେ ଦେବସ୍ନାନ ପୂର୍ଣ୍ଣିମା ଓ ଜୁଲାଇ ୧ ରେ ବିଶ୍ଵପ୍ରସିଦ୍ଧ ଘୋଷଯାତ୍ରା ହେବ। ତେବେ ଏନେଇ ବୈଠକରେ ଶ୍ରୀମନ୍ଦିରରେ ଦଇତା ପ୍ରବେଶ, ସ୍ନାନପୂର୍ଣ୍ଣିମା, ନବଯୌବନ ଦର୍ଶନ, ରଥଯାତ୍ରା, ହେରାପଞ୍ଚମୀ, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେ ନୀତି ନିର୍ଘଣ୍ଟର ଅନୁମୋଦନ କରାଯିବ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନୱର ବିଶାଳ ସିଂ, ପରିଚାଳନା କମିଟି ସଦସ୍ୟଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିବେ।