ପୁଣି ୩୦ ବିମାନକୁ ବୋମା ଧମକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦେଶର ସମସ୍ତ ଏୟାରଲାଇନ୍ସକୁ କ୍ରମାଗତ ଭାବେ ବୋମାରେ ଉଡାଇଦେବାକୁ ଧମକ ମିଳିବାରେ ଲାଗିଛି। ସୋମବାର ରାତିରେ ୩୦ରୁ ଅଧିକ ବିମାନ କମ୍ପାନୀକୁ ବୋମା ଧମକ ମିଳିଛି | ଏହାକୁ ନେଇ ବିମାନ କମ୍ପାନୀ କୋଟି କୋଟି ଟଙ୍କା କ୍ଷତିରେ ପଡ଼ୁ ଥିବାବେଳେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଚିନ୍ତା ବଢିଛି | ଏପରି ଅପରାଧକୁ ରୋକିବା ପାଇଁ ବିଭାଗ ପକ୍ଷରୁ ବ୍ୟାପକ ଆଲୋଚନା ପର୍ଯ୍ୟାଲୋଚନା ଚାଲି ଥିବାବେଳେ ପୁଣି ୩୦ଟି ବିମାନକୁ ବୋମା ଧମକ ମିଳିଛି।

ଆଜି ଇଣ୍ଡିଗୋ, ଭିସ୍ତାରା ଏବଂ ଏୟାର ଇଣ୍ଡିଆ ବିମାନକୁ ବୋମା ଥିବା ନେଇ ଧମକ ମିଳିଛି। ଏହାକୁ ମିଶାଇଲେ ସପ୍ତାହେ ମଧ୍ୟରେ ୧୩୦ରୁ ଅଧିକ ବିମାନକୁ ବୋମାକ ଧମକ ମିଳିଲାଣି। ସୂଚନା ମୁତାବକ, ମାଙ୍ଗାଲୁରରୁ ମୁମ୍ବାଇ ଯାଉଥିବା ବିମାନକୁ ଏନେଇ ଆଲର୍ଟ ମିଳିଥିଲା। ଯାହା ପରେ ସମସ୍ତ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ଅହମ୍ମଦାବାଦରୁ ୟେଦାକୁ ଯାଉଥିବା ବିମାନ 6E 75କୁ ଲ୍ୟାଣ୍ଡିଙ୍ଗ ପରେ ଧମକ ପାଇଥିବା ଜଣାପଡିଛି। ଏହା ପରେ ବିମାନକୁ ଅନ୍ୟତ୍ର ନିଆଯାଇ ଯାତ୍ରୀମାନଙ୍କୁ ଓହ୍ଲାଇ ଦିଆଯାଇଥିଲା।

ସେହିପରି ଧମକ ମିଳିଥିବା ବିମାନ ମଧ୍ୟରେ ହାଇଦ୍ରାବାଦରୁ ଜେଡ୍ଡାକୁ ଯାଉଥିବା 6E 67 ବିମାନ, ଇସ୍ତାନବୁଲରୁ ମୁମ୍ବାଇକୁ ଆସୁଥିବା 6E 18 ବିମାନ ମଧ୍ଯ ସାମିଲ ରହିଛି। ବର୍ତ୍ତମାନ ସୁଦ୍ଧା ସେପରି କିଛି ଅଘଟଣ ଘଟିନଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ଅନେକ ବିମାନର ଜରୁରୀ ଅବତରଣ କରାଯାଉଛି। ଏହା ଫଳରେ ବିମାନ କମ୍ପାନୀକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ୁଛି। ଏ ଦୃଷ୍ଟିରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଘନ ଘନ ବୈଠକ କରୁଛନ୍ତି।

Comments are closed.