ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଚେୟାରମ୍ୟାନ୍ ମାଧବୀ ପୁରୀ ବୁଚଙ୍କ ବିରୋଧରେ ହୋଇଥିବା ଅଭିଯୋଗର ତଦନ୍ତ ପରେ ତାଙ୍କୁ ଦୋଷାରୋପ କରାଯାଇ ନାହିଁ। ସରକାରୀ ସୂତ୍ରରୁ ଏହା ଜାଣିବାକୁ ମିଳିଛି। ସେ ୨୦୨୫ ମସିହା ଫେବ୍ରୁଆରି ମାସରେ ଶେଷ ହେବାକୁ ଥିବା ତାଙ୍କ କାର୍ଯ୍ୟକାଳ ଶେଷ କରିବେ। ତାଙ୍କ ବିରୋଧରେ ଆସିଥିଲା ସଙ୍ଗୀନ ଅଭିଯୋଗ।
ସେ ନିଜ ପଦର ଅପବ୍ୟବହାର କରୁଥିବା ନେଇ ଅଭିଯୋଗ ଆଣିଥିଲା କଂଗ୍ରେସ। ଆମେରିକାର ହିନ୍ଦନବର୍ଗ ରିସର୍ଚ୍ଚ ଏବଂ କଂଗ୍ରେସ ଦଳ ଦ୍ୱାରା ସେବି ମୁଖ୍ୟଙ୍କ ବିରୋଧରେ ଆର୍ଥିକ ଅସଦାଚରଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ଆରମ୍ଭ ହୋଇଥିଲା। ଆର୍ଥିକ ଅସଦାଚରଣ ଅଭିଯୋଗକୁ ନେଇ ମାଧବୀ ପୁରୀ ତଦନ୍ତର ସମ୍ମୁଖୀନ ହୋଇଥିଲେ। ବହୁ ପରିମାଣରେ ଦୁର୍ନୀତି ହୋଇଛି ବୋଲି କହିଥିଲା। ସେହିପରି ଆମେରିକାର ସର୍ଟ ସେଲିଂ ଫାର୍ମ ହିଣ୍ଡେନବର୍ଗ ରିସର୍ଚ୍ଚ ସଂସ୍ଥା ମଧ୍ୟ ତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲା।
ଆଦାନି ଗ୍ରୁପର ସ୍କାମରେ ଜଡିତ ବିଦେଶୀ କମ୍ପାନିରେ ସେବି ମୁଖ୍ୟ ମାଧବୀ ପୁରୀ ବୁଚ୍ ଏବଂ ତାଙ୍କ ସ୍ୱାମୀ ଧବଲ ବୁଚଙ୍କ ଅଂଶଧନ (ଶେୟାର୍) ରହିଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାକୁ ମାଧବୀ ବୁଚ୍ ତାଙ୍କ ସ୍ୱାମୀ ଖଣ୍ଡନ କରିଥିଲେ। ଏହି ହିଣ୍ଡେନବର୍ଗର ଏହି ରିପୋର୍ଟକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଥିଲା। ଏହାରି ଭିତରେ ମାଧବୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଚାଲିଥିବା ଭିତରେ କେନ୍ଦ୍ର ସରକାର ଯାଞ୍ଚ ଆରମ୍ଭ କରିଥିଲେ। ଉଭୟ ଏଜେନ୍ସି ଏବଂ ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଏହି ଯାଞ୍ଚ କରାଯାଇଥିଲା। ତେବେ ବର୍ତ୍ତମାନ ଏହି ମାମଲାର ତଦନ୍ତ ଶେଷ ହୋଇଛି। ତଦନ୍ତରୁ ମାଧବୀ କିମ୍ବା ତାଙ୍କର ପରିବାର ବିରୋଧରେ କୌଣସି ପ୍ରମାଣ ମିଳିନଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।