ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି ଦି’ଫାଳ ହୋଇଛି ରାଜସ୍ଥାନ କଂଗ୍ରେସ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କ ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ବିବାଦ ଏକ ପ୍ରକାର ଶୀତଳଯୁଦ୍ଧରେ ପରିଣତ ହୋଇଯାଇଛି। ଉଭୟ କଂଗ୍ରେସର ନେତା ହୋଇଥିବା ବେଳେ ଜଣେ ଆଉ ଜଣଙ୍କ ବିରୋଧରେ ଅନଶନ କରିବାକୁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଗେହଲଟ ନିର୍ବାଚନ ବେଳେ ବିଜେପି ବିରୋଧରେ ଆଣିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କ୍ଷମତାକୁ ଆସିବା ପରେ କରି ନଥିବାରୁ ଏହା ବିରୋଧରେ ପାଇଲଟ ଦିନିକିଆ ଅନଶନ କରିବେ ବୋଲି କହିଛନ୍ତି। କଂଗ୍ରେସ କ୍ଷମତାକୁ ଆସିବା ପୂର୍ବରୁ ବସୁନ୍ଧରା ରାଜେଙ୍କ ନେତୃତ୍ୱରେ ବିଜେପି ସରକାର ରାଜସ୍ଥାନରେ ଶାସନ କରୁଥିଲା।
୨୦୧୮ ନିର୍ବାଚନ ସମୟରେ ଗେହଲଟ ଖୋଲାଖୋଲି ଭାବେ ରାଜେ ସରକାରଙ୍କୁ ଦୁର୍ନୀତିଗ୍ରସ୍ତ କହିବା ସହ କଂଗ୍ରେସ କ୍ଷମତାକୁ ଆସିଲେ ସବୁ କିଛିର ତଦନ୍ତ ହେବ ବୋଲି କହିଥିଲେ। କିନ୍ତୁ ସାଢ଼େ ୪ ବର୍ଷ ମଧ୍ୟରେ ସେ କୌଣସି ବି ତଦନ୍ତ କରି ନଥିବାରୁ ସଚିନ ପାଇଲଟ ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ସେ ଆସନ୍ତା ୧୧ ତାରିଖରେ ସହିଦ ସ୍ମାରକୀ ନିକଟରେ ଦିନିକିଆ ଅନଶନ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। ସେ କହିଛନ୍ତି, “ଆମେ ଅନେକ ଦୁର୍ନୀତି ଅଭିଯୋଗ ମିଳିତ ଭାବେ ବସୁନ୍ଧରା ରାଜେଙ୍କ ସରକାର ବିରୋଧରେ ଲଗାଇଥିଲୁ। ମୁଁ ମଧ୍ୟ ରାଜେ ସରକାରଙ୍କ ବିରୋଧରେ କଂଗ୍ରେସର ରାଜ୍ୟ ସଭାପତି ଭାବେ ଅଭିଯୋଗ ଆଣିଥିଲି। ମୁଁ ଆଦୌ ପ୍ରତିଶୋଧ ରାଜନୀତିରେ ବିଶ୍ୱାସ କରେ ନାହିଁ। କିନ୍ତୁ ଆମକୁ ବିରୋଧୀ ଭାବେ କିଛି ଉତ୍ତରଦାୟିତ୍ୱ ନେବାକୁ ପଡ଼ିବ।
ଗତବର୍ଷ ରାଜସ୍ଥାନରେ କ୍ଷମତା ପାଇଁ କଂଗ୍ରେସରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରୁ ମୁକୁଳିବା ପାଇଁ ଓ ରାଜ୍ୟରେ ଦଳକୁ ମଜବୁତ କରିବା ପାଇଁ କଂଗ୍ରେସ ଦରକାର ପଡ଼ିଲେ ବଡ଼ ପଦକ୍ଷେପ ନେଇପାରେ ବୋଲି କୁହାଯାଉଥିଲା। ଗେହଲଟ ଗୋଟିଏ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ପାଇଲଟଙ୍କୁ ଗଦ୍ଦାର କହିଥିଲେ ଓ ସେ କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ଦମ୍ଭୋକ୍ତି ଦେଖାଇଥିଲେ। ଏହାର କଡ଼ା ଜବାବ ଦେଇ ପାଇଲଟ କହିଥିଲେ ଯେ ଏପରି କାଦୁଆ ଫିଙ୍ଗିବା ଆଦୌ ଦଳକୁ ସହାୟତା କରିବ ନାହିଁ। ତେଣୁ ଏଥିରୁ ନିବୃତ୍ତ ରହିବା ଉଚିତ।ନ ଏହାକୁ ନେଇ ରାଜସ୍ଥାନରେ ରାଜନୀତିକ ଛକାପଞ୍ଝା ଲାଗି ରହିଛି।
ଏସବୁ ଭିତରେ ଗେହଲଟ ଓ ପାଇଲଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ଜୟରାମ ରମେଶ ମତ ରଖିଛନ୍ତି। ସେ କହିଛନ୍ତି, “ଆମ ପାଇଁ ସଂଗଠନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ରାଜସ୍ଥାନ ସମ୍ପର୍କରେ ଆମେ ଗୋଟିଏ ସମାଧାନର ରାସ୍ତା ବାହାର କରିବୁ।ନ ଆମେ ଏମିତି ଏକ ସାମାଧାନର ରାସ୍ତା ବାହାର କରିବୁ ଯାହା ଦଳକୁ ରାଜ୍ୟରେ ଅଧିକ ମଜବୁତ କରିବ। ଏଥିପାଇଁ ଆମକୁ ଯଦି କୌଣସି ବଡ଼ ନିଷ୍ପତ୍ତି କିମ୍ବା ପଦକ୍ଷେପ ନେବାକୁ ପଡ଼ିବ, ତା’ହେଲେ ବି ଆମେ ପଛ ଘୁଞ୍ଚା ଦେବୁ ନାହିଁ। ଯଦି ଦୁଇ ପକ୍ଷଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇପାରିବ, ତା’ହେଲେ ବି ଆମେ ସେସବୁ କରିବୁ।”