ପୁଣି ଡରାଇଲାଣି କରୋନା, ଦୈନିକ ସଂକ୍ରମଣ ୩ ହଜାର ପାର୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ହୁ ହୁ ହୋଇ ବଢି ଦୈନିକ କୋଭିଡ୍‌-୧୯ ସଂକ୍ରମଣ । ତେବେ  ଆଜି ସଂକ୍ରମଣ ସଂଖ୍ୟା ୩,୦୦୦ ଉପରେ ଥାଇ ଚଳିତ ବର୍ଷର ସର୍ବାଧିକ ଦୈନିକ ସଂକ୍ରମଣ ଭାବେ ରେଡର୍କ କରିଛି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୦୦୦ ଟପି ଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୦୯୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୩,୦୯୫ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୧୫,୭୮୬ରେ ପହଞ୍ଚିଛି। ଗତ ୨୪ ‌ଘଣ୍ଟାରେ ୫ଟି ମୃତ୍ୟୁ ରିପୋର୍ଟ କରାଯିବା ଫଳରେ ଦେଶରେ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୦,୮୬୭କୁ ବୃଦ୍ଧି ପାଇଛି। ଆଜି ଗୁଜରାଟ ଓ ଗୋଆରେ ଗୋଟିଏ ଲେଖାଏଁ ମୃତ୍ୟୁ ରିପୋର୍ଟ କରିଥିବା ବେଳେ ପିଛିଲା ଭାବେ କେରଳ ୩ଟି ମୃତ୍ୟୁ ସାମିଲ କରିଛି। ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୨.୬୧% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୧.୯୧% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି।

ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୧,୬୯,୭୧୧। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୭୮% ରହିଛି। ଏହାଛଡ଼ା, ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୫୦୯କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୩%। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୨,୨୦,୬୫,୯୯,୦୩୪ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଗତକାଲି ପରୀକ୍ଷା କରାଯାଇଛି ୧,୧୮,୬୯୪ଟି ନମୁନା। ପୂର୍ବରୁ ଗତ ବର୍ଷ ଅକ୍ଟୋବର ଦୁଇ ତାରିଖରେ ୩ ହଜାର ୩୭୫ ମାମଲା ଚିହ୍ନଟ ହୋଇଥିଲା । ଅନ୍ୟପଟେ ଦେଶରେ ସକ୍ରିୟ ମାମଲା ବଢ଼ି ୧୩ ହଜାର ୫୦୯ ଥିବା ଜଣାପଡ଼ିଛି । ତେବେ ୨୦୨୩ ମାର୍ଚ୍ଚ ୩୦ ତାରିଖରେ ସଂକ୍ରମଣ ସଂଖ୍ୟା ୩ ହଜାର ଟପିଥିବାବେଳେ ପୂର୍ବ ବର୍ଷରେ ଏହି ଦିନରେ ସଂକ୍ରମଣ ସଂଖ୍ୟା ଚିନ୍ତାଜନକ ରହିଥିଲା ।

  • ବର୍ଷ ସଂକ୍ରମିତଙ୍କ ସଂଖ୍ୟା ମୃତ୍ୟୁ ସଂଖ୍ୟା
    ୨୦୨୨_ ୧୦୦୦_ ୩୧
    ୨୦୨୧_ ୫୬,୨୧୧_ ୨୭୧
    ୨୦୨୦ _୧,୨୫୧_ ୩୨

ଗତ ୩ବର୍ଷ ତୁଳନାରେ ଚଳିତବର୍ଷର ସଂକ୍ରମଣ ଯଦିଓ ବେଶ ଅଧିକ ନୁହେଁ ତଥାପି ସମୟ ଥାଉ ଥାଉ ସଜାଗ ରହିବା ଜରୁରୀ ବୋଲି ବିଶେଷଜ୍ଞ କହିଛନ୍ତି । ଅନ୍ୟପଟେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କୋଭିଡ଼ ସଂଖ୍ୟା ବଢ଼ୁଥିବାରୁ ଲୋକମାନଙ୍କ ମଧ୍ୟରେ ପୁଣି ଥରେ ଏନେଇ ଭୟ ଦେଖାଦେଇଛି । ତେବେ ବଢ଼ୁଥିବା ସଂକ୍ରମଣ ପଛରେ କୋଭିଡ଼ର ନୂଆ ସବଭ୍ୟାରିଏଣ୍ଟ ଏକ୍ସବିବି.୧.୧୬ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଏବଂ ଭବିଷ୍ୟତରେ ଏହା ଆଉ ଏକ କରୋନା ଲହରର କାରଣ ହୋଇପାରେ ବୋଲି ମତ ପ୍ରକାଶ କରିଛନ୍ତି ବିଶେଷଜ୍ଞ । ବିଭିନ୍ନ ରାଜ୍ୟରେ କୋଭିଡ଼ ସଂକ୍ରମଣ ବଢୁଥିବାରୁ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସଚେତନ ରହିବାକୁ ପରାମର୍ଶ ଦିଆଯାଇଛି । ହସ୍ପିଟାଲଗୁଡିକରେ ଆବଶ୍ୟକ ମୁତାବକ ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ କୁହାଯାଇଛି । ଅନ୍ୟପଟେ ପାଗ ବଦଳୁଥିବାରୁ ଫ୍ଲୁ ବୃଦ୍ଧି ପାଉଥିବାରୁ ଲୋକେ ଭୟଭୀତ ଅଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ସହ ଲୋକଙ୍କ ଭୟଭୀତ ନହେବାକୁ କୁହାଯାଇଛି ।

Leave A Reply

Your email address will not be published.