ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସିବିଆଇ କୋର୍ଟରେ ହାଜର ହୋଇଥିଲେ ବ୍ଲାକମେଲର ନାଗ ଦମ୍ପତି । କୋର୍ଟ ରୁମରୁ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ କଲେ ଟାର୍ଗେଟ । ସମାନ ମାମଲାରେ ଆମେ ଜଦି ବନ୍ଧାହେଲୁ ଶ୍ରଦ୍ଧାଞ୍ଜଳି କାହିଁକୁ ନୁହଁ ବୋଲି ପ୍ରଶ୍ନକଲେ ଅର୍ଚ୍ଚନା । ଆଜି କୋର୍ଟରୁ ବାହାରିବାବେଳେ, ଲେଡ଼ି ବ୍ଲାକମେଲର ଅର୍ଚ୍ଚନା ନାଗ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ କାହିଁକି ଏଯାଏଁ ବାହାରେ ବୁଲୁଛି ଶ୍ରଦ୍ଧାଞ୍ଜଳି । କାହା ଛତ୍ରଛାୟା ତଳେ ଶ୍ରଦ୍ଧାଞ୍ଜଳି ବେହେରା ଅଛନ୍ତି, ଯେଉଁଥିପାଇଁ ତାକୁ ଗିରଫ କରାଯାଉନି ବୋଲି ଅର୍ଚ୍ଚନା ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ଏହା ପଛରେ ଏକ ବଡ଼ ଶକ୍ତି କାମ କରୁଛି । ତାକୁ ଜାଣିଶୁଣି ଘଣ୍ଟ ଘୋଡାଇ ଚାଲିଛନ୍ତି । ଶ୍ରଦ୍ଧାଞ୍ଜଳିକୁ ହନିମୁନ ପ୍ୟାକେଜରେ ପଠାଯାଇଥିଲା । ଓଲଡ଼ ଟାଉନ ଅଞ୍ଚଳର ଜଣେ ପ୍ରଭାବଶାଳୀ ବ୍ୟକ୍ତି ସୌଭାଗ୍ୟ ମିଶ୍ର ନାମକ ଜଣେ ଲୁଗା ବ୍ୟବସାୟୀ ସହ ପଠାଯାଇଥିଲା । ଶ୍ରଦ୍ଧାଞ୍ଜଳି ନାଁରେ କୋର୍ଟ ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି । ସେଥିପାଇଁ କୋର୍ଟଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ଅର୍ଚ୍ଚନା କହିଛନ୍ତି ।
କହିରଖେ କି, ନିଜର ନାଗ ଫାଶରେ ପ୍ରମୁଖ ଦଳର ବଡ଼ ବଡ଼ ନେତା, ବ୍ୟବସାୟୀ,ପୋଲିସ, ଅଫିସର, ସିନେ ଦୁନିଆର ହସ୍ତୀଙ୍କ ସମେତ ସମାଜର ଆଗଧାଡ଼ିର ଲୋକଙ୍କୁ ଫସାଇଥିବା ଅର୍ଚ୍ଚନା ପ୍ରସଙ୍ଗକୁ ନେଇ ଆଉ ବିଶେଷ ଚର୍ଚ୍ଚା ହେଉ ନାହିଁ। କେତେ ନେତାଙ୍କର ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିବାବେଳେ ବହୁ ଅଡିଓ ଭିଡିଓ ବାହାରକୁ ମଧ୍ୟ ଆସିଥିଲା। ଏପରିକି ଆହୁରି କିଛି ଆପତ୍ତିଜନକ ଅନ୍ତରଙ୍ଗ ଭିଡିଓ ମଧ୍ୟ ଥିବା ଚର୍ଚ୍ଚା ହେଉଥିଲା। ମନିଲଣ୍ଡରିଂ ପ୍ରସଙ୍ଗକୁ ନେଇ ଇଡି ମଧ୍ୟ ଚଢ଼ାଉ ଆରମ୍ଭ କରିଥିଲା। କୁହାଯାଉଥିଲା ବହୁ ନେତା ଏଥିରେ ଫସିବେ। ପ୍ରତିଦିନ ଗଣମାଧ୍ୟମର ଶୀର୍ଷ ମଣ୍ଡନ କରୁଥିବା ଏହି ଖବର କିନ୍ତୁ ଆଉ ଶୁଣାଯାଉନି। ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ପରେ ଅର୍ଚ୍ଚନା ନାଗଙ୍କ ପ୍ରସଙ୍ଗରେ ଆଉ ଚର୍ଚ୍ଚା ନାହିଁ। ଇଡି ଅର୍ଚ୍ଚନାଙ୍କ ସମେତ ସହଯୋଗୀଙ୍କୁ ଜେରା ମଧ୍ୟ କଲା। ଏପରିକି ମୁହଁ ଖୋଲିଲେ ରାଜ୍ୟରେ ଝଡ଼ ସୃଷ୍ଟି ହେବ ବୋଲି କହିଥିଲେ ଅର୍ଚ୍ଚନା। ଭୁବନେଶ୍ୱରରେ ପାଖାପାଖି 4 କୋଟି ଟଙ୍କାର ବଙ୍ଗଳା, ଦାମୀ ଗାଡି, ଆସବାବପତ୍ର, ବିଲାସପୂର୍ଣ ଫାର୍ମହାଉସଠୁ ଆରମ୍ଭ କରି କେତେ କଣ ଥିଲା। ଏପରିକି ରାଜ୍ୟର ପ୍ରତିଷ୍ଠିତ ନେତା, ବ୍ୟବସାୟୀଙ୍କ ଦ୍ୱାରା ଦାମୀ ଗିଫ୍ଟ ସବୁ ଦିଆଯାଇଥିଲା।
କେତେ ଝିଅଙ୍କୁ ଅର୍ଚ୍ଚନା ବଡ଼ ବଡ଼ ନେତା ତଥା ପ୍ରତିପତ୍ତି ଥିବା ଲୋକଙ୍କ ସହ ରାତି ବିତାଇବାକୁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା। ଏ ପ୍ରସଙ୍ଗ ଦେଶବ୍ୟାପୀ ଚର୍ଚ୍ଚାର ପ୍ରସଙ୍ଗ ମଧ୍ୟ ହୋଇଥିଲା। ଏପରିକି ଏଥିରେ ବହୁ ନେତା ଫସିବେ ବୋଲି ମଧ୍ୟ କୁହାଗଲା। କିନ୍ତୁ ଏବେ ସବୁ ଠପ। ଅର୍ଚ୍ଚନାଙ୍କ ସମ୍ପର୍କରେ କିଛି ଚର୍ଚ୍ଚାର ନାଁ ଗନ୍ଧ ଆଉ ନାହିଁ। ଘଟଣାରେ ବିଭିନ୍ନ ବର୍ଗର ବହୁ ପ୍ରଭାବଶାଳୀ ଲୋକ ସମ୍ପୃକ୍ତ ଥିବାରୁ ଏହି ଘଟଣାରେ ଚର୍ଚ୍ଚା ଥମିଗଲା ବୋଲି କୁହାଯାଉଛି। ଏପରିକି ଅର୍ଚ୍ଚନାଙ୍କ ସହ ଶାସକ ଦଳ ବିଜେଡି ସମେତ ବିଜେପି କଂଗ୍ରେସ ନେତାଙ୍କ ଫଟୋ ଦେଖିବାକୁ ମିଳିଥିଲା। ଏପରିକି ବହୁ ବରିଷ୍ଠ ପୋଲିସ ଅଧିକାରୀ, ଅଫିସର ତଥା ଅନ୍ୟ ପ୍ରମୁଖ ଚେହେରାଙ୍କ ସହ ଅର୍ଚ୍ଚନା, ତାଙ୍କ ସ୍ୱାମୀ ଓ ସହଯୋଗୀଙ୍କ ସମ୍ପର୍କ ପଦାକୁ ଆସିଥିଲା। ଆହୁରି କେତେ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ପୃକ୍ତି ପଦାକୁ ଆସିବ ବୋଲି କୁହାଯିବା ସହ ରାଜ୍ୟ ଦୋହଲିଯିବ ବୋଲି ସେତେବେଳେ କୁହାଯାଉଥିଲା। କିନ୍ତୁ ଏବେ ନା ଅର୍ଚ୍ଚନା ବିଷୟରେ କିଛି ଚର୍ଚ୍ଚା ହେଉଛି ନା ତଦନ୍ତ ବିଷୟରେ କିଛି ଚର୍ଚ୍ଚା। ଅର୍ଚ୍ଚନାଙ୍କ ସହ ସମ୍ପୃକ୍ତ ଥିବା କୌଣସି ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ବିଷୟରେ କିଛି ବି ଶୁଣାଯାଉନି। ତେଣୁ ଅର୍ଚ୍ଚନା ନାଗ ଘଟଣା ସେମିତି ମିଳେଇଯିବ ବୋଲି କୁହାଯାଉଛି। ଅର୍ଚ୍ଚନା ନାଗ ଘଟଣାର ସବୁ ସତ ପଦାକୁ ଆସିଥିଲେ ଶାସକ ବିଜେଡି, ବିଜେପି, କଂଗ୍ରେସ ସମେତ ବହୁ ବଡବଡ଼ିଆ ଅସୁବିଧାରେ ପଡିବେ ବୋଲି କୁହାଯାଉଥିଲା। ଆଗକୁ ନିର୍ବାଚନ ଥିବାରୁ ଏହାଦ୍ୱାରା ଉଭୟ ନେତା ଓ ଦଳ ପ୍ରଭାବିତ ହେବେ ବୋଲି ମଧ୍ୟ କୁହାଯାଉଥିଲା। କିନ୍ତୁ ବର୍ତ୍ତମାନ ସବୁ ଥମି ଯାଇଥିବାରୁ ଏହାର ପ୍ରଭାବ ରାଜନୈତିକ ଦଳ ଉପରେ ବିଶେଷ କିଛି ପ୍ରଭାବ ପଡ଼ିବନି ବୋଲି କୁହାଯାଉଛି ।