ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୁନୋ ଜାତୀୟ ଉଦ୍ୟାନରେ ଚିକିତ୍ସାଧୀନ ଅବସ୍ଥାରେ ଦକ୍ଷିଣ ଆଫ୍ରିକାରୁ ଅଣାଯାଇଥିବା ଚିତା ଉଦୟର ମୃତ୍ୟୁ ଘଟିଛି । ମୃତ୍ୟୁର ପ୍ରକୃତ କାରଣ ଜଣାପଡି ନାହିଁ । ଯାହା ପଶୁପ୍ରେମୀଙ୍କୁ ଦୁଃଖ ପହଁଚାଇଛି । ମଧ୍ୟପ୍ରଦେଶର ବନ ସଂରକ୍ଷକ ଜେଏସ ଚୌହ୍ୱାନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସକାଳ ୯ଟା ବେଳେ ଉଦୟ ମାନ୍ଦା ଅବସ୍ଥାରେ ବସିଥିବା ଦେଖିବାକୁ ମିଳିଥିଲା । ଚିକିତ୍ସକମାନେ ଏହାର ନିକଟକୁ ଯିବା ମାତ୍ରେ ସେ ଉଠି କରି କିଛି ବାଟ ଚାଲିବା ପରେ ପଡି ଯାଇଥିଲା ।
ଅପରାହ୍ନ ୪ଟା ବେଳେ ଉଦୟର ମୃତ୍ୟୁ ଘଟିଥିଲା । ପ୍ରାରମ୍ଭିକ ଚିକିତ୍ସା ପାଇଁ ଉଦୟକୁ ବେହୋସ କରାଯାଇଥିଲା । ମାତ୍ର ସମସ୍ତ ଉଦ୍ୟମ ସତ୍ୱେ ଏହାକୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଫେବୃୟାରୀ ୧୮ରେ ଦକ୍ଷିଣ ଆଫ୍ରିକାରୁ ୧୧ଟି ଚିତା ଭାରତ ଅଣାଯାଇଥିଲା । ଏହା ପୂର୍ବରୁ ନାମ୍ବିଆରୁ ଅଣା ଯାଇଥିବା ଚିତା ମଧ୍ୟରୁ ଶଶା ନାମକ ଚିତାର ମୃତ୍ୟୁ ଘଟିଥିଲା । ଅଳ୍ପ ଦିନ ବ୍ୟବଧାନରେ ୨ଟି ଚିତାର ମୃତ୍ୟୁ ଘଟିଥିବାରୁ ପଶୁପ୍ରେମୀମାନେ ନିରାଶ କରିଛି ।