୭ ଜୁଲାଇରେ ଆସୁଛି ଆଉ ଏକ ଲଘୁଚାପ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସାରା ରାଜ୍ୟରେ ବର୍ଷା ଜାରି ରହିଛି | ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଜାରି ରହିଛି ବର୍ଷା। ଆଗାମୀ ୪ ଦିନ ଧରି ରାଜ୍ୟର ସମସ୍ତ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୬ ଏବଂ ୭ ତାରିଖ ବେଳକୁ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ମଧ୍ୟପ୍ରଦେଶ ଓ ଛତିଶଗଡ଼ ଉପରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିବା ବେଳେ ଉତ୍ତର ବାଂଲାଦେଶ ଏବଂ ପାର୍ଶ୍ୱବର୍ତ୍ତୀ ଅଂଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି।

ଏହା ପ୍ରଭାବରେ ଓଡିଶାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା, ଅନୁଗୁଳ, ସମ୍ବଲପୁର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଆଦି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି। ସେହିପରି ମୌସୁମୀ ସିଜିନରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି। ଅନ୍ୟପଟେ, ଆସନ୍ତା ଜୁଲାଇ ୭ ତାରିଖରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହୋଇପାରେ । ତେବେ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହେବ। ଆସନ୍ତା ସପ୍ତାହରେ ରାଜ୍ୟର ଅଧିକାଂଶ ସ୍ଥାନରେ ମୋଟ ବର୍ଷା ୫୦ରୁ ୬୦ମିମି ରହିବ । ଜୁଲାଇ ପ୍ରଥମମାର୍ଦ୍ଧରେ ରାଜ୍ୟରେ ବର୍ଷା ପରିମାଣ ୨୫% ନିଅଣ୍ଟିଆ ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Comments are closed.