ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ବିଗିଡିଲା ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ବାସ୍ଥ୍ୟବସ୍ଥା । ତାଙ୍କୁ ଗତକାଲି ରାତି 9ଟା ସମୟରେ ଦିଲ୍ଲୀର ମଥୁରାରୋଡରେ ଥିବା ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସଂପୃକ୍ତ ମେଡ଼ିକାଲର ଡାକ୍ତର ଭିନିତ ସୁରୀ ସୂଚନା ଦେଇଛନ୍ତି ।
ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ପାଇଁ ଗତ ସପ୍ତାହରେ ମଧ୍ୟ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ ଆଡ଼ଭାନୀ । AIIMSର ଜିରିଆଟ୍ରିକ୍ ବିଭାଗ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଥିଲା । ୯୬ ବର୍ଷ ବୟସ୍କ ଆଡଭାନୀ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତେଣୁ ସମୟ ସମୟରେ ତାଙ୍କୁ ଘରେ ଏକ ଡାକ୍ତରୀ ଟିମ୍ ପକ୍ଷରୁ ଚେକ୍ ଅପ୍ ମଧ୍ୟ କରାଯାଏ । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଓ ବରିଷ୍ଠ ଡାକ୍ତର ଭିନିତ ସୁରିଙ୍କ ତତ୍ତ୍ବାବଧାନରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାରେ ନିୟୋଜିତ ରହିଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।
ସୂଚନା ମୁତାବକ, ଗତ ଜୁନ ୨୭ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଅସୁସ୍ଥତା କାରଣରୁ ସେ ଦିଲ୍ଲୀ ଏମ୍ସରେ ଆଡମିଟ୍ ହୋଇଥିଲେ । ଏବେ ପୁଣି ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦେଶର ଶାସନ, ରାଜନୀତି ଓ ସାମାଜିକ ଆନ୍ଦୋଳନର ଅତୂଳନୀୟ ଅବଦାନ ଦେଇଥିବା ଲାଲକୃଷ୍ଣ ଆଡଭାନୀଙ୍କୁ ଚଳିତବର୍ଷ ମାର୍ଚ୍ଚ ମାସରେ ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ରେ ସମ୍ମାନିତ କରାଯାଇଥିଲା ।
Comments are closed.