୭ରେ ଶପଥ ନେବେ ହେମନ୍ତ ସୋରେନ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚମ୍ପାଇ ସୋରେନ ।  ପୁଣି ନିଜ ଆସନକୁ ଫେରିବେ ହେମନ୍ତ ସୋରେନ। ଜୁଲାଇ ୭ରେ ସେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ତାଙ୍କ ସହ ଅନେକ ମନ୍ତ୍ରୀ ମଧ୍ୟ ଶପଥ ନେବେ ବୋଲି କୁହାଯାଉଛି। ସରକାର ଗଠନର ସମସ୍ତ ପ୍ରକ୍ରିୟା ପୁରା ହୋଇଥିବା ଜଣାପଡ଼ିଛି। ଖୁବଶୀଘ୍ର ସେ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ଏ ଯାଏଁ ଶାସକ ଦଳ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।

ସୂଚନା ମୁତାବକ, ଗୋଟିଏ ଦିନ ପୂର୍ବରୁ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମଏମ) ପକ୍ଷରୁ ବୁଧବାର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ହେମନ୍ତଙ୍କୁ ପୁନର୍ବାର ମୁଖ୍ୟମନ୍ତ୍ରୀ କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। ଏହି ବୈଠକରେ ମେଣ୍ଟ ଦଳର ସମସ୍ତ ନେତା ଏବଂ ବିଧାୟକମାନେ ଉପସ୍ଥିତ ଥିଲେ। ସର୍ବସମ୍ମତିକ୍ରମେ ହେମନ୍ତଙ୍କୁ ବିଧାୟକ କରାଯିବା ନେଇ ସ୍ଥିର ହୋଇଥିଲା। ହେମନ୍ତଙ୍କୁ ବିଧାୟକଦଳ ନେତା ଭାବେ ଚୟନ ମଧ୍ୟ କରାଯାଇଥିଲା।

ବହୁଚର୍ଚ୍ଚିତ ଜମି ଦୁର୍ନୀତି ମାମଲାରେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ଫେବୃଆରୀ ୨ରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ । ଏହାରି ମଧ୍ୟରେ ଲଗାତାର ଚର୍ଚ୍ଚା ଚାଲିଥିଲା କି, ଯଦି ବି ହେମନ୍ତ ସୋରେନ ଜାମିନରେ ଜେଲରୁ ମୁକୁଳନ୍ତି ତାହେଲେ ମଧ୍ୟ ରାଜ୍ୟରେ ନେତୃତ୍ବ ପରିବର୍ତ୍ତନ ହେବନି ।

Leave A Reply

Your email address will not be published.