ଓଡିଆ ନ୍ୟୁଜ୍(ବ୍ୟୁରୋ): ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାର ତାଙ୍କର ଉଦ୍ୟମକୁ ଜୋରଦାର କରିଛନ୍ତି। ଖାରକିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ତିନି ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ 65ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମା କୁ ଆଣିବା ପାଇଁ ସଫଳ ହୋଇଛନ୍ତି । ସେ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି।
ଏ ପର୍ଯ୍ୟନ୍ତ 199ଛାତ୍ରଛାତ୍ରୀ ନିରାପଦ ରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି । ନୂଆଦିଲ୍ଲୀ ସ୍ଥିତ Resident commission office ଉଦ୍ଧାର କାର୍ଯ୍ୟ ରେ ସମନ୍ୱୟ ରକ୍ଷା କରୁଛନ୍ତି । ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ବତନ୍ତ୍ର ପ୍ରତିନିଧିଙ୍କୁ ସମନ୍ବୟ ରଖିବା ପାଇଁ ଦାୟିତ୍ବ ଦେଇଛନ୍ତି ।
ସେପଟେ ମିଶନକୁ ଜୋରଦାର କରିବାକୁ ଅପରେସନ ଗଙ୍ଗାରେ ସାମିଲ ହେଲା ଭାରତୀୟ ବାୟୁସେନା। ସି- 17ର ୪ଟି ମିଲିଟାରୀ ଫ୍ଲାଇଟରେ ଜନ୍ମମାଟିକୁ ଫେରୁଛନ୍ତି ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀ। ୟୁକ୍ରେନର ବିଭିନ୍ନ ସହରରେ ସ୍ଥିତି ଗମ୍ଭୀର ରହିଛି। ଦୂତାବାସ ପକ୍ଷରୁ ମଧ୍ୟରୁ ତୁରନ୍ତ ୟୁକ୍ରେନ ସୀମାକୁ ଚାଲିଯିବାକୁ ଦିଆଯାଇଛି ପରାମର୍ଶ। ଏହାକୁ ଦୃଷ୍ଟିରେ ରଖି ଆଜି ୧୯ଟି ବିମାନରେ ଭାରତୀୟଙ୍କୁ ଫେରାଇ ଅଣାଯାଉଛି। ଗୋଟିଏ ଦିନରେ ପ୍ରାୟ ୩ହଜାର ୭୨୬ ନାଗରିକଙ୍କୁ ଫେରାଇ ଆଣିବାକୁ ଲକ୍ଷ୍ୟ ରହିଛି। ୮ଟି ବିମାନ ବୁକାରେଷ୍ଟରୁ, ୨ଟି ବିମାନ ସୁକିଆଭାରୁ, କୋସିକେରୁ ଗୋଟିଏ, ବୁଦାପେଷ୍ଟରୁ ୫ଟି ଓ ଜେସ୍ଜୋରୁ ୩ଟି ବିମାନ ଭାରତ ଫେରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ମାର୍ଚ୍ଚ ୧୦ ତାରିଖ ସୁଦ୍ଧା ଅପରେସନ ଗଙ୍ଗାରେ ୮୦ ବିମାନ ସାମିଲ ହେବ ବୋଲି କୁହାଯାଇଛି। ୟୁକ୍ରେନ ସ୍ଥିତି ବିଗିଡ଼ିବା ପରେ ଫେବୃଆରୀ ୨୬ ତାରିଖରୁ କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି ଅପରେସନ ଗଙ୍ଗା। ବର୍ତ୍ତମାନ ସୁଦ୍ଧା ୨୪ ଟି ବିମାନରେ ଫେରିଲେଣି ଭାରତୀୟ। ୧୭ହଜାର ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଲକ୍ଷ୍ୟ ରହିଛି।