କ୍ଷମତା ପାଇଁ ଆନ୍ନାଙ୍କୁ ବ୍ୟବହାର କରିଥିଲା ଆପ୍ : କିରେନ ରିଜିଜୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କ୍ଷମତା ହାସଲ କରିବା ପାଇଁ ଆନ୍ନା ହଜାରେଙ୍କୁ ବ୍ୟବହାର କରିଥିଲା ଆମ୍ ଆଦମୀ ପାର୍ଟି,  ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ । ଆଜି ଅବକାରୀ ନୀତି ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସିବିଆଇରେ ହାଜର ହୋଇଥିବାବେଳେ ଆଇନ ମନ୍ତ୍ରୀ ଏହି ଅଭିଯୋଗ ଆଣିଛନ୍ତି। କିରେନ୍ ରିଜିଜୁ ଟ୍ୱିଟ୍ କରିଛନ୍ତି ଯେହେତୁ ବର୍ତ୍ତମାନ ତାଙ୍କ ପାଖରେ କ୍ଷମତା ଅଛି, ମୁଁ ନିଶ୍ଚିତ ଯେ ସେ ଆଉ ଆନ୍ନାଜୀଙ୍କ କଥା ଶୁଣିବେ ନାହିଁ। ରିଜିଜୁ କହିଛନ୍ତି ଯେ ଦୁର୍ନୀତି ବିରୋଧରେ ଆନ୍ଦୋଳନ କେବଳ ଆନ୍ନାଜୀ ଏବଂ ଲୋକଙ୍କୁ ବୋକା ବନାଇବା ପାଇଁ ଥିଲା । ଆନ୍ନାଜୀଙ୍କୁ କେବଳ କ୍ଷମତା ପାଇବା ପାଇଁ ବ୍ୟବହାର କରାଯାଇଥିଲା ଏବଂ ଦୁର୍ନୀତି ନାମରେ ସମ୍ବଳ ଲୁଟ୍ ହୋଇଥିଲା | ରିଜିଜୁ ସୋସିଆଲ ମିଡିଆରେ ଆନ୍ନା ହଜାରେଙ୍କ ସହ ଏକ ସାକ୍ଷାତକାରର ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଆନ୍ନା ହଜାରେ ଦିଲ୍ଲୀର ଅବକାରୀ ନୀତିକୁ ସମାଲୋଚନା କରିଛନ୍ତି। ସୂଚନା ଥାଉ କି ଯେ ଏପ୍ରିଲ୍ ୫, ୨୦୧୧ରେ ସମାଜସେବୀ ଆନ୍ନା ହଜାରେ ଦୁର୍ନୀତି ବିରୋଧରେ ଦିଲ୍ଲୀରେ ଆମରଣ ଅନଶନ କରିଥିଲେ। ଦୁର୍ନୀତି ବିରୋଧରେ ଆନ୍ନା ହଜାରେଙ୍କ ଏହି ଅଭିଯାନରେ ଅରବିନ୍ଦ କେଜ୍ରିୱାଲ, ପ୍ରଶାନ୍ତ ଭୂଷଣ, ମନୀଷ ସିସୋଡିଆ ପ୍ରମୁଖ ଯୋଗ ଦେଇଥିଲେ। ଆନ୍ନା ହଜାରେଙ୍କ ଦାବି ଥିଲା ଯେ ଦୁର୍ନୀତିକୁ ରୋକିବା ପାଇଁ ଏକ ଦୃଢ ଲୋକପାଲ ଆଇନ ଆଣିବା ଉଚିତ୍। ଏହି ଆନ୍ଦୋଳନ ପରେ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଡିଆ ଏବଂ ଅନ୍ୟମାନେ ଆମ୍ ଆଦମୀ ପାର୍ଟି ଗଠନ କରିଥିଲେ | ଆଜି ଆପ ହେଉଛି ଜାତୀୟ ଦଳ ଏବଂ ଦିଲ୍ଲୀ ଏବଂ ପଞ୍ଜାବରେ ଏହି ଦଳର ସରକାର ଅଛି।

ଏପଟେ ଆଜି କେଜ୍ରିୱାଲଙ୍କ ବିରୋଧରେ ମାନହାନି ମାମଲା ରୁଜୁ କଲା ଗୁଜରାଟ ବିଶ୍ୱବିଦ୍ୟାଳୟ । ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିଛି। ଏହାରି ମଧ୍ୟରେ କେଜ୍ରିୱାଲଙ୍କୁ ଆଉ ଏକ ସମନ ଜାରି କରାଯାଇଛି। ଅହମଦାବାଦ କୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ୍ ନେତା ସଞ୍ଜୟ ସିଂଙ୍କୁ ମାନହାନି ମାମଲାରେ ସମନ ଜାରି କରିଛନ୍ତି। ଗୁଜରାଟ ବିଶ୍ୱବିଦ୍ୟାଳୟ ମାନହାନି ମାମଲା ରୁଜୁ କରିବା ପରେ କୋର୍ଟ ଏହି ସମନ ଜାରି କରିଛନ୍ତି।  ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଆଜି (ରବିବାର) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେରା କରିଛି । ଏହି ମାମଲାରେ କେଜ୍ରିୱାଲ ତଦନ୍ତକାରୀ ସଂସ୍ଥା ସିବିଆଇ, ଇଡି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବର୍ଷିଛନ୍ତି। କେଜ୍ରିୱାଲ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ତଦନ୍ତକାରୀ ଅଧିକାରୀମାନେ ତାଙ୍କ ସତ୍ୟପାଠରେ ମିଥ୍ୟା ତଥ୍ୟ ଉପସ୍ଥାପନ କରିଛନ୍ତି ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋ‌ଦିଆଙ୍କୁ ଭୁଲ୍‌ରେ ଏହି ମାମଲାରେ ଅଭିଯୁକ୍ତ ଦର୍ଶାଇଛନ୍ତି। ଇଡି ଏବଂ ସିବିଆଇ କୋର୍ଟଙ୍କୁ ଭୁଲ୍‌ ବାଟରେ ନେଉଛନ୍ତି। ଭୁଲ୍‌ ପ୍ରମାଣ ପ୍ରସ୍ତୁତ କରୁଥିବାରୁ ଉକ୍ତ ୨ ସଂସ୍ଥା ବିରୋଧରେ ଠିକ୍‌ ସମୟରେ ମାମଲା ରୁଜୁ ହେବ। ଦୁଇ ତଦନ୍ତକାରୀ ସଂସ୍ଥା ପ୍ରତିଦିନ କାହାକୁ ନା’ କାହାକୁ ଧରି ଧମକ ଦେଉଛନ୍ତି ଏବଂ ସେମାନଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଉଛନ୍ତି। ଇଡିର ୧୦୦ କୋଟି ଟଙ୍କାର ଲାଞ୍ଚ ଅଭିଯୋଗ ସଂକ୍ରାନ୍ତରେ କେଜ୍ରିୱାଲ କହିଛନ୍ତି, ୧୦୦ କୋଟି କୁଆଡ଼େ ଗଲା। ସବୁଠି ଚଢ଼ଉ ହେଲା। ମନୀଷ ସିସୋଦିଆଙ୍କ ଘରେ ତନ୍ନ ତନ୍ନ କରି ତଲାସୀ ହେଲା। କିନ୍ତୁ କିଛି ବି ମିଳିଲାନି ବୋଲି କେଜ୍ରିୱାଲ କହିଛନ୍ତି ।

Leave A Reply

Your email address will not be published.