ଏସୀୟ ଚାମ୍ପିଅନ୍ସ ଟ୍ରଫି: ଆଜି ଭାରତ-ପାକିସ୍ତାନ ମ୍ୟାଚ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବୁଧବାର ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫିର ସେମିଫାଇନାଲ୍‌ ସ୍ଥାନ ପକ୍କା କରିସାରିଥିବା ଭାରତ ଶେଷ ଲିଗ୍‌ ମ୍ୟାଚ୍‌ରେ ପାରମ୍ପରିକ ପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ। ଏହି ପ୍ରତିଯୋଗିତାରେ ୪ ମ୍ୟାଚ୍‌ ଖେଳି ଭାରତ ଅପରାଜେୟ ରହିବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଚୀନ୍‌କୁ ୭-୨, ମା‌ଲେସିଆକୁ ୫-୦ ଏବଂ କୋରିଆକୁ ୩-୨ରେ ହରାଇଥିବା ଭାରତ କେବଳ ଜାପାନ (୧-୧)ସହ ଡ୍ର ରଖିଥିଲା। ଏହି ଧାରା ଜାରି ରଖି ଦୃଢ଼ ମନୋବଳ ସହ ସେମିଫାଇନାଲ୍‌ ଖେଳିବାକୁ ଭାରତ ଚାହିବ। ତେଣୁ ପାକିସ୍ତାନ ବିପକ୍ଷରେ ଜିତିବାକୁ ପୂରା ଚେଷ୍ଟା କରିବ ଆୟୋଜକ ଦଳ। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଗୋଟିଏ ବିଜୟ ଚୀନ୍‌ ବିପକ୍ଷରେ ପାଇଥିଲା ବେଳେ ମାଲେସିଆଠୁ ହାରିଛି ଏବଂ ଜାପାନ ଓ କୋରିଆ ସହ ଡ୍ର ରଖି ପଏଣ୍ଟ ବାଣ୍ଟିଥିଲା। ଫଳରେ ୫ ପଏଣ୍ଟ ପାଇ‌ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିବା ପାକିସ୍ତାନ ସେମିଫାଇନାଲ୍‌ ଆଶା ଉଜ୍ଜୀବିତ ରଖିଛି। ମାଲେସିଆ (୯) ସେମିଫାଇନାଲ୍‌ ପହଞ୍ଚିଥିଲା ବେଳେ କୋରିଆ (୫) ତୃତୀୟ, ଜାପାନ (୨) ପଞ୍ଚମ ଓ ଚୀନ୍‌ (୧) ଷଷ୍ଠରେ ରହିଛନ୍ତି।

୩ ଥରର ବିଜେତା ଭାରତ ସଂପ୍ରତି ବିଶ୍ବ ମାନ୍ୟତାରେ ଚତୁର୍ଥ ସ୍ଥାନରେ ରହିଛି। ଦୁଇ ଥରର ବିଜେତା ପାକିସ୍ତାନ ୧୬ତମ ସ୍ଥାନରେ ରହିଛି। ମାନ୍ୟତା ଯାହା ବି ଥାଉ ଏହି ଦୁଇ ଦଳର ମ୍ୟାଚ୍‌ ଉପରେ ବିଶ୍ବର ନଜର ଥାଏ। ତେଣୁ ଉଭୟ ଦଳର ଖେଳାଳିମାନେ ପୂରା ଚା‌ପରେ ରହିଥା’ନ୍ତି। ଯେଉଁ ଦଳ ମ୍ୟାଚ୍‌ ‌ବେଳେ ଚାପକୁ ସଠିକ ମୁକାବିଲା କରିପାରିଲା ତା’ର ବିଜୟ ସମ୍ଭାବନା ରହିଥାଏ। ଏହି ଚାପଗ୍ରସ୍ତ ମ୍ୟାଚ୍‌ ପୂର୍ବରୁ ଉଭୟ ଦଳଙ୍କୁ ବିଶ୍ରାମ ମିଳିଛି। ତଥାପି ଘରୋଇ ଦର୍ଶକଙ୍କ ସମ୍ମୁଖରେ ଖେଳୁଥିବାରୁ ଭାରତ ପଲା ଭାରି ରହିବ। ହର୍ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଦଳ ଆକ୍ରମଣାତ୍ମକ ହକି ଖେଳୁଛି ସତ କିନ୍ତୁ ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିବାରେ ବିଫଳ ହେଉଛି।

Leave A Reply

Your email address will not be published.