ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଆଜି ରାୟ ଶୁଣାଇଛନ୍ତି ହାଇକୋର୍ଟ। ୬ ସପ୍ତାହ ମଧ୍ୟରେ ପୂର୍ବରୁ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଓପିଏସସିକୁ ଦେଇଛନ୍ତି ନିର୍ଦ୍ଦେଶ। ମେ ୧୯ ରେ ହାଇକୋର୍ଟ ଦେଇଥିବା ଏହି ରାୟ ଦୁଇ ମାସ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ରହିଥିଲା । ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ବିଳମ୍ବ ହେଉଥିବା ଦର୍ଶାଇ ହାଇକୋର୍ଟରେ ଓପିଏସସି ବିରୁଦ୍ଧରେ ଅଦାଲତ ଅବମାନନା ମାମଲା କରିଥିଲେ କିଛି ପରୀକ୍ଷାର୍ଥୀ। ଆଉ ଏହାକୁ ନେଇ ହାଇକୋର୍ଟ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବାସ୍ତବରେ ମେ ୧୯ରେ ଏଏସଓ ନିଯୁକ୍ତି ନେଇ ଓପିଏସସିର ମେରିଟ୍ ଲିଷ୍ଟକୁ ଖାରଜ କରିଥିଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ। ଆଗାମୀ ୨ ମାସ ମଧ୍ୟରେ ସାନି ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଓପିଏସସି ଏହା କରିନଥିଲା। ଏହାକୁ ଚ୍ୟାଲେଞ୍ଜ କରି କିଛି ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଲ୍ଲେଖ ଥାଉ କି ଗତ ଅଗଷ୍ଟ ମାସରେ ୭୯୬ଟି ଏଏସଓ ପଦବି ଲାଗି ଓପିଏସସି ପକ୍ଷରୁ ପରୀକ୍ଷା କରାଯାଇଥିଲା। ତେବେ ବିବାଦରେ ରହିଥିବା
ଏଏସ୍ଓ ପରୀକ୍ଷାକୁ ନେଇ କେତେକ ପ୍ରାର୍ଥୀ ଧାରଣା ଦେଇଥିଲେ। ହାଇକୋର୍ଟଙ୍କ ନଭେମ୍ବର ୧୪ର ରାୟ ଅନୁସାରେ ଓପିଏ୍ସି ଲିଖିତ ପରୀକ୍ଷାଫଳ ପ୍ରକାଶ କରିଥିଲା। କିନ୍ତୁ ଏହା ପରେ ମଧ୍ୟ ଏଏସ୍ଓ ନିଯୁକ୍ତି ପ୍ରକ୍ରିୟାର ବିବାଦ ପିଛା ଛାଡ଼ି ନଥିଲା। ଏଏସ୍ଓ ପରୀକ୍ଷାରେ ନିୟମ ଉଲ୍ଲଂଘନ ହୋଇଛି। ନିୟମ ଅନୁସାରେ ମେଧା ତାଲିକା ପ୍ରସ୍ତୁତ କରାଯାଇ ନାହିଁ ବୋଲି ଅଭିଯୋଗ ହୋଇଥିଲା। ବିଷୟଭିତ୍ତିକ ସର୍ବନିମ୍ନ ନମ୍ବର ନିୟମ ଲାଗୁ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ପ୍ରାର୍ଥୀ ବିଭିନ୍ନ ବିଷୟରେ ରଖି ଥିବା ସର୍ବମୋଟ ନମ୍ବରକୁ ନେଇ ମେଧା ତାଲିକା ପ୍ରକାଶ କରାଯିବା କଥା। ଏପରି ନିୟମ ୨୦୧୮-୧୯ରେ ଅନୁଷ୍ଠିତ ନିଯୁକ୍ତି ପରୀକ୍ଷାରେ ମଧ୍ୟ ଲାଗୁ କରାଯାଇଥିଲା। କିନ୍ତୁ ଏଥର ନୂଆ ନିୟମ ଲାଗୁ କରି ଲିଖିତ ପରୀକ୍ଷାଫଳ ପ୍ରକାଶ କରାଯାଇଥିଲା।