ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆହୁରି ଉଗ୍ର ହୋଇଛି ମଣିପୁରରେ ହିଂସା । ମୈତେଇ ସମ୍ପ୍ରଦାୟର ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ରାଜ୍ୟରେ ପୁଣି ନିଆଁ ଜଳିଛି। ଏଥିରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ବାସଭବନ ବି ତ୍ରାହୀ ପାଇ ନାହିଁ। ଗୁରୁବାର(ସେପ୍ଟେମ୍ବର ୨୮) ଆନ୍ଦୋଳନକାରୀମାନେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ବାସଭବନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଛନ୍ତି। ଏହି ସମୟରେ ସୁରକ୍ଷାକର୍ମୀ ଓ ଆନ୍ଦୋଳନାକାରୀମଙ୍କ ମଧ୍ୟରେ ଲଢ଼େଇ ହୋଇଛି। ମୈତେଇ କମ୍ୟୁନିଟରୁ ୨ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ଆନ୍ଦୋଳନକାରୀମାନେ ଆନ୍ଦୋଳନକୁ ତୀବ୍ର କରିଛନ୍ତି।
ଗତ ମଙ୍ଗଳବାର ଠାରୁ ଛାତ୍ର ଆନ୍ଦୋଳନ ଜାରି ରହିଛି। ଆଜି ଆନ୍ଦୋଳନାକାରୀମାନେ ପୂର୍ବ ଇମ୍ଫାଲ୍ରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହଙ୍କ ପୈତୃକ ଘର ଆଡ଼କୁ ମାଡିଯାଇଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ସେମାନଙ୍କୁ ଅଟକାଇବାରୁ ଉଭୟଙ୍କ ମଧ୍ୟରେ ତୀବ୍ର ଲଢ଼େଇ ହୋଇଥିଲା। ଆନ୍ଦୋଳନକାରୀମାନେ ବିରେନ ସିଂହଙ୍କ ପୈତୃକ ଘର ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ। ହେଲେ ମୁଖ୍ୟମନ୍ତ୍ରୀଙ୍କ ଘର ଠାରୁ ୧୦୦ ମିଟର ଦୂରରୁ ଆନ୍ଦୋଳନକାରୀଙ୍କୁ ଅଟକାଇଥିଲେ ସୁରକ୍ଷାକର୍ମୀ। ଫଳରେ ଉଭୟଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଆନ୍ଦୋଳନାକାରୀଙ୍କ ଉଦ୍ୟମ ପଣ୍ଡ ହୋଇଥିଲା ବୋଲି ମଣିପୁର ପୁଲିସ ସୂଚନା ଦେଇଛି।