ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀ ପାଇପାରିବେ ଶିକ୍ଷକ ଭାବେ ନିଯୁକ୍ତି: ହାଇକୋର୍ଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏଣିକି ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀ (କମର୍ସ ଗ୍ରାଜୁଏଟ୍‌)ମାନେ ଶିକ୍ଷକ ଭାବେ ନିଯୁକ୍ତି ପାଇ ପାରିବେ । ଏନେଇ  ହାଇକୋର୍ଟର ସିଙ୍ଗଲ୍‌ ଜଜ୍‌ ଦେଇଥିବା ଆଦେଶକୁ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଏବଂ ବିଚାରପତି ଜଷ୍ଟିସ୍‌ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ କାଏମ୍‌ ରଖିଛନ୍ତି । ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀମାନେ ପଢିଥିବା ଇଂରାଜୀ ଏବଂ ଅର୍ଥନୀତି ବିଷୟ ସ୍କୁଲ୍‌ ପାଠ ହିସାବରେ ଗ୍ରହଣ କରାଯିବ । ସେହି ଆଧାରରେ ବାଣିଜ୍ୟ ସ୍ନାତକଙ୍କୁ ଶିକ୍ଷକତା ଚାକିରିରେ ନିଯୁକ୍ତି ଦିଆଯାଇ ପାରିବ ବୋଲି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଞ୍ଜୀବ କୁମାର ପାଣିଗ୍ରାହୀ ୨୦୨୨ ଜୁନ୍‌ ୬ରେ ଦେଇଥିଲେ । ଏହି ଆଦେଶ ବିରୋଧରେ ରାଜ୍ୟ ସରକାର ହାଇକୋର୍ଟକୁ ରିଟ୍‌ ଅପିଲ୍‌ରେ ଆସିଥିଲେ । ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କ ଏହି ଅପିଲ୍‌ ପିଟିସନ୍‌କୁ ଖାରଜ କରିଦେବା ସହ ପୂର୍ବ ଆଦେଶକୁ କାଏମ୍‌ ରଖିଛନ୍ତି। ଅପରପକ୍ଷରେ ଏହି ମାମଲାର ଶୁଣାଣିବେଳେ ବିଜ୍ଞାନର ଜୀବ ବିଜ୍ଞାନ (ଜୁଲୋଜି) ଏବଂ ଉଦ୍ଭିଦ ବିଜ୍ଞାନ(ବଟ୍‌ନି) ଛାତ୍ରଛାତ୍ରୀମାନେ ଟ୍ରେନ୍‌ଡ୍‌ ଗ୍ରାଜୁଏଟ୍‌ ଟିଚର(ଟିଜିଟି) ପଦ ଲାଗି ଆବେଦନ କରିପାରୁନଥିବାରୁ ସେମାନେ ପକ୍ଷଭୁକ୍ତ ହେବାଲାଗି ଆବେଦନ କରିଥିଲେ । ଯେହେତୁ ଜୀବ ବିଜ୍ଞାନ ଏବଂ ଉଦ୍ଭିଦ ବିଜ୍ଞାନ ‘ଜୀବ ବିଜ୍ଞାନ’ ପର୍ଯ୍ୟାୟଭୁକ୍ତ ତେଣୁ ସିବିଜେଡ୍‌ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନେ ମଧ୍ୟ ଟିଜିଟି ଶିକ୍ଷକ ପଦ ପାଇଁ ଆବେଦନ କରିପାରିବେ ବୋଲି ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ।

ମାମଲାର ବିବରଣୀ ଅନୁସାରେ, ୨୦୨୧ ମସିହାରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ କଣ୍ଟ୍ରାକ୍‌ଚୁଆଲ ଟ୍ରେନ୍‌ଡ୍‌ ଗ୍ରାଜୁଏଟ୍‌ ଟିଚର୍‌ (ଟିଜିଟି) ଏବଂ ତେଲୁଗ୍‌ ଟିଚର୍‌ ପଦ ପୂରଣ ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଆଧାରରେ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ୨୦୨୧ ଅଗଷ୍ଟ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ଆଧାରରେ ଆବେଦନକାରୀମାନେ ଏହି ପଦବି ପାଇଁ ଆବେଦନ କରିଥିଲେ । ତେବେ ବାଣିଜ୍ୟ ଡିଗ୍ରୀ ପାଠ୍ୟକ୍ରମରେ କୌଣସି ଦୁଇଟି ସ୍କୁଲ୍‌ ବିଷୟ ନଥିବା କାରଣ ଦର୍ଶାଇ ଆବେଦନକାରୀମାନଙ୍କୁ ମେରିଟ୍‌ ଲିଷ୍ଟରୁ ବାଦ୍‌ ଦିଆଯାଇଥିବା କୁହାଯାଇଥିଲା । ଏହାକୁ ଚାଲେଜ୍ଞ କରି ବାଣିଜ୍ୟ ସ୍ନାତକ ଡିଗ୍ରୀଧାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଗତବର୍ଷ ହାଇକୋର୍ଟ ରାୟ ଦେବା ସହ ଆବେଦନକାରୀମାନେ ଏହି ପଦବି ପାଇଁ ଆବେଦନ କରିପାରିବେ ବୋଲି ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ଆଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟକୁ ଆସିଥିଲେ ରାଜ୍ୟ ସରକାର।

Leave A Reply

Your email address will not be published.