ଅନୁଭବ ମହାନ୍ତିଙ୍କ ଜେରା ପାଇଁ ଫ୍ୟାମିଲ କୋର୍ଟରେ ବର୍ଷାଙ୍କ ମାମଲା, ଅଗଷ୍ଟ ୧୬ରେ ପରବର୍ତ୍ତୀ ଶୁଣାଣି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଜେରା ପାଇଁ ଅନୁମତି ଲୋଡ଼ି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାଖଲ ପିଟିସନର ଆଜି କଟକ ପରିବାର ଅଦାଲତରେ ପୂର୍ଣ୍ଣାଙ୍ଗ ଶୁଣାଣି ହୋଇଛି। ଅଦାଲତ ଏହି ପିଟିସନ ଉପରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି। ଅଗଷ୍ଟ ୧୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଅଧା ରହିଥିବା ବେଳେ ଜୁଲାଇ ୧୧ରେ ତାଙ୍କୁ ଜେରା କରିବା ପାଇଁ ବର୍ଷାଙ୍କ ତରଫରୁ କେହି ଅଦାଲତରେ ଉପସ୍ଥିତ ନଥିଲେ। ଅନ୍ୟପକ୍ଷରେ ଅଦାଲତରେ ଅନୁଭବଙ୍କ ତରଫରୁ ଆଉ କେହି ସାକ୍ଷୀ ଦେବେ ନାହିଁ ବୋଲି ଦର୍ଶାଇ ଏକ ମେମୋ ଦାଖଲ କରାଯାଇଥିଲା। ଜୁଲାଇ ୧୧ରେ ପରିବାର ଅତାଲତ ମାମଲାର ଶୁଣାଣି କରି ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ସମାପ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ ବର୍ଷାଙ୍କ ତରଫରୁ ଏହି ନିର୍ଦ୍ଦେଶ ପ୍ରତ୍ୟାହାର ତଥା ଅନୁଭବଙ୍କୁ ଅଧିକ ଜେରା ପାଇଁ ଅନୁମତି ଲୋଡ଼ି ପିଟିସନ
ଦାଖଲ କରାଯାଇଥିଲା। ଏହି ପିଟିସନ ଉପରେ ଆଜି ଶୁଣାଣି ହୋଇଥିଲା। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ଛାଡ଼ପତ୍ର ପାଇଁ ୨୦୨୦ରେ ଦାଖଲ କରିଥିବା ଆବେଦନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇ ଆସିଥିଲା। ୨୦୨୧, ଏପ୍ରିଲ ୫ରେ ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ଅଦାଲତରେ ମଧ୍ୟସ୍ଥତା ପ୍ରକ୍ରିୟାରୁ କୌଣସି ସୁଫଳ ମିଳି ପାରି ନଥିଲା। ଏହାପରେ ମାମଲାରେ ସାକ୍ଷ୍ୟ ଗ୍ରହଣ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଥିଲେ।

Leave A Reply

Your email address will not be published.