ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଧାନସଭା ନିର୍ବାଚନ ଫଳାଫଳ ଘୋଷଣା ହେବାର ୯ଦିନ ପରେ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ରେ ବିଜେପିର ମୁଖ୍ୟମନ୍ତ୍ରୀ ଚୟନ ପ୍ରକ୍ରିୟା ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ପଦ ଲାଗି ଯେଉଁ ବରିଷ୍ଠ ନେତା ମାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିଲା ସେମାନଙ୍କୁ ବିଜେପି ହାଇକମାଣ୍ଡ ଆଦୌ ବିଚାରକୁ ନେଇ ନାହାଁନ୍ତି । ଅନ୍ୟପକ୍ଷରେ ଯେଉଁମାନେ ଆଦୌ ଚର୍ଚ୍ଚାରେ ନଥିଲେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ କରାଇ ବିଜେପି ସମସ୍ତଙ୍କୁ ଏକରକମ ଝଟକା ଦେଇଛି। ଯାହାଫଳରେ ବିଜେପିର ଏମିତି ସରପ୍ରାଇଜ ସମସ୍ତଙ୍କୁ ବିସ୍ମୟ କରିଛି । ଛତିଶଗଡ଼ ଓ ମଧ୍ୟ ପ୍ରଦେଶରେ ଏଭଳି ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଛି, ଯେଉଁମାନେ ମନ୍ତ୍ରୀ ଥିଲେ । କିନ୍ତୁ ରାଜସ୍ଥାନରେ ଏଭଳି ଜଣେ ନେତାଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ଯିଏ ପ୍ରଥମ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ବିଧାୟକ ଦଳ ବୈଠକରେ ବସୁନ୍ଧରା ରାଜେ ପ୍ରସ୍ତାବ କରିବେ । ଏଥିରେ ବସୁନ୍ଧରା ହୁଏତ ତାଙ୍କ ନାମ ଥାଇପାରେ ବୋଲି ବେଶ ଆଶାୟୀ ଥିଲେ, ହେଲେ ଚିଠା ଖୋଲି ଯାହାଙ୍କ ନାମ ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇ ରାଜନାଥଙ୍କ ଆଡକୁ ଚାହିଁଲେ। ତେବେ ରାଜନାଥ ତାଙ୍କୁ ନାମ ଘୋଷଣା କରିଦେବାକୁ ଇସାରା କଲେ ଓ ବସୁନ୍ଧରା ଭଜନଲାଲଙ୍କ ନାମ ଘୋଷଣା କରିବାମାତ୍ରେ ବିଧାୟକ ଦଳ ନେତା ନିମନ୍ତେ ତାଙ୍କ ନାମକୁ ସର୍ବସମ୍ମତ ସ୍ୱୀକୃତି ମିଳିଲା। ଏହି ଭିଡିଓଟି ଏବେ ରାଜସ୍ଥାନରେ ଭାଇରାଲ ହେଉଥିବା ବେଳେ ବସୁନ୍ଧରା ହତାସ ହୋଇପଡିଛନ୍ତି।
ବିଧାୟକ ଦଳ ବୈଠକ ପୂର୍ବରୁ ବସୁନ୍ଧରାଙ୍କ ସହ ରାଜନାଥ ଅଲଗା ଭେଟିଥିଲେ। ବେଶ୍ କିଛି ସମୟ କଥାବାର୍ତ୍ତା ବି ହୋଇଥିଲେ। ତେବେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସସପେନ୍ସ ଜାରି ଥିଲା ଓ ଛତିଶଗଡ, ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ବିଜେପି ଚୁପାଚାପ ନିଜ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଚୟନ କରିଛି। ବିଧାୟକ ଦଳ ବୈଠକରେ ବସୁନ୍ଧରା ରାଜେଙ୍କୁ କେବଳ ପ୍ରାର୍ଥୀଙ୍କ ନାମ ପ୍ରସ୍ତାବ କରିବାର ଥିଲା। ଏଥି ପାଇଁ ରାଜେ ତାଙ୍କ ନାମ ନିଶ୍ଚିତ ବୋଲି ଧରି ନେଇଥିଲେ ଓ ଚିଠା ଖୋଲିବା ବେଳକୁ ଅନ୍ୟନାମ ଦେଖି ହତବାକ ହୋଇ ରାଜନାଥଙ୍କ ଅନାଇଥିଲେ।କୁହାଯାଉଛି ମୁଖ୍ୟମନ୍ତ୍ରୀ ପଦ ନିମନ୍ତେ ନିଜର ଦାବିଦାରି ମଜଭୁତ କରିବା ପାଇଁ ରାଜେ ସବୁମନ୍ତେ ଉଦ୍ୟମ କରିଥିଲେ।
ତେବେ ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ବାଲକନାଥ, ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସମେତ ପାଖପାଖି ୬ ଜଣ ନେତା ଚର୍ଚ୍ଚାରେ ଥିଲେ। ତେବେ ବାଜି ଭଜନଲାଲ ଜିତିଛନ୍ତି। ଭଜନଲାଲ ପ୍ରଥମ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ତାଙ୍କ ବିଜୟ ଯେପରି ସୁନିଶ୍ଚିତ ହେବ ସେଥି ପାଇଁ ସୁରକ୍ଷିତ ଆସନ ବ୍ୟବସ୍ଥା ମଧ୍ୟ ପାର୍ଟି କରିଥିଲା। ତେବେ ସେ ମୁଖ୍ୟମନ୍ତ୍ରୀ ହେବେ ଦଳରେ କେହି କଳ୍ପନା ମଧ୍ୟ କରି ନଥିଲେ। ବିଧାୟକ ଦଳ ବୈଠକ ପୂର୍ବରୁ ଫଟୋସେସନର ୪ ନମ୍ବର ଧାଡିରେ ଥିବା ଭଜନଲାଲଙ୍କ ନାମ ରାଜେ ଯେମିତି ପଢିଛନ୍ତି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।