ଆଇସିସିଠୁ ରାଜସ୍ବ ୭୨ ପ୍ରତିଶତ ବୃଦ୍ଧି କଲା ବିସିସିଆଇ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଇସିସି ଠୁ ବିସିସିଆଇକୁ ମିଳିବାକୁ ଥିବା ରାଜସ୍ବରେ ୭୨ ପ୍ରତିଶତ ବୃଦ୍ଧି ହୋଇଛି। ଆଇସିସିର ନୂଆ ବିତ୍ତୀୟ ମଡେଲ୍‌ ଅନୁସାରେ ୨୦୨୪-୨୭ ବର୍ଷ ମଧ୍ୟରେ ବର୍ଷକୁ ୬୦୦ ମିଲିଅନ୍‌ ଡଲାରରୁ ବିସିସିଆଇ ୩୮.୫ ପ୍ରତିଶତ ଅର୍ଥ ରାଜସ୍ବ ପାଇବ। ଏହି ମଡେଲ୍‌କୁ ଶୁକ୍ରବାର ଡର୍ବାନ୍‌ରେ ବସିଥିବା ଆଇସିସି ପରିଚାଳନା ପରିଷଦର ବାର୍ଷିକ ବୈଠକରେ ଅନୁମୋଦନ ମିଳିଥିବା ବିସିସିଆଇ ସମ୍ପାଦକ ଜୟ ଶାହ ସମସ୍ତ ରାଜ୍ୟ ସଂଘ ସଦସ୍ୟଗୁଡିକୁ ଜଣାଇଛନ୍ତି। ଆଇସିସିର ନୂଆ ଅନୁଦାନ ବିତରଣ ମଡେଲ୍‌ ଅନୁସାରେ ପରବର୍ତ୍ତୀ ୪ ବ୍ୟାବସାୟିକ ବର୍ଷରେ ବିସିସିଆଇ ବର୍ଷକୁ ୨୩୦ ମିଲିଅନ୍‌ ଡଲାର ଆୟ କରିବ।

ଯାହାକି ଆଇସିସିର ମୋଟ ଅନୁଦାନର ୪୦ ପ୍ରତିଶତ ବୋଲି କୁହାଯାଇଛି। ଜୟଙ୍କ ସୂଚନା ଅନୁସାରେ, ପୂର୍ବ ବ୍ୟାବସାୟିକ ବର୍ଷଗୁଡ଼ିକରେ ବିସିସିଆଇକୁ ୨୨.୪ ପ୍ରତିଶତ ରାଜସ୍ବ ମିଳୁଥିଲା। କିନ୍ତୁ ଏବେ ତାହା ୩୮.୫ ପ୍ରତିଶତକୁ ବୃଦ୍ଧି ପାଇଛି। ତେଣୁ ବିସିସିଆଇର ଅଂଶୀଦାରରେ ଏହା ବଡ଼ ଧରଣର ଅଭିବୃଦ୍ଧି ବୋଲି କୁହାଯାଇଛି। ଏହା ପ୍ରତ୍ୟେକ ସଦସ୍ୟ ସଂଘଙ୍କର ନିରନ୍ତର ଉଦ୍ୟମ ଓ ଅବଦାନକୁ ଦର୍ଶାଉଥିବା ସେ କହିଛନ୍ତି। ଏଥିସହିତ ଆଇସିସି ସଦସ୍ୟ ରାଷ୍ଟ୍ରଙ୍କ ସହିତ ଆମର ମଜବୁତ୍‌ କୂଟନୈତିକ ଓ କୌଶଳପୂର୍ଣ୍ଣ ସହଭାଗୀତା ଯୋଗୁଁ ଭାରତ ବଡ଼ଧରଣର ଅଂଶ ପାଇପାରିଛି। ବିଶ୍ବ କ୍ରିକେଟ୍‌ରେ ଭାରତର ନାମକୁ ଉଚ୍ଚ କରିବା ସହ କ୍ରିକେଟ୍‌ର ହୃଦ୍‌ସ୍ପନ୍ଦନ ଭାରତରେ ହିଁ ରହିଥିବା ଏହା ସୂଚାଉଛି। ଆଇସିସିର ଆୟରୁ ଭାରତ ପାଇବାକୁ ଥିବା ଅଂଶରୁ କିଛି ଭାଗ ବିଶ୍ବ କ୍ରିକେଟ୍‌ର ଉନ୍ନତି ପାଇଁ ବିନିଯୋଗ କରାଯିବ ବୋଲି କୁହାଯାଇଛି।

Leave A Reply

Your email address will not be published.