ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରୋମାଞ୍ଚକ ଭାବେ ଶେଷ ହୋଇଛି ଐତିହାସିକ ଲର୍ଡସ ପଡ଼ିଆରେ ରବିବାର ଆସେସ୍ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍। ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ବିସ୍ଫୋରକ ଶତକ ହାସଲ କରିଥିଲେ ମଧ୍ୟ ଏହା ବିଜୟରେ ଲାଗି ପାରିନାହିଁ। ଅପ୍ରତ୍ୟାଶିତ ବିଜୟ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ମଧ୍ୟ ଷ୍ଟୋକ୍ସଙ୍କ ପାଳି ୧୫୫ ରନ୍ ଏବଂ ଇଂଲଣ୍ଡର ଦ୍ବିତୀୟ ପାଳି ୩୨୭ ରନ୍ରେ ସୀମିତ ହୋଇଯାଇଥିଲା। ଫଳରେ ଇଂଲଣ୍ଡ ୪୩ ରନ୍ରେ ମ୍ୟାଚ୍ ହାରିଥିଲା ଏବଂ ଅଷ୍ଟ୍ରେଲିଆ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଆଗୁଆ ହୋଇଯାଇଛି। ଗୁରୁବାରଠାରୁ ହେଡିଙ୍ଗଲେରେ ତୃତୀୟ ଟେଷ୍ଟ୍ ଆରମ୍ଭ ହେବ। ରବିବାର ମ୍ୟାଚ୍ ଆରମ୍ଭ ବେଳକୁ ଇଂଲଣ୍ଡକୁ ଆଉ ୨୫୨ ରନ୍ ଆବଶ୍ୟକ ଥିବାବେଳେ ହାତରେ ଥିଲା ୬ ୱିକେଟ୍। ୧୧୪/୪ରୁ ଖେଳ ଆରମ୍ଭ କରି ଘରୋଇ ଦଳ ମଧ୍ୟାହ୍ନ ଭୋଜନ ବେଳକୁ ୨୪୩/୬ରେ ପହଞ୍ଚିଯାଇଥିଲା। ବିରତି ପୂର୍ବର ଦ୍ବିତୀୟ ଶେଷ ଓଭରରେ ବେନ୍ ଷ୍ଟୋକ୍ସ ଆଶ୍ଚର୍ଯ୍ୟଜନକ ଭାବେ ଲଗାତାର ୩ ଛକା ମାରି ଷ୍ଟାଇଲ୍ରେ ଶତକ ପୂର୍ଣ୍ଣ କରିବା ସହ ଅଷ୍ଟ୍ରେଲିଆକୁ ଧମକାଇଥିଲେ। ବିରତି ପରେ ମଧ୍ୟ ସେ ଅନୁରୂପ ଆକ୍ରମଣ ଜାରି ରଖିଥିଲେ।
ଷ୍ଟୁଆର୍ଟ ବ୍ରଡଙ୍କୁ ସାଥି କରି ସପ୍ତମ ୱିକେଟ୍ ପାଇଁ ୧୦୮ ରନ୍ ଯୋଡ଼ିବା ପରେ ଜୋସ୍ ହାଜେଲଉଡ୍ଙ୍କ ବୋଲିଂରେ ଷ୍ଟୋକ୍ସ ୱିକେଟରକ୍ଷକ ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ଦେଇ ଫେରିଥିଲେ। ସେତେବେଳେ ଇଂଲଣ୍ଡକୁ ଆଉ ୭୦ ରନ୍ ଆବଶ୍ୟକ ଥିଲା। ଷ୍ଟୋକ୍ସଙ୍କୁ କିନ୍ତୁ ପିଛା କରି ଓଲି ରବିନସନ୍, ଷ୍ଟୁଆର୍ଟ ବ୍ରଡ୍ ଓ ଜୋସ୍ ଟଙ୍ଗ୍ ବିଦାୟ ନେଇଯିବାରୁ ଇଂଲଣ୍ଡର ଅପ୍ରତ୍ୟାଶିତ ବିଜୟ ଆଶାରେ ପାଣି ଭରି ଯାଇଥିଲା। ୩୦୦ ମିନିଟ୍ ବ୍ୟାଟିଂ କରିଥିବା ଷ୍ଟୋକ୍ସଙ୍କ ୨୧୪ ବଲ୍ ୧୫୫ ରନ୍ ପାଳିରେ ୯ ଲେଖାଏଁ ଚୌକା ଓ ଛକା ସାମିଲ ଥିଲା। ନାଥନ୍ ଲାୟନଙ୍କ ଅନୁପସ୍ଥିତିରେ କଙ୍ଗାରୁ ଦଳର ପେସ୍ ବାହିନୀ ମିଚେଲ ଷ୍ଟାର୍କ, ପ୍ୟାଟ୍ କମିନ୍ସ, ଜୋସ୍ ହାଜେଲଉଡ୍, କାମେରୁନ୍ ଗ୍ରିନ୍ ସମସ୍ତ ୧୦ ୱିକେଟ୍ ବାଣ୍ଟି ନେଇଥିଲେ। କିନ୍ତୁ ଉଭୟ ପାଳିରେ ନିର୍ଣ୍ଣାୟକ ହୋଇଥିବା ଷ୍ଟିଭେନ୍ ସ୍ମିଥ୍ (୧୧୦ ଓ ୩୪) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ବେନ୍ ଷ୍ଟୋକ୍ସଙ୍କ ଶତକୀୟ ପାଳି ସହିତ ରବିବାର ଅନ୍ତିମ ଦିବସରେ ଅନେକ ରୋମାଞ୍ଚକ ମୁହୂର୍ତ ଦେଖିବାକୁ ମିଳିଥିଲା। ଜନି ବେୟାରଷ୍ଟୋ ବିବାଦୀୟ (ଖେଳ ଭାବନା ବିରୋଧୀ) ଭାବେ ଷ୍ଟମ୍ପିଂ ହୋଇଥିଲେ। ବଲ୍ ଡେଡ୍ ଭାବି ସେ ଆଗକୁ ବଢ଼ିଯାଇଥିବାବେଳେ କ୍ୟାରି ଥ୍ରୋ କରି ତାଙ୍କୁ ଷ୍ଟମ୍ପିଂ କରିଥିଲେ।