ଓଡ଼ିଆ ନ୍ୟୁଜ୍: ମାଇକେଲ କିଣ୍ଡୋ ମେମୋରିଆଲ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ଭୁବନେଶ୍ୱର ହକି କ୍ଲବ ଟ୍ରଷ୍ଟ (BHCT)। ୨୫ ରୁ ୨୭ ଏପ୍ରିଲ୍ ୨୦୨୫ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆଦିବାସୀ ହକି କିମ୍ବଦନ୍ତୀ ମାଇକେଲ୍ କିଣ୍ଡୋଙ୍କ ସ୍ମୃତିରେ ଯୁବ (୧୯ ବର୍ଷରୁ କମ୍) ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ନେଇ ଆଜି ଘୋଷଣା କରିଛି BHCT। କିଣ୍ଡୋ ୧୯୭୫ ମସିହାରେ ମାଲେସିଆର କୁଆଲାଲମ୍ପୁରରେ ପ୍ରଥମ ଏବଂ ଏକମାତ୍ର ବିଶ୍ୱକପ୍ ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଥିଲେ। ଝାଡ଼ଖଣ୍ଡର ସିମଡେଗାରେ ଜନ୍ମଗ୍ରହଣ କରିଥିବା କିଣ୍ଡୋ ୧୯୭୭ ମସିହାରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଯୋଗଦେବା ପରେ ୧୯୭୮ ରୁ ୧୯୮୦ ପର୍ଯ୍ୟନ୍ତ ସିନିୟର ଜାତୀୟ ଚାମ୍ପିଅନସିପରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରିଥିଲେ। ସେ ୧୯୭୨ ମ୍ୟୁନିଚ୍ ଅଲିମ୍ପିକ୍ ଗେମ୍ସରେ କାଂସ୍ୟ ପଦକ, ୧୯୭୩ ଆମଷ୍ଟରଡାମ ବିଶ୍ୱକପରେ ରୌପ୍ୟ, ୧୯୭୧ ବାର୍ସିଲୋନା ବିଶ୍ୱକପରେ କାଂସ୍ୟ ଏବଂ ୧୯୭୪ ତେହେରାନ ଏସୀୟ ଗେମ୍ସରେ ରୌପ୍ୟ ପଦକ ଜିତିଥିବା ଭାରତୀୟ ଦଳର ମଧ୍ୟ ଅଂଶ ଥିଲେ।
“ପ୍ରଥମ ମାଇକେଲ କିଣ୍ଡୋ ସ୍ମାରକୀ ଯୁବ ହକି ପ୍ରତିଯୋଗିତା ହକି ଆସୋସିଏସନ ଅଫ୍ ଓଡ଼ିଶା (HAO) ଏବଂ ଓଡ଼ିଶା ସରକାରଙ୍କ ସହଯୋଗରେ ଆୟୋଜିତ ହେବ। ହକି ଇଣ୍ଡିଆ ଏବଂ HOA ସଭାପତି ଦିଲୀପ ତିର୍କୀଙ୍କ ପରାମର୍ଶ ଅନୁଯାୟୀ, ଆମେ ତୃଣମୂଳ ସ୍ତରରେ ହକିକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ପ୍ରତିଯୋଗିତା ଆୟୋଜନ କରୁଛୁ,” ଭୁବନେଶ୍ୱରର ଏକ ହୋଟେଲରେ ଏନେଇ ସାମ୍ବାଦିକ ସମ୍ମିଳନୀରେ BHCT ଅଧ୍ୟକ୍ଷ କ୍ୟାପ୍ଟେନ ରତିକାନ୍ତ ନାୟକ କହିଛନ୍ତି। ସେ ଦାବି କରିଛନ୍ତି ଯେ BHCT ଏକ ପଞ୍ଜିକୃତ ସଂସ୍ଥା ଏବଂ ଦୁଇ ବର୍ଷ ତଳେ HAOର ଅନୁବନ୍ଧନ ପାଇଛି। “BHCT ଦଳ ରାଉରକେଲାରେ ରାଜ୍ୟ ଜୁନିଅର ହକି ଚାମ୍ପିଅନସିପରେ ଅଂଶଗ୍ରହଣ କରିଥିଲା। ଆମର ଖେଳାଳିମାନେ କିଶନନଗରରେ ତାଲିମ ନିଅନ୍ତି,” ବୋଲି ସଭାପତି ରଞ୍ଜନ ଦାସ କହିଛନ୍ତି। ତିନି ଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ ନଅଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର ହୋଇଛି। ନଅଟି ଦଳ ହେଉଛି: ଛତ୍ରପୁର, ଯାଜପୁର, କଟକ, ରାଣାପୁର, ଭୁବନେଶ୍ୱର, ଢେଙ୍କାନାଳ, ପୁରୀ, PPL ପାରାଦୀପ ଏବଂ ଆୟୋଜକ BHCTର ହକି ତାଲିମ କେନ୍ଦ୍ର।
ଅତିଥିମାନଙ୍କ ସହିତ ହକି ଅଲିମ୍ପିଆନ୍ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଦିଲୀପ ତିର୍କୀ, ବିଏଚ୍ସିଟି ସଭାପତି କ୍ୟାପ୍ଟେନ ବିଶ୍ୱବିଜୟ ସାହୁ, ସଦସ୍ୟ ବିଶ୍ୱଜିତ ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।