କଳିଙ୍ଗ ଷ୍ଟାଡିୟମ ରାସ୍ତା ଉପରେ ସାମ୍ବାଦିକଙ୍କୁ ପୋଲିସର ମାଡ଼ ଘଟଣା: ଡିସିପି କହିଲେ ୩ ଦିନରେ ହେବ କାର୍ଯ୍ୟାନୁଷ୍ଠାନ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାସ୍ତା ଉପରେ ଫଟୋ ସାମ୍ବାଦିକ ରାକେଶ ରାଉଳଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ଗୋଟିଏ ଦିନ ବିତି ଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କମିଶନରେଟ୍ ପୁଲିସ ନେଇନାହିଁ କୌଣସି କାର୍ଯ୍ୟାନୁଷ୍ଠାନ। ଘଟଣାର ତଦନ୍ତ କରି ସଂପୃକ୍ତ ପୁଲିସ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ୭୨ ଘଣ୍ଟା ସମୟ ନେଇଛନ୍ତି ଭୁବନେଶ୍ୱର ଡିସିପି। ଅନ୍ୟପକ୍ଷରେ ପ୍ରମାଣ ଥିବା ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କାହିଁକି କରୁଛି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ସାଣ୍ଡି ଟାଓ୍ୱାର ହୋଟେଲରୁ ନ୍ୟୁଜିଲାଣ୍ଡ ହକି ଟିମ୍ ବସ୍ରେ କଳିଙ୍ଗ ଷ୍ଟାଡିୟମ ଅଭିମୁଖେ ଯାଉଥିଲେ।
ଏହି ସମୟରେ ସାଣ୍ଡି ଟାଓ୍ୱାର ନିକଟରେ ରାକେଶ ସେମାନଙ୍କ ଫଟୋ ଉଠାଇଥିଲେ। ଖେଳାଳିଙ୍କ ବସ୍ ଆଗରେ ଯାଉଥିବା ଏସକଟ୍ରେ ଗାଡ଼ିରେ ଥିବା ପୋଲିସ କର୍ମଚାରୀ ତାଙ୍କୁ ବିରୋଧ କରିଥିଲେ। ଏହାସହ ତାଙ୍କୁ ଖରାପ ଭାଷାରେ ଗାଲି ଗୁଲଜ କରିଥିଲେ। କାହିଁକି ଖରାପ ଭାଷାରେ ଗାଳି ଗୁଲଜ କଲ ବୋଲି ରାକେଶ ଉକ୍ତ ପୁଲିସ କକଳିଙ୍ଗ ଷ୍ଟାଡିୟମ ଗେଟ୍ ପାଖକୁ ଆସ ବୋଲି ରାକେଶଙ୍କୁ ପୁଲିସମାନେ କହିଥିଲେ। ରାକେଶ କଳିଙ୍ଗ ଷ୍ଟାଡିୟମରେ ପାଖରେ ପହଞ୍ଚିବା ପରେ ସାଧା ପୋଷାକରେ ଥିବା ଜଣେ ପୁଲିସ କର୍ମଚାରୀ ଗାଡ଼ିରୁ ଓହ୍ଲାଇ ଆସି ରାକେଶଙ୍କୁ ମାଡ଼ ମାରି ତଳେ ପକାଇ ଦେଇଥିଲେ। ପରେ ତାଙ୍କ ପାଖରୁ କ୍ୟାମେରା ଛଡ଼ାଇ ନେଇଥିଲେ। ରାକେଶ ପୁଲିସ କର୍ମଚାରୀଙ୍କୁ କ୍ୟାମେରା ମାଗିଥିଲେ ମଧ୍ୟ ସେ ଦେଇନଥିଲେ। ପରେ ପୁଲିସ କର୍ମଚାରୀ ଜଣଙ୍କ ତାଙ୍କ କ୍ୟାମେରାକୁ କଳିଙ୍ଗ ଗେଟ୍ ସମ୍ମୁଖକୁ ଫିଙ୍ଗି ଦେଇଥିଲେ।
ଖବର ପାଇ ନୟାପଲ୍ଲୀ ଥାନା ଆଇଆଇସି ପହଞ୍ଚିଥିଲେ ମଧ୍ୟ ସେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ। ଆଜି ରାକେଶ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଘଟଣାସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ପ୍ରମାଣ ଦେଖିବା ପରେ ୩ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଡିସିପି ରାକେଶଙ୍କୁ କହିଥିଲେ। ଏହାସହ ଭାଙ୍ଗି ଯାଇଥିବା କ୍ୟାମେରାର ମରାମତି କରିଦେବେ ବୋଲି ଡିସିପି ପ୍ରତିଶ୍ରୁତି ଦେଇଥିବା ରାକେଶ କହିଛନ୍ତି। ରାକେଶ ସହିତ କିଛି ସାମ୍ବାଦିକମାନେ ଏ ସମ୍ପର୍କରେ ଡିସିପିଙ୍କୁ ଭେଟି ଆଲୋଚନା କରିଥିଲେ। ଫଟୋ ସାମ୍ବାଦିକ ରାକେଶଙ୍କୁ ପୁଲିସର ମାଡ଼ ଘଟଣାକୁ ପ୍ରେସ୍ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତି ଦୃଢ଼ ନିନ୍ଦା କରିଛନ୍ତି। ସେ କହିଛନ୍ତି, ପ୍ରମାଣ ସତ୍ତ୍ୱେ ପୁଲିସ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ କରୁଥିବାରୁ ଏହା ନିନ୍ଦନୀୟ ଘଟଣା।