ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିହାରରେ ଜେଡିୟୁକୁ ଲାଗିଛି ବଡ ଝଟକା । ପୂର୍ବତନ ଜେଡିୟୁ ନେତା ତଥା ନୀତିଶ କୁମାରଙ୍କ ଘନିଷ୍ଠ ଅଜୟ ଆଲୋକ ଶୁକ୍ରବାର ବିଜେପିରେ ସାମିଲ ହୋଇଛନ୍ତି । ଜେଡିୟୁର ଏହି ଫାୟାରବ୍ରାଣ୍ଡ ପ୍ରବକ୍ତା ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ଅଜୟ ଆଲୋକ ବିଜେପିରେ ସାମିଲ ହେବା ବିହାରରେ ଜେଡିୟୁ ଏବଂ ନୀତିଶ କୁମାରଙ୍କୁ ବଡ ଝଟକା ଦେଇଛି । ଲମ୍ବା ସମୟ ଧରି ସେ ଜେଡିୟୁ ପାଇଁ ରାଜନୀତି କରିଆସୁଥିଲେ । ସେ ନୀତିଶ ଏବଂ ଜେଡିୟୁର ବିଚାରଧାରାକୁ ଭଲ ଭାବରେ ଜାଣିଛନ୍ତି । ଭାଜପାରେ ସାମିଲ ହେବା ପରେ ଆଶା କରାଯାଉଛି ଆଉ କିଛି ନେତା ମଧ୍ୟ ଦଳ ଛାଡି ବିଜେପିରେ ସାମିଲ ହେବେ ।
ଏପଟେ ୨୦୨୪ ନିର୍ବାଚନ ପୂର୍ବରୁ ବିରୋଧୀ ଏକତା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀଙ୍କ । ଏହିକ୍ରମରେ ଗୋଟିଏ ଦିନରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଭେଟିସାରିଛନ୍ତି । ଜେଡିୟୁ ମୁଖ୍ୟ ନୀତିଶ କୁମାର ପ୍ରଥମେ ଉତ୍ତରପ୍ରଦେଶର ଲକ୍ଷ୍ନୌ ପହଂଚି ଅଖିଳେଶ ଯାଦବଙ୍କୁ ଭେଟିଥିଲେ । ଏହା ପରେ ପଶ୍ଚିମବଙ୍ଗ ଯାଇ ମମତା ବାନାର୍ଜୀଙ୍କୁ ଭେଟି ଆଲୋଚନା କରିଥିଲେ । ତେବେ ନୀତିଶ ପ୍ରଥମ ଥର ପାଇଁ ବିରୋଧୀ ଏକତା ପାଇଁ ଉଦ୍ୟମ କରୁନାହାନ୍ତି । ଏହା ପୂର୍ବରୁ ୧୦ଦିନ ତଳେ ବିରୋଧୀ ଏକତା ନେଇ ବଡ ଘୋଷଣା କରିଥିଲେ ବିହାର ମୁଖ୍ୟମନ୍ତ୍ରୀ । କହିଥିଲେ ୨୦୨୪ ନିର୍ବାଚନରେ ସାରା ଦେଶ ଗସ୍ତରେ ବାହାରିବେ ଓ ଏହି ସମୟରେ ବିରୋଧୀ ଏକତା ଉପରେ ଫୋକସ କରାଯିବ । ଏନେଇ ଦିଲ୍ଲୀରେ ସମସ୍ତଙ୍କ କଥା ବାର୍ତ୍ତା ସରିଛି ଏବଂ କଂଗ୍ରେସ ମଧ୍ୟ ଏଥିରେ ସହମତ ଥିବା ନୀତିଶ କହିଥିଲେ ।
୨୦୨୪ରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ବିଭିନ୍ନ ଆଞ୍ଚଳିକ ଦଳର ନେତା ଅଣଏନଡିଏ ମେଂଟର ରାଜନୈତିକ ଦଳ ମଧ୍ୟରେ ଏକତା ଆଣିବାକୁ ଉଦ୍ୟମ କରୁଛନ୍ତି । କେବେ ଏନସିପି ଚିଫ ଶରଦ ପାୱାର, ତ କେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଓ ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ପୁଣି କେବେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବିରୋଧୀ ଏକତା ପାଇଁ ଉଦ୍ୟମ ଚଲାଇ ଆସୁଛନ୍ତି । ଆଉ ଏବେ ସେହି ରାସ୍ତାରେ ପାଦ ଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ତେବେ ପ୍ରଶ୍ନ ଉଠୁଛି ମୋଦୀ ବିରୋଧରେ ସଫଳତା ପାଇବା ପାଇଁ ହେଲେ ବିନା କଂଗ୍ରେସରେ ଆଞ୍ଚଳିକ ଦଳଙ୍କ ଏକତା ସଫଳତା ପାଇବ କି । ପୂର୍ବରୁ କଂଗ୍ରେସ ଡାକିଥିବା ବିରୋଧୀ ଏକତା ବୈଠକରେ ବହୁ ଆଞ୍ଚଳିକ ଦଳ ଅନୁପସ୍ଥିତ ରହୁଥିବାରୁ ବିରୋଧୀ ଏକତାକୁ ନେଇ ବଡ ପ୍ରଶ୍ନ ଛିଡା କରାଇଛି । ଏବେ ନୀତିଶ କୁମାର ମୋଦି ବିରୋଧରେ ବିରୋଧୀ ଏକତା ପାଇଁ ଆରମ୍ଭ କରିଥିବା ଅଭିଯାନ ଆଗକୁ କେତେ ସଫଳତା ପାଇବ ତାହା ସମୟ କହିବ ।