ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେରଳ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ନିର୍ମିତ ବିବିସିର ଡକ୍ୟୁମେଣ୍ଟାରି ପ୍ରଦର୍ଶନକୁ ବିରୋଧ ଓ ଏହା ପରବର୍ତ୍ତୀ ରାଜନୈତିକ ଗତିବିଧି ଏହାର କାରଣ ବୋଲି ଚର୍ଚ୍ଚା ହେଉଛି। କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ, ବି ମୂରଲୀଧରନ ଓ କେରଳ ବିଜେପି ଅଧ୍ୟକ୍ଷ କେ.ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଅନିଲ।
ସୂଚନାଯୋଗ୍ୟ, କିଛିଦିନ ତଳେ କେରଳର ତିରୁବନନ୍ତପୁରମରେ ୨୦୦୨ ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବାଦୀୟ ବିବିସି ଡକ୍ୟୁମେଣ୍ଟାରୀ ପ୍ରଦର୍ଶିତ ହୋଇଥିଲା । କଂଗ୍ରେସ କର୍ମୀମାନେ ଏକାଠି ବସି ଏହାକୁ ଦେଖିଥିଲେ । ତେବେ ଏହି ବିବିସି ଡକ୍ୟୁମେଣ୍ଟାରୀକୁ ନେଇ ଆପତ୍ତି ଉଠାଇବା ପରେ ଅନିଲ ଆଣ୍ଟୋନି ଦଳରୁ ଇସ୍ତଫା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ନିର୍ମିତ ବିବିସି ଡକ୍ୟୁମେଣ୍ଟାରୀ ଉପରେ ଆପତ୍ତି ଉଠାଇବା ପରେ ଅନିଲ ଆଣ୍ଟୋନି ଅଭିଯୋଗ କରିଥିଲେ ଯେ ସେ କରିଥିବା ଏ ସଂପର୍କିତ ଟ୍ୱିଟ୍ ହଟାଇବାକୁ ତାଙ୍କୁ ଚାପ ପକାଯାଇଥିଲା । ଅନିଲ ଆଣ୍ଟୋନି କହିଥିଲେ ଯେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଦଳର କାହା ସହିତ ତାଙ୍କର କୌଣସି ଅସୁବିଧା ନାହିଁ, କିନ୍ତୁ “ଆମର ସ୍ୱାଧୀନତାର ୭୫ ତମ ବର୍ଷରେ, ଆମେ ବିଦେଶୀ କିମ୍ବା ସେମାନଙ୍କ ଅନୁଷ୍ଠାନକୁ ଆମର ସାର୍ବଭୌମତ୍ୱକୁ କ୍ଷୁର୍ଣ୍ଣ କରିବାକୁ ଅନୁମତି ଦେବା ଉଚିତ୍ ନୁହେଁ”। ଅନିଲ ଆଣ୍ଟୋନିଙ୍କ ପିତା ଏ.କେ ଆଣ୍ଟୋନି କଂଗ୍ରେସ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ କେରଳର ମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ । କଂଗ୍ରେସର ବରିଷ୍ଠ ନେତାଙ୍କ ତାଲିକାରେ ଏ.କେ ଆଣ୍ଟୋନିଙ୍କ ନାମକୁ ଗଣାଯାଏ।