ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଭିଜିଲାନ୍ସ ଜାଲରେ ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀ । ଏହି ଅଭିଯୋଗରେ ଥାନା ଅଧିକାରୀଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ତେବେ ରେଡ୍ ବେଳେ ଘରୁ ମିଳିଛି ବିଡା ବିଡା ୫୦୦ ଟଙ୍କିଆ ନୋଟ୍ । ପାଖାପାଖି ୨୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ସୂଚନା । ଏହି ଟଙ୍କା କଟକ ସ୍ଥିତ ସରକାରୀ କ୍ୱାର୍ଟରରୁ ମିଳିଛି ।

ଏତେ ପଇସା କୁଆଡ଼େ ଆଣିଲେ ସେନେଇ ସୁଶାନ୍ତଙ୍କୁ ପଚରାଉଚରା କରିଥିଲା ଭିଜିଲାନ୍ସ। ହେଲେ କୌଣସି ସ୍ପଷ୍ଟ ସୂଚନା ଦେଇପାରି ନଥିଲେ ଥାନା ବାବୁ। ଏନେଇ ଭିଜିଲାନ୍ସ ଅଧିକାରୀଙ୍କର ସନ୍ଦେହ ବଢ଼ିଥିଲା। ଗତକାଲି ରାତିରେ ଭିଜିଲାନ୍ସ ଅଧିକାରୀ ମାନେ ସୁଶାନ୍ତଙ୍କ ଅଫିସ୍ ଚାମ୍ବର ଓ ସରକାରୀ ବାସଭବନରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ IICଙ୍କ ଅଫିସ୍ ଚାମ୍ବରରୁ ୧ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଥିବା ବେଳେ ସରକାରୀ ବାସଭବନରୁ ୩ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ।

ଆଜି ଭିଜିଲାନ୍ସ ପକ୍ଷରୁ ଆଇଆଇସିଙ୍କ ପୈତୃକ ଘରେ ଚଢ଼ାଉ ହେବା ନେଇ ସୂଚନା ରହିଛି। ଏହାସହ ସୁଶାନ୍ତଙ୍କୁ ଭିଜିଲାନ୍ସ ଟିମ୍ ଅଟକ ରଖି ପଚରାଉଚରା କରୁଛି।  ଆଇଆଇସି ସୁଶାନ୍ତ କୁମାରଙ୍କ ନାଁରେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଗତକାଲି ଭିଜିଲାନ୍ସ ତାଙ୍କୁ ଧରିଥିଲା। ସୂଚନାଯୋଗ୍ୟ,  ନଗଦ ୨ ଲକ୍ଷ ଟଙ୍କା ଧରି ବସ୍‌ରେ ଘରକୁ ଯାଉଥିବା ବେଳେ ସୋମବାର ସନ୍ଧ୍ୟାରେ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଥାନାବାବୁ ସୁଶାନ୍ତ କୁମାର ଶତପଥୀଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଧରିପକାଇଛନ୍ତି। ଫଳରେ ଶ୍ରୀ ଶତପଥୀ ଭିଜିଲାନ୍ସର ଜାଲରେ ଛନ୍ଦି ହୋଇଯାଇଥିଲେ। ସଂପୃକ୍ତ ପୁଲିସ ବାବୁଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ବସ୍‌ରୁ ଓହ୍ଲାଇ ପଚରାଉଚରା କରିଥିଲେ।

ସୂଚନା ଅନୁସାରେ ବୈପାରିଗୁଡ଼ା ଥାନା ଅଧିକାରୀ ସୁଶାନ୍ତ କୁମାର ଶତପଥୀଙ୍କ ନିଜ ଘର କଟକ ଜିଲ୍ଲାରେ। ସେ ଗତକାଲି ବୈପାରିଗୁଡ଼ାରୁ ଏକ ଘରୋଇ ବସ୍‌ (ରିଲାଏନ୍ସ)ରେ କଟକ ଯାଉଥିଲେ। ପାଖରେ ନଗଦ ୨ ଲକ୍ଷ ୭୦ ହଜାର ଟଙ୍କା ମଧ୍ୟ ରଖିଥିଲେ। ଏନେଇ ଭିଜିଲାନ୍ସ ବିଭାଗକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୂର୍ବ ସୂଚନା ଆଧାରରେ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ କଟକ ଅଭିମୁଖେ ଯାଉଥିବା ରିଲାଏନ୍ସ ବସ୍‌ ଉପରେ ଅତର୍କିତ ଚଢ଼ଉ କରିଥିଲେ। ସେହି ସମୟରେ ବସ୍‌ଟି ଜୟପୁରସ୍ଥିତ ଟାଙ୍କୁଆ ନିକଟରେ ଥିଲା। ଚଢଉ ସମୟରେ ଭିଜିଲାନ୍ସ କର୍ମଚାରୀଙ୍କୁ ଶ୍ରୀ ଶତପଥୀଙ୍କ ନିକଟରୁ ଦୁଇ ଲକ୍ଷ ୭୦ ହଜାର ଟଙ୍କା ମିଳିଥିଲା। ଏହି ଟଙ୍କାକୁ ଭିଜିଲାନ୍ସ ବିଭାଗ ଜବତ କରିଥିଲା।

Leave A Reply

Your email address will not be published.