ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା। ବିଦେଶାଗତ ପକ୍ଷୀଙ୍କ ଗଣନା ଲାଗି ରମ୍ଭା, ବାଲୁଗାଁ, ଟାଙ୍ଗୀ, ସାତପଡ଼ା ଓ ଚିଲିକା ରେଞ୍ଜ୍ ଲାଗି ୨୧ଟି ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ଟିମ୍ରେ ୫ରୁ ୬ ଜଣ ପକ୍ଷୀ ବିଶେଷଜ୍ଞ ରହିଛନ୍ତି । ସକାଳ ସାଢେ ୫ଟାରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ମଧ୍ଯାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ।
ପକ୍ଷୀ ଗଣନା ଶେଷ ହେବା ଯାଏଁ ଚିଲିକାରେ ପର୍ଯ୍ୟଟକଙ୍କ ଲାଗି ବୋଟ୍ ଚଳାଚଳକୁ ବନ୍ଦ ରଖାଯାଇଛି । ଚିଲିକାକୁ ପ୍ରାୟ ୧୧୮ ପ୍ରଜାତିର ୯ ଲକ୍ଷରୁ ଅଧିକ ପକ୍ଷୀଙ୍କ ଆଗମନ ହୋଇଥିବା ବନ ବିଭାଗ ଆକଳନ କରିଛି।ଏହି ଗଣନା କାର୍ଯ୍ୟରେ ନିୟୋଜିତ ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କୁ ବୁଧବାର ପକ୍ଷୀ ପ୍ରଶିକ୍ଷଣ ଦିଆଯାଇଥିଲା । ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ପକ୍ଷୀ ଗଣନା ଜାରି ରହିଛି । ଆଜି ସକାଳୁ ଘନ କୁହୁଡା ସତ୍ତ୍ୱେ ମଧ୍ୟ ପକ୍ଷୀ ଗଣନା କାର୍ଯ୍ୟ ଜାରି ରହିଛି । ଏହି ପକ୍ଷୀ ଗଣନା କାର୍ଯ୍ୟରେ ଚିଲିକା ବନ୍ୟପ୍ରାଣୀ ବିଭାଗ ଅଧିକାରୀ, ଚିଲିକା ଉନ୍ନୟନ ପରିଷଦ, ପକ୍ଷୀ ସୁରକ୍ଷା ସମିତି କର୍ମଚାରୀ, ଓୟୁଏଟି ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ସାମିଲ ହୋଇଛନ୍ତି ।
ଜିପିଏସ ଓ ବାଇନାକୁଲାର ବ୍ୟବହାର କରାଯାଇ ପକ୍ଷୀ ଗଣନା କରାଯାଉଥିବା ଦେଖିବାକୁ ମିଳିଛି । ସକାଳ 6ଟାରୁ ଗଣନା କାର୍ଯ୍ୟ ଆରମ୍ଭ ହୋଇ ଦିନ 12 ପର୍ଯ୍ୟନ୍ତ ଚାଲିବ । ଉଭୟ ସ୍ଥଳ ଓ ଜଳରେ ଚଳିତ ବର୍ଷ କେତେ ପକ୍ଷୀ ଚିଲିକାକୁ ଆସିଛନ୍ତି ତାହା ଗଣନା କରାଯିବ ।