ତୃତୀୟ ବର୍ଷର ବାର୍ଷିକ ରିପୋର୍ଟ ପ୍ରକାଶ କଲେ ବିଜେଡ଼ି ସାଂସଦ ଅମର ପଟ୍ଟନାୟକ: କଣ କଣ କାମ କରିଛନ୍ତି ପଢନ୍ତୁ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସାଂସଦ ଭାବେ ତୃତୀୟ ବର୍ଷର ବାର୍ଷିକ ରିପୋର୍ଟ ପ୍ରକାଶ କରିଛନ୍ତି ବିଜେଡ଼ି ସାଂସଦ ଅମର ପଟ୍ଟନାୟକ । ଜୁଲାଇ 3 ତାରିଖରେ ସାଂସଦ ହେବାର ତୃତୀୟ ବର୍ଷ ପୂରଣ ହୋଇଛି । ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି । ଓଡିଶାର ନାର୍ଯ୍ୟ ଦାବି, ଓଡିଆଙ୍କ ସ୍ୱାର୍ଥ କେମିତି ସଫଳ ଭାବେ ସଂସଦରେ ପ୍ରତିପାଦିତ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି । ଉଷୁନା ଚାଉଳ ନଉଠେଇବା ପ୍ରସଙ୍ଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶା କ୍ଷେତ୍ରରେ ପକ୍ଷପାତିତା ପ୍ରସଙ୍ଗ ସଂସଦରେ ଉଠାଯାଇଛି । ରେଲୱେରେ କିଭଳି ରାଜ୍ୟକୁ ଅଧିକ ଗୁରୁତ୍ୱ ମିଳିବ ସେ ବିଷୟରେ ଉଠାଯାଇଛି । ଓଡ଼ିଶୀ ସଂଗୀତକୁ କେମିତି ଶାସ୍ତ୍ରୀୟ ମାନ୍ୟତା ମିଳିବ । ଏହାଛଡା ସାଂସଦଙ୍କର ଆଦର୍ଶ ଜିଲ୍ଲା ସୁନ୍ଦରଗଡ଼ରେ କେମିତି ରେଲୱେ ଡିଭିଜନ ହୋଇପାରିବ, ଦ୍ବିତୀୟ ଏମସ୍ ପ୍ରତିଷ୍ଠା ହୋଇପାରିବ, ଜିଲ୍ଲାରେ ଥିବା 9ଟି ଆଦିବାସୀ ସମ୍ପ୍ରଦାୟଙ୍କ ପ୍ରସଙ୍ଗ ଭଳି ଅନେକ ପ୍ରସଙ୍ଗ ସଂସଦରେ ଉଠାଇଛନ୍ତି ଅମର ପଟ୍ଟନାୟକ।ଏହାଛଡା ସାଂସଦ ଉନ୍ନୟନ ପାଣ୍ଠିରେ ମଧ୍ୟ ଏକ ନୂତନ ପଦକ୍ଷେପ ନେଇଛନ୍ତି ।

ସୁନ୍ଦରଗଡ଼ର 70ଟି ବ୍ଲକରେ ଇଲେକ୍ଟ୍ରି ଚାଳିତ ଅଟୋ ଆମ୍ବୁଲାନ୍ସ ସେବା ଚାଲିବାର ବ୍ୟବସ୍ଥା ହୋଇଛି । ଦୁର୍ଗମ ଅଞ୍ଚଳକୁ ବଡ଼ ଆମ୍ବୁଲାନ୍ସ ପଶି ପାରୁନଥିବାରୁ ଏହି ପଦକ୍ଷେପ ନିଆଯାଇଛି । ଏହା କିଭଳି ଭାବେ ଚାଲିବ ତାହା ଅନୁଧ୍ୟାନ କଲା ପରେ ଅନ୍ୟ ସ୍ଥାନରେ ମଧ୍ୟ ଆରମ୍ଭ କରାଯିବ । ପ୍ରତି ବ୍ଲକରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମାନେ ଇ-ଆମ୍ବୁଲାନ୍ସର ପରିଚାଳନା କରିବେ । ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ମେଧାବୀ ଅନୁସୂଚିତ ଜାତି ଛାତ୍ରଛାତ୍ରୀ ମାନଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବ୍ୟାପାର ବିଭାଗର ତତ୍ତ୍ବାବଧାନରେ 200ଟି ଟ୍ୟାବଲେଟ ଦିଆଯାଇଛି। ସେଗୁଡିକ ଛାତ୍ରଛାତ୍ରୀ ମାନଙ୍କୁ ଆବଣ୍ଟନ କରାଯାଇଛି । ଓଡ଼ିଶାକୁ କେମିତି ସେସ ବାବଦକୁ ଅଧିକ ଅନୁଦାନ ମିଳିବା କଥା ତାହା ମଧ୍ୟ ବାର୍ଷିକ ରିପୋର୍ଟ ଉଲ୍ଲେଖ ରହିଛି ।

Leave A Reply

Your email address will not be published.