ଆଜି ବିଜେଡି ଜନସମ୍ପର୍କ ପଦଯାତ୍ରା ଆରମ୍ଭ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଯାଜପୁର ବିଧାନସଭା ଆସନରେ ଉପନିର୍ବାଚନକୁ ନେଇ ଚାଲିଥିବା ଚର୍ଚ୍ଚାକୁ ଆଜି ଖୋରାକ ଯୋଗାଇଛନ୍ତି ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ଆଜି ବିଜେଡିର ଜନସଂପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ବବି ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ବୋଲି ଖୋଲା ମଞ୍ଚରେ ଘୋଷଣା କରିଛନ୍ତି।  ଗାନ୍ଧୀ ଜୟନ୍ତୀ ଅବସରରେ ସାରା ଓଡ଼ିଶାରେ ବିଜୁ ଜନତା ଦଳ ପଦଯାତ୍ରା କରିଛି।

ଏହି ଅବସରରେ ନେତା ମାନେ ନିଜ ନିଜ ଅଞ୍ଚଳରେ ପଦଯାତ୍ରା କରିଛନ୍ତି। ଆଉ ବବି ଯାଜପୁରରେ ପଦଯାତ୍ରା ସମାବେଶରେ ଯୋଗ ଦେଇ ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। ତେବେ ସୂଚନା ମୁତାବକ, ଳିତଥର ଏହି ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ସୁଜାତା ଦାସ ନିର୍ବାଚିତ ହୋଇଛନ୍ତି। ସେ ମଧ୍ୟ ବବିଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ। ନିର୍ବାଚନ ବେଳେ ସେ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସମ୍ବଲପୁରରୁ ପ୍ରାର୍ଥୀ ହୋଇଥିଲେ। ତେଣୁ ନିଜ ଅଞ୍ଚଳକୁ ପ୍ରଚାର ପାଇଁ ଆସିପାରିନଥିଲେ ବୋଲି ବବି କହିଛନ୍ତି। ଏହାପରେ ବି ସୁଜାତାଙ୍କୁ ଭୋଟ୍ ଦେଇ ବିଜୟୀ କରାଇଥିବାରୁ ଧନ୍ୟବାଦ ଦେଇଛନ୍ତି।

ବବିଙ୍କ ଏ ପ୍ରକାର ଦମ୍ଭୋକ୍ତି ପରେ ଯାଜପୁର ବିଧାୟିକା ସୁଜାତା ସାହୁଙ୍କ ଇସ୍ତଫାକୁ ନେଇ ଲାଗି ରହିଥିବା ଚର୍ଚ୍ଚା ପୁଣି ଥରେ ଜୋର୍‌ ଧରିଛି। ସଭାରେ କର୍ମୀଙ୍କ ଉପସ୍ଥିତି ଓ ଉତ୍ସାହକୁ ଦେଖି ତାଙ୍କ ପାଖରେ ଏବେ ଶତସିଂହର ବଳ ଆସିଛି। ମା’ ବିରଜାଙ୍କ ଆଶୀର୍ବାଦରୁ ସେ ପୁଣିଥରେ ଲଢ଼ିବାକୁ ପ୍ରସ୍ତୁତ ବୋଲି କହିଥିଲେ ବବି। ତାଙ୍କର ଏହି ମନ୍ତବ୍ୟକୁ ନେଇ ଯାଜପୁର ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ, ନୂଆ ସରକାରଙ୍କୁ ମଧ୍ୟ ସେ ଖୋଲା ଆହ୍ବାନ ଦେଇଛନ୍ତି।ଏହି ୪ମାସ ଭିତରେ ସେ ଯାଜପୁର ଆସିପାରିନାହାନ୍ତି । କିନ୍ତୁ ଯାଜପୁରବାସୀ ତାଙ୍କ ସମ୍ମାନ ରଖିଛନ୍ତି । ଯାଜପୁରରୁ ସେ ପୁଣିଥରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି ।

Comments are closed.