ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅସତ୍ୟ ଉପରେ ସତ୍ୟର ଜୟ କରିବାକୁ ଧରାପୃଷ୍ଠକୁ ଓହ୍ଲାଇ ଆସିବେ ଦୁର୍ଗେତି ନାଶିନୀ, ଜଗତ ଜନନୀ, ଶକ୍ତି ସ୍ବରୂପିଣି ମା’ ଦୁର୍ଗା । ଆଜି ଆଶ୍ୱୀନ ଶୁକ୍ଳପକ୍ଷରେ ଶାରଦୀୟ ନବରାତ୍ରି ପୂଜା ଆରମ୍ଭ ହୋଇଛି । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶକ୍ତିପୀଠ । ନଅ ଦିନ ଧରି ହେବା ଥିବା ଏହି ପୂଜାରେ ମା’ଦୁର୍ଗାଙ୍କୁ ବିଭିନ୍ନ ରୂପରେ ପୂଜା ପାଇବେ । ଆଜିଠୁ ୯ ଦିନ ଯାଏଁ ମାଆ ଭକ୍ତଙ୍କୁ ୯ଟି ରୂପରେ ଦର୍ଶନ ଦେବେ ମା । ୯ ଦିନ ଧରି ମାଆ ଭିନ୍ନ ଭିନ୍ନ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ଥିବା ବେଳେ ଶକ୍ତିପୀଠ ମାନଙ୍କରେ ଲାଗିଛି ଗହଳି ।
ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ମାଆ ଜଗଦଜନନୀଙ୍କ ନବମୀ ପୂଜା ଅନୁଷ୍ଠିତ ହେବ । ନବଦିନାତ୍ମକ ଏହି ପର୍ବର ପ୍ରଥମ ଦିନ ମାତା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ପର୍ବତରାଜ ହିମାଳୟଙ୍କ ଘରେ ପୁତ୍ରୀ ରୂପେ ଆବିର୍ଭାବ ହୋଇଥିବାରୁ ସେ ଶୈଳପୁତ୍ରୀ ନାମରେ ପୂଜିତା । ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା ଦ୍ବାରା ସୁଖ-ସମୃଦ୍ଧି ପ୍ରାପ୍ତି ହୁଏ । ମା’ଙ୍କ ପୂଜା ଦ୍ବାରା ବ୍ୟକ୍ତି ଜୀବନରେ ସ୍ଥିରତା ବଜାୟ ରହେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମା’ ଶୈଳପୁତ୍ରୀ ଚନ୍ଦ୍ରମାକୁ ଦର୍ଶାନ୍ତି । ତାଙ୍କ ଉପାସନା ଦ୍ବାରା ଚନ୍ଦ୍ରର କୁପ୍ରଭାବ ନିଷ୍କ୍ରିୟ ହୋଇଯାଏ ।
ଶୈଳପୁତ୍ରୀଙ୍କ ମନ୍ତ୍ର ଜପ ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳେ ବୋଲି ମାନ୍ୟତା ରହିଛି। ଆଧ୍ୟାତ୍ମିକ ବିଶ୍ୱାସ ରହିଛି ଯେ, ନବରାତ୍ରିର ପ୍ରଥମ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କଲେ ବହୁ ଆଶୀର୍ବାଦ ମିଳିଥାଏ । ଏହି କ୍ରମରେ ଆଜି ସାରା ଭାରତ ବର୍ଷରେ ଥିବା ପ୍ରସିଦ୍ଧ ଦେବୀ ପୀଠରେ ନବରାତ୍ରି ଆରମ୍ଭ ହୋଇଛି । ନବରାତ୍ରି ପୂଜା ନିମନ୍ତେ ଘଟ ସ୍ଥାପନାରେ କଳସ ସ୍ଥାପନ କରାଯାଏ । ଏହାପରେ ପୂଜା ଓ ବ୍ରତ ଆରମ୍ଭ ହୁଏ । ଏହି ଦିନରୁ ମାଆ ଦୁର୍ଗାଙ୍କ ଆଗମନ ହୋଇଥାଏ ଓ ଦେବୀ ପକ୍ଷର ଆରମ୍ଭ ହୋଇଥାଏ ।
Comments are closed.