ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜେପି ସହ ମିଶିକି ଅଛି ବିଜେଡି। ମଣିପୁର ହିଂସା ପ୍ରସଙ୍ଗରେ ପଦୁଟିଏ କହିଲେ ନାହିଁ ନବୀନ ସରକାର। ବିଜେଡିର ମହିଳାଙ୍କ ପାଇଁ ଦରଦ ନାହିଁ। ଅର୍ଥାତ୍ ଡରି ଅନାସ୍ଥା ପ୍ରସ୍ତାବକୁ ବିରୋଧ କଲେ ଆଉ ବିଜେପିକୁ ସମର୍ଥନ କଲେ। ଏଭଳି କହି ବିଜେଡି ଉପରେ ବର୍ଷିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଇଡି ଓ ସିବିଆଇ ଭୟରେ ବିଜେପିକୁ ବିଜେଡି ସମର୍ଥନ ଦେଉଥିବା ଅଭିଯୋଗ କରିଛନ୍ତି ଶରତ। ସେହିପରି କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ କଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଯେଉଁ ମହିଳାଙ୍କ ପାଇଁ ନବୀନ ବାବୁ ଏତେ ବର୍ଷ ଜିତି ଆସୁଛନ୍ତି, ସେମାନଙ୍କ ପାଇଁ କଣ କଲେ? ନିଜ ସ୍ଥିତି ବଞ୍ଚାଇବା ପାଇଁ ନିଜ ବିବେକକୁ ନବୀନ ପଟ୍ଟନାୟକ ଜଳାଞ୍ଜଳି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କଂଗ୍ରେସର ଅଭିଯୋଗ ନେଇ ଜବାବ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, ୨୦୦୯ ମସିହାରୁ ବିଜେପି ଓ ବିଜେଡିର ମେଣ୍ଟ ନାହିଁ। ୧୪୭ ବିଧାନସଭା ଓ ୨୧ ଲୋକସଭା ସିଟ୍ ଗମ୍ଭୀର ଭାବେ ଲଢ଼ିବୁ।
ଦାୟିତ୍ୱବାନ ବିରୋଧୀ ଦଳ ଭାବେ ଆମେ କର୍ତ୍ତବ୍ୟ ନିର୍ବାହ କରିବୁ। ରାଜ୍ୟରେ ଚାଲିଥିବା ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ସଂଗ୍ରାମ କରିବୁ। ରାଜ୍ୟରେ କୌଣସି ମେଣ୍ଟ ହେବ ନାହିଁ କହିଲେ ମନମୋହନ ସାମଲ ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ରାଜନୈତିକ ଦୃଷ୍ଟିକୋଣରୁ ସେମାନେ ଅଭିଯୋଗ କରୁଛନ୍ତି। ବିଜେଡି ସବୁବେଳେ ରାଜ୍ୟ ଓ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ନିଷ୍ପତ୍ତି ନିଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିରୋଧରେ ମିଳିତ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିବା ନେଇ ବିଜେଡି ଘୋଷଣା କରିବା ପରେ ବିରୋଧୀ ସମାଲୋଚନା କରିଛନ୍ତି।