ନବ ଦାସ ହତ୍ୟା ମାମଲାରେ ପୁଣି ସିବିଆଇ ତଦନ୍ତ ଦାବି କଲା ବିଜେପି, ଅଭିଯୋଗକୁ ଭିତ୍ତିହୀନ କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନବ ଦାସ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ବିରୋଧି । ତେଣୁ ଏହାକୁ ସମାଲୋଚନା କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ନବ ଦାସ ହତ୍ୟା ଘଟଣାକୁ ନେଇ ଚାର୍ଜସିଟ ଦାଖଲ ହୋଇଛି, ହେଲେ ସେଥିରେ କଣ ଅଛି ? ଗୋପାଳ ଦାସକୁ ଖସାଇବାକୁ ଉଦ୍ୟମ କରାଯାଇଛି, ଷଡ଼ଯନ୍ତ୍ର ଉପରେ କିଛି ଉଲ୍ଲେଖ ନାହିଁ। ହତ୍ୟାକାଣ୍ଡ ପଛର ମୋଟିଭ କଣ ? ଗୋପାଳ ଦାସଙ୍କୁ ବଞ୍ଚାଇବା ପାଇଁ ବଡ଼ ଧରଣର ଷଡ଼ଯନ୍ତ୍ର। ଏହି ପ୍ରସଙ୍ଗ ବିଧାନସଭାରେ ବିରୋଧୀ ଉଠାଇଛନ୍ତି। ହତ୍ୟାକାଣ୍ଡ ପଛର କନ୍ସପେରେସି ରହିଛି। କ୍ରାଇମବ୍ରାଞ୍ଚ ଠିକ ଭାବରେ ତଦନ୍ତ କରିଛ ତ ? ବିରୋଧୀ ଦଳ ନେତା ଜୟ ନାରୟଣ ମିଶ୍ର ବିଧାନସଭାରେ କହିଥିଲେ ଗୋପାଳ ଦାସ ସମେତ ପ୍ରଣବ ପ୍ରକାଶ ଦାସ, ସୁଶାନ୍ତ ସିଂଙ୍କ ନାଁ ନେଇଥିଲେ। ବରିଷ୍ଠ ଅଧିକାରୀଙ୍କ ମଧ୍ୟ କଲରେକର୍ଡ ଯାଞ୍ଚ କରିବାକୁ ଦାବି କରଯାଇଥିଲା, ହେଲେ କ୍ରାଇମବ୍ରାଞ୍ଚ ସେ ଦିଗରେ ତଦନ୍ତ କରିନି। ବିଜେଡିର ପଶ୍ଚିମ ଓଡ଼ିଶାର ବଡ଼ ନେତା ସୁଶାନ୍ତ ସିଂଙ୍କୁ ବର୍ତ୍ତମାନ ଯାଏଁ କାହିଁକି ତଦନ୍ତ ପରିସର ଭୁକ୍ତ କରଯାଉ ନାହିଁ ? ଏହି ଘଟଣା ପାଇଁ ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ କରାଗଲା ନାହିଁ କି ?
ସେ ଆହୁରି କହିଛନ୍ତ, ନବ ଦାସଙ୍କ ହତ୍ୟାକାଣ୍ଡ ପରଠୁ ତାଙ୍କ ପରିବାର ଚାପରେ ଅଛନ୍ତି। ତାହା ସହ ନବ ଦାସଙ୍କ ପରିବାରକୁ ଭୟଭୀତ କରି ରଖାଯାଇଛି। ବିଧାୟକ ଟିକେଟ ଦେଇ ତାଙ୍କ ପରିବାରକୁ ଚୁପ କରି ଦିଆଗଲା। ତେଣୁ ସିବିଆଇ ତଦନ୍ତ ଦରକାର। ସିବିଆଇ ତଦନ୍ତ କରିବା ପାଇଁ ରାଜ୍ୟ ସରକାର ସତ ସାହସ ଦେଖାଇବେ କି ? ଗୋପାଳ ଦାସ ପାଗଳ ବୋଲି କୁହାଯାଇଥିଲା, ପରେ ତଦନ୍ତରେ ପରିବର୍ତ୍ତନ କରାଗଲା। ତେଣୁ ସରକାର ନିଜେ ସଂପୃକ୍ତ ଥିବାରୁ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହୋଇଛି। ଘଟଣା ପଛର ଷଡ଼ଯନ୍ତ୍ରକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ନାଟକ ରଚାଯାଇଛି। ଏଣେ ନବ ଦାସ ହତ୍ୟା ଚାର୍ଜସିଟ୍ ପ୍ରସଂଗରେ ବିଜେପିର ଅଭିଯୋଗ ଉପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାପ୍ରତିକ୍ରିୟା ରଖିଛନ୍ତି। ସେ କିଛନ୍ତି, ନବ ଦାସ ହତ୍ୟା ଘଟଣାରେ ଜଣେ ରିଟାୟାର୍ଡ ଜଜଙ୍କ ତତ୍ତ୍ଵାବଧାନରେ ତଦନ୍ତ କାମ ହାତକୁ ନିଆଯାଇଥିଲା । ତା’ର ଫର୍ମାଲିଟିଜ୍ ଆହୁରି ବାକି ଅଛି। କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ଫର୍ମାଲିଟିଜ ସରିବା ପରେ ସବୁ ସାର୍ବଜନୀନ କରାଯିବ।