ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେପିରୁ ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିଲା ବେଳେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ସତ୍ୟଭୂଷଣ ସାହୁ । ବିଜେଡି ପ୍ରାର୍ଥୀ ଏ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଆଜି ସକାଳେ ପ୍ରଥମେ ବିଜେପିର ପଦ୍ମପୁର ଉପନିର୍ବାଚନ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଥିଲା । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନାଁ ଉପରେ ବିଜେପି କେନ୍ଦ୍ରୀୟ କମିଟି ମୋହର ମାରିଥିଲେ । ଏଠାରୁ ପ୍ରଦୀପଙ୍କ ପ୍ରାର୍ଥିତ୍ୱକୁ ନେଇ ପୂର୍ବରୁ କୌଣସି ଦ୍ୱନ୍ଦ ନ ଥିଲା । ୨୦୧୪ ସାଧାରଣ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀଙ୍କୁ ୪୫୧୩ ଭୋଟରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ।
ତେବେ ୨୦୧୯ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସ୍ୱର୍ଗତ ବରିହାଙ୍କଠାରୁ ୫୭୩୪ ଭୋଟରେ ହାରିଥିଲେ । ବିଜେପିର ଜଣେ ଟାଣୁଆ ନେତା ଭାବେ ସେ ଜଣାଶୁଣା ।ଅନ୍ୟପକ୍ଷରେ ଏଆଇସିସି ପକ୍ଷରୁ ଆଜି ସଂଧ୍ୟାରେ ପଦ୍ମପୁର ପ୍ରାର୍ଥୀ ଘୋଷଣା କରାଯାଇଛି । ତିନି ଥରର ବିଧାୟକ ଦଳର ବରିଷ୍ଠ ନେତା ସତ୍ୟଭୂଷଣ ସାହୁ ପ୍ରାର୍ଥୀ ହୋଇଛନ୍ତି । ୨୦୧୯ ନିର୍ବାଚନରେ ସେ କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ି ତୃତୀୟ ସ୍ଥାନରେ ଥିଲେ । ତାଙ୍କୁ ୩୨, ୭୮୭ ଭୋଟ ମିଳିଥିଲା । ଏହାପୂର୍ବରୁ ୧୯୮୦,୧୯୮୫ ଏବଂ ୨୦୦୪ ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ ।