ଶ୍ରମମନ୍ତ୍ରୀଙ୍କୁ ବରଖାସ୍ତ ଦାବିକଲା ବିଜେପି

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିବାଦ ଘେରରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ । ଶ୍ରମମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ଯୌନ କେଳେଙ୍କାରୀ ଅଭିଯୋଗ । ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଖୋଦ୍ ବିଜେଡିର ହିଁ ଜଣେ ମହିଳା ନେତ୍ରୀ । ଗୁରୁବାର ସମୟ ଦିନ ୧୧ଟା, ଭୁବନେଶ୍ୱର ମହିଳା ଥାନାରେ ପହଞ୍ଚିଥିଲେ ବିଜେଡି ମହିଳା ନେତ୍ରୀ ସଂଯୁକ୍ତା ମହଲ । ପରେ ଅପରାହ୍ନ ୪ଟାରେ ସଂଯୁକ୍ତାଙ୍କୁ ଧରି କ୍ୟାପିଟାଲ ହସ୍ପିଟାଲ ଯାଇଥିଲା ମହିଲା ଥାନାର ଏକ ଟିମ। ସେଠାରେ ପ୍ରାୟ ସାଢେ ଚାରି ଘଣ୍ଟା ରହିବା ପରେ ସଂଧ୍ୟା ସାଢେ ୮ଟାରେ ପୁଣି ଥାନାକୁ ସଂଯୁକ୍ତାଙ୍କୁ ଆଣିଥିଲା ପୋଲିସ। ତେବେ ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସଂଯୁକ୍ତା କହିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କର ଅଭିଯୋଗ ରହିଛି। ଥାନାରେ ତାଙ୍କର ଷ୍ଟେଟମେଣ୍ଟ ରେକର୍ଡ ହୋଇଛି। ଦଳର ସଭାପତିଙ୍କ ଉପରେ ସଂପୂର୍ଣ୍ଣ ଭରସା ଅଛି, ତାଙ୍କୁ ନ୍ୟାୟ ମିଳିବ। ତେବେ ଥାନାରୁ ବାହାରୁ ବାହାରୁ କିନ୍ତୁ ବାଜିଗଲା ରାତି ସାଢେ ବାରଟା। ସେତେବେଳେ ସାମ୍ବାଦିକଙ୍କ କୌଣସି ପ୍ରଶ୍ନର ଉତ୍ତର ରଖିନଥିଲେ ସଂଯୁକ୍ତା।ଲ ଏଠି ପ୍ରଶ୍ନ ଥାନାକୁ ଅଭିଯୋଗ କରିବାକୁ ଆସିବା ପରେ ସଂଯୁକ୍ତାଙ୍କ ଉପରେ ଚାପ ପଡ଼ିଥିଲା କି? ଅଭିଯୋଗକାରିଣୀଙ୍କୁ କାହିଁକି ୧୪ ଘଣ୍ଟା ପର୍ଯ୍ୟନ୍ତ ଥାନାରେ ରଖିଲା ପୋଲିସ? ବଡ଼ କଥା ହେଲା ଏହି ଘଟଣାରେ ପୋଲିସ ପକ୍ଷରୁ ଏଯାଏଁ କୌଣସି ଅଧିକାରୀ ମୁହଁ ଖୋଲିନାହାନ୍ତି। ଏପରିକି ସଂପୃକ୍ତ ମହିଳା ଦେଇଥିବା ଅଭିଯୋଗ ଆଧାରରେ ମନ୍ତ୍ରୀଙ୍କ ନାଁରେ ମାମଲା ରୁଜ୍ଜୁ ହୋଇଛି କି ନାହିଁ, ତା ବି ସ୍ପଷ୍ଟ କରୁନି ପୋଲିସ୍। 

ଏପଟେ ଘଟଣାକୁ ନେଇ ତେଜିଛି ରାଜନୀତି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ଅଭିଯୋଗ କରିଛି । ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡିର ମନ୍ତ୍ରୀ ବୋଲି ସେ କ’ଣ ଆଇନର ଋର୍ଦ୍ଧ୍ବରେ । ଶ୍ରୀମତୀ ସାମନ୍ତସିଂହାର ଆହୁରି ବି କହିଛନ୍ତି ଯେ ବିଜୁ ଜନତା ଦଳ ହେଉଛି ଅପରାଧୀ ଓ ଯୌନ କେଳେଙ୍କାରୀ କରିଥିବା ବ୍ୟକ୍ତିମାନଙ୍କ ଦଳ। ଲମ୍ବା ସମୟ ଧରି ବିଜେଡି ଶାସନ କରିବା ପରେ ତାଙ୍କର ଉପଲବ୍ଧି ହେଉଛି ‘ଆଇନକୁ ଫୁ’ କରି ଅପରାଧ ଘଟାଇବା। ମମିତା ମେହେର ହତ୍ୟା କାଣ୍ଡରେ ତତ୍କାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ହାତଥିଲେ ବି ତାଙ୍କୁ ପଚାରିବା ପାଇଁ ଡକାଗଲା ନାହିଁ। ଯୌନ କେଳେଙ୍କାରୀରେ ସମ୍ପୃକ୍ତ ଥିବା ତିର୍ତ୍ତୋଲର ବିଧାୟକ ବିଜୟଶଙ୍କର ଦାସଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଥିଲେ ବି ଏଯାଏ ପୁଲିସ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ। ଏଥିରୁ ସ୍ପଷ୍ଟ ଯେ, ପୁଲିସ କ’ଣ ବିଜେଡିର ନେତାମାନଙ୍କୁ ଡରୁଛି ନା ନିଜର ସାମ୍ବିଧାନିକ ଦାୟିତ୍ୱ ଭୁଲି ଗୋଟିଏ ରାଜନୈତିକ ଦଳର ଚାଟୁକାରିତା କରିବାକୁ ନିଜକୁ ସୀମିତ ରହିଛି। ଗତକାଲି ବିଜେଡିର ଆଗଧାଡ଼ିର ନେତା ଓ ନେତ୍ରୀମାନେ ଥାନାରେ ଉପସ୍ଥିତ ରହି ପୀଡ଼ିତାଙ୍କୁ ବୁଝାଇ ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ। ହେଲେ ଏହି ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୁଲିସ ଗୋଟିଏ ବି ଟିପ୍ପଣୀ ଦେଇନାହିଁ। ଯଦି ନିଜ ଦଳର ୨୦ବର୍ଷର କର୍ମୀଙ୍କୁ ବିଜେଡି ନ୍ୟାୟ ଦେଇପାରୁନି, ତାହାଲେ ସାଢ଼େ ୪କୋଟି ଓଡ଼ିଆଙ୍କୁ କ’ଣ ନ୍ୟାୟ ଦେବ? ମହିଳାଙ୍କ ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ତୁରନ୍ତ ଶ୍ରମ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ସହିତ ପୁଲିସ ତାଙ୍କୁ ଗିରଫ କରୁ ବୋଲି ସେ ଦାବି କରିଛନ୍ତି।

Leave A Reply

Your email address will not be published.