କୋଭିଡ୍ ସମୟରେ ନିଜ ସ୍ବାର୍ଥ ଭୁଲି ରୋଗୀ ସେବା କରିଥିବା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀଙ୍କୁ ବିଜେପି କାର୍ଯ୍ୟାଳୟରେ ସମ୍ମାନିତ,
ଓଡିଆ ନ୍ୟୁଜ୍(ବ୍ୟୁରୋ): ବୈଶ୍ୱିକ ମହାମାରୀ କରୋନା ସଂକ୍ରମଣରେ ସମଗ୍ର ବିଶ୍ୱବାସୀ ପ୍ରଭାବିତ ହୋଇଛନ୍ତି । ୧୪୦ କୋଟି ଭାରତୀୟଙ୍କ ପାଇଁ କରୋନା ବିରୁଦ୍ଧ ଲଢେଇର ନେତୃତ୍ୱ ନେଉଥିବା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ପରବର୍ତୀ ସମୟରେ ସମଗ୍ର ବିଶ୍ୱକୁ ସହାୟତାର ହାତ ବଢାଇଥିଲେ । କରୋନା ମୁକାବିଲା ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ବହୁ ହଇରାଣର ଶିକାର ହୋଇଥିବା ଭାରତ ଆଜି ପିପିଇ କିଟ୍, ମାସ୍କ, ଅକ୍ସିଜେନ ଆଦି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହୋଇଛି । ଏପରିକି ୧୦୦ରୁ ଉର୍ଦ୍ଧ୍ୱ ଦେଶମାନଙ୍କୁ ସ୍ୱାସ୍ଥ୍ୟ ସେବା, ଉପକରଣ, ଔଷଧ ଆଦି ମଧ୍ୟ ଯୋଗାଇ ପାରିଛି । କରୋନା ସଂକ୍ରମଣକୁ ରୋକିବା ପାଇଁ ଯେତେବେଳେ ଟୀକା ହିଁ ଏକମାତ୍ର ଅସ୍ତ୍ର ଭାବେ ଉଭା ହୋଇଥିଲା, ସେତେବେଳେ ମୋଦି ସରକାର ଦେଶରେ ନିଜସ୍ୱ ଟୀକା ପ୍ରସ୍ତୁତ ପାଇଁ ଆଗେଇ ଆସିଥିଲେ ଏବଂ ଅଳ୍ପ ସମୟ ଭିତରେ ଟୀକା ପ୍ରସ୍ତୁତି ସମ୍ଭବ ହୋଇପାରିଥିଲା । ବର୍ତମାନ ସୁଦ୍ଧା ପାଖାପାଖି ୨୦୦ କୋଟି କୋଭିଡ ଟୀକା ପ୍ରଦାନ ସରିଛି ।

ସମସ୍ତଙ୍କୁ ମାଗଣା ଟୀକା ପ୍ରଦାନ କରି ମୋଦି ସରକାର ଦେଶବାସୀଙ୍କୁ ଆଶ୍ୱସ୍ଥି ପ୍ରଦାନ କରିବା ସହ ଦେଶର ସାମର୍ଥ୍ୟକୁ ସମଗ୍ର ବିଶ୍ୱରେ ପ୍ରତିଫଳିତ କରିବାରେ ସଫଳ ହୋଇଛନ୍ତି । କରୋନା କାରଣରୁ ଦେଶବାସୀ ଯେତେବେଳେ ଲକ୍ଡାଉନ, ସଟ୍ଡାଉନ ଭଳି କଟକଣାର ସମ୍ମୁଖୀନ ହୋଇ ନିଜ ନିଜ ଘରେ ରହୁଥିଲେ, ସେତେବେଳେ ରୋଗୀମାନଙ୍କୁ ନିରନ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫଙ୍କ ସମେତ ଅନନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀମାନେ ନିଜ ନିଜ ଘରଦ୍ୱାର ଛାଡି ଡାକ୍ତରଖାନାରେ ରହୁଥିଲେ ।
ଏହି ସ୍ୱାସ୍ଥ୍ୟକର୍ମୀଙ୍କ ନିିଷ୍ଠା ଓ ତ୍ୟାଗକୁ ସମ୍ମାନ ଜଣାଇବା ସହିତ ଏବଂ ସେମାନଙ୍କ ମନୋବଳକୁ ବଜାୟ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ପ୍ରଚେଷ୍ଟା ଜାରି ରଖିଥିଲେ । ଏପରିକି କରୋନା ମହାମାରୀ ବିରୁଦ୍ଧ ଲଢେଇରେ ସେମାନଙ୍କୁ ସମ୍ମୁଖ ଯୋଦ୍ଧାର ଆଖ୍ୟ ମଧ୍ୟ ଦିଆଯାଇଥିଲା । କରୋନା ମହାମାରୀ ବିରୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ବଳିଷ୍ଠ ଓ ସମୟୋପଯୋଗୀ ପଦକ୍ଷେପକୁ ଜାତିସଂଘ ସମେତ ବିଭିନ୍ନ ଦେଶ ପ୍ରଶଂସା କରିଛନ୍ତି । କଠିନରୁ କଠିନତମ ପରିସ୍ଥିତି ଓ ଆହ୍ୱାନକୁ ସଫଳତାର ସହ ସାମ୍ନା କରିବାକୁ ଶିଖାଇଛି ଗତ ୮ ବର୍ଷର ମୋଦି ଶାସନ ବୋଲି ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଶ୍ରୀ ଜୁଏଲ ଓରାମ କହିଛନ୍ତି ।
ମହାମାରୀ କୋଭିଡ ସମୟରେ ଲୋକେ ଜୀବନ ମରଣ ସହ ସଂଗ୍ରାମ କରୁଥିବାବେଳେ ମୋଦିଜୀ ୮୦ କୋଟି ଲୋକଙ୍କୁ ମାଗଣା ରାସନ ସାମଗ୍ରୀ ପ୍ରଦାନ କରିଛନ୍ତି । ବନ୍ଦେ ଭାରତ ଯୋଜନାରେ ପ୍ରବାସୀ ଭାରତୀୟଙ୍କୁ ଏବଂ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ ଯୋଗେ ପଡୋଶୀ ରାଜ୍ୟରେ ଥିବା ଶ୍ରମିକମାନଙ୍କୁ ନିଜ ନିଜ ଘରେ ପହଂଚାଇବାର ସଫଳ ବ୍ୟବସ୍ଥା କରାଇଥିଲେ । କରୋନାରେ ଅନାଥ କିମ୍ବା ବାପା / ମା ଙ୍କୁ ହରାଇଥିବା ପିଲାମାନଙ୍କୁ ପିଏମ କେୟାର୍ସ ଯୋଜନାରେ ଛାତ୍ରବୃତି, ଜୀବନ ବୀମା ଏବଂ ଆର୍ଥିକ ସୁରକ୍ଷା ସୁନିଶ୍ଚିତ କରାଇବା ମୋଦି ସରକାରଙ୍କ ସମ୍ବେଦନଶୀଳତାକୁ ସ୍ପଷ୍ଟ କରିଛି ବୋଲି ଶ୍ରୀ ଓରାମ କହିଛନ୍ତି ।
କରୋନା କାଳରେ ନିର୍ଭିକତା ତଥା ଦକ୍ଷତାର ସହ ରୋଗୀମାନଙ୍କୁ ସେବା ଯୋଗାଇ ଦେଇଥିବା ଡାକ୍ତର, ନର୍ସ, ପାରାମେଡିକାଲ୍ସ ଷ୍ଟାପ୍, ସଫେଇ କର୍ମଚାରୀ, ସ୍ୱେଚ୍ଛାସେବୀ ଭାଇ, ଭଉଣୀମାନଙ୍କୁ ମୋଦୀ ସରକାରଙ୍କ ୮ବର୍ଷ ପୂର୍ତି ଅବସରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ପୁଷ୍ପ ଓ ଉତରୀୟ ଦିଆଯାଇ ସମ୍ମାନିତ କରାଯାଇଛି । କେନନ୍ଦ୍ରମନନ୍ତ୍ରୀ ଶ୍ରୀ ଓରାମଙ୍କ ସମେତ ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ କୁମାର ମହାନ୍ତି, ସ୍ୱଚ୍ଛଭାରତ ଅଭିଯାନ ରାଜ୍ୟ ସଂଯୋଜକ ମହେଶ ମହାନ୍ତି, ରାଜ୍ୟ ମେଡିକାଲ ସେଲର ରାଜ୍ୟ ସଂଯୋଜକ ଡ. କୈଳାଶ ଚନ୍ଦ୍ର ବିଶ୍ୱାଳ, ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ମୋହନ ଦାସ, ରାଜ୍ୟ ମୁଖପାତ୍ର ବିରଂଚଚି ନାରାୟଣ ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ସ୍ୱଚ୍ଛ ଭାରତ ଅଭିଯାନ ସହ ସଂଯୋଜକ ପଦ୍ମଜା ଦେବତା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ କୋଭିଡ୍ ଯୁଦ୍ଧର ସମ୍ମୁଖ ଯୋଦ୍ଧା ତଥା ଡାକ୍ତର, ନର୍ସ, ଟେକ୍ନିସିଆନ, ରେଡିଓଲୋଜିଷ୍ଟ, ପାରାମେଡିକାଲ ଷ୍ଟାଫ, ସ୍ୱାସ୍ଥକର୍ମୀଙ୍କୁ ଉତରୀୟ ଓ ପୁଷ୍ପ ପ୍ରଦାନ କରାଯାଇ ସମ୍ମିନତ କରାଯାଇଥିଲା ।