ରାଜ୍ୟ ସରକାରଙ୍କ ବଜେଟ ହେଉଛି “ବସ୍ତାନି ବଡ, ପାଠ କମ୍‌” : ଗୋଲକ ମହାପାତ୍ର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସଠିକ୍ ଆକଳନ ଜଣା ନଥିବା ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହି ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଗୋଲାପୀ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗତକାଲି ରାଜ୍ୟ ସରକାର ଉପସା୍ଥପିତ କରିଥିବା ବଜେଟରେ ଏହା ପୁଣି ଥରେ ପ୍ରତିଫଳିତ ହୋଇଛି । ସଂପୂର୍ଣ୍ଣ ବଜେଟ୍‌କୁ ଅନୁଧ୍ୟାନ କଲେ, ଏହା “ବସ୍ତାନି ବଡ, ପାଠ କମ୍‌” ସଦୃଶ ଅଟେ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ମିଛ କଥା କହି ରାଜ୍ୟବାସୀଙ୍କୁ ସୁନେଲୀ ସ୍ୱପ୍ନ ଦେଖାଉଥିବା ରାଜ୍ୟ ସରକାର ପ୍ରତି ବର୍ଷ ବଜେଟର ଅକାର ବଢେଇ ବଢେଇ ଚାଲିଛନ୍ତି ସତ, ମାତ୍ର ବର୍ଷ ଶେଷକୁ ୧୭ ପ୍ରତିଶତରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ ଖର୍ଚ୍ଚ କରିବାରେ ବିଫଳ ହେଉଛନ୍ତି । ୨୦୧୯ ରୁ ୨୦୨୨ ପର୍ଯ୍ୟନ୍ତ ଆକଳନ ହୋଇଥିବା ବଜେଟରୁ ୯୯,୬୯୬ କୋଟି ଟଙ୍କା ଖର୍ଚ୍ଚ ହୋଇ ନପାରିବା ରାଜ୍ୟ ସରକାରଙ୍କ ଦୁର୍ବଳ ଆର୍ଥୀକ ପରିଚାଳନାକୁ ପ୍ରମାଣିତ କରୁଛି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ ଓ ନିଯୁକ୍ତି କ୍ଷେତ୍ରରେ ବଜେଟରେ ବ୍ୟୟବରାଦ ଓ ଗ୍ରାଉଣ୍ଡ ଜିରୋରେ ବାସ୍ତବିକତା ଭିତରେ ଆକାଶ ପାତାଳ ଫରକ ଅଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

କେନ୍ଦ୍ର ସରକାରଙ୍କ ଅଂଶଧନ ଉପରେ ସଂପୂର୍ଣ୍ଣ ନିର୍ଭରଶୀଳ ଏହି ବଜେଟ । ରାଜ୍ୟ ସରକାରଙ୍କ ନିଜସ୍ୱ ରୋଜଗାର ୧,୦୫,୫୦୦କୋଟି, ଯାହା ଦରମା ଓ ପେନସନ ବାବଦରେ ଖର୍ଚ୍ଚ ହୋଇଯାଉଛି । ଓଡ଼ିଶାର ମୋଟ ରାଜସ୍ୱରେ କେନ୍ଦ୍ରୀୟ ଟିକସ ୩୬,୯୭୮କୋଟିରୁ ୪୬,୨୫୧କୋଟି ଟଙ୍କାକୁ ବୃ୍‌ଦ୍ଧି ପାଇଛି । ଏହା ସହ କେନ୍ଦ୍ରୀୟ ଅନୁଦାନ ବାବଦରେ ୩୨,୭୪୯କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ରାଜ୍ୟ ରାଜସ୍ୱ ପ୍ରାପ୍ତିର ମୋଟ ୧,୮୪,୫୦୦କୋଟି ଟଙ୍କାରୁ ପାଖାପାଖି ୭୯,୦୦୦ କୋଟି ଟଙ୍କା ହେଉଛି କେନ୍ଦ୍ରର ଅବଦାନ । ସେହିପରି ମିଶନ ଶକ୍ତି, ପିଇବା ପାଣି, ପକ୍କାଘର ନିର୍ମାଣ, ଭିତିଭୁମି ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ବଜେଟରେ ବ୍ୟୟବରାଦ ହୋଇଥିବା ସମସ୍ତ ଅନୁଦାନ କେନ୍ଦ୍ର ସରକାରଙ୍କର । ଜଳଜୀବନ ମିଶନ ପାଇଁ ୫୭୫୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫୯୩୪ କୋଟି, ଭିତିଭୁମି ନିର୍ମାଣ ପାଇଁ ୧୯୪୫୨ କୋଟି ଟଙ୍କା ହେଉଛି କେନ୍ଦ୍ରୀୟ ଅନୁଦାନ ଓ ଯୋଜନାର ଅଂଶସ୍ୱରୁପ । ରାଜ୍ୟରେ ଶିଳ୍ପ କ୍ଷେତ୍ର ପ୍ରାୟ ସୁପ୍ତାବସ୍ଥାରେ; ନିଯୁକ୍ତି ସୃଷ୍ଟି ଶୂନ୍ୟ, ଭିତିଭୁମି ବିକାଶ ପାଇଁ କୈାଣସି ଯୋଜନା ନଥିବାବେଳେ କେଉଁ ଆଧାରରେ ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ରହିବ ? ମୁଣ୍ଡ ପିଛା ଆୟ ବୃଦ୍ଧି ପାଉଛି ବୋଲି କହୁଥିବାବେଳେ ରାଜ୍ୟରେ ଦାରିଦ୍ର‌୍ୟ କାହିଁକି ହ୍ରାସ ପାଉନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ବିଗତ ବର୍ଷରେ ରାଜ୍ୟ ଆବଶ୍ୟକ ବ୍ୟୟକୁ ଭରଣା କରିବା ପାଇଁ ୨୪,୫୮୯କୋଟି ଟଙ୍କାର ଋଣ କରିଥିଲେ, ଯାହା ଚଳିତ ବର୍ଷ ବୃଦ୍ଧି ପାଇ ୩୩,୬୩୦କୋଟି ଟଙ୍କା ହୋଇଛି । ରାଜ୍ୟରେ ମୁଣ୍ଡପିଛା ଋଣଭାର ୨୨,୦୪୨ ଟଙ୍କା ଥିଲାବେଳେ, ରାଜ୍ୟ ସରକାର କରୁଥିବା ବହୁଳ ଋଣ ଓଡ଼ିଶାବାସୀଙ୍କୁ ଋଣଗ୍ରସ୍ତ କରିଚାଲିବ । ରାଜ୍ୟର ଋଣଭାର ୧.୧୨ଲକ୍ଷ କୋଟି ଟଙ୍କାରେ ପଂହଚିଛି, ଯାହା ଚିନ୍ତାର ବିଷୟ ଏବଂ ରାଜ୍ୟ ପାଇଁ ଆଦୌ ଶୁଭଙ୍କର ନୁହେଁ । ରାଜ୍ୟ ସରକାର ୨୦୦୦-୦୧ ଆର୍ôଥକ ବର୍ଷ ପାଇଁ ୩୫୦୦ କୋଟି ଟଙ୍କାର ବଜେଟ୍ ଖର୍ଚ୍ଚ ଆକଳନ କରିଥିବାବେଳେ ୨୦୨୩-୨୪ ଆର୍ôଥକ ବର୍ଷ ପାଇଁ ୧.୨୫ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି, ଯାହା ୨୦୦୦-୨୧ ମସିହା ତୁଳନାରେ ୩୫ଗୁଣା ଅଧିକ । ବଜେଟ୍‌ରେ ଖର୍ଚ୍ଚ ବଢ଼ିଥିଲେ ମଧ୍ୟ ଜାତୀୟ ହାର ୧.୭୦ଲକ୍ଷ ତୁଳନାରେ ଓଡିଶାର ମୁଣ୍ଡପିଛା ଆୟ ୧.୫୦ଲକ୍ଷ ଟଙ୍କା ରହିଛି । ଜାତୀୟ ହାର ୨୨.୫ପ୍ରତିଶତ ଥିବା ସମୟରେ ଓଡ଼ିଶାର ୨୯.୫ପ୍ରତିଶତ ଜନସାଧାରଣ ଏବେ ବି ଗରିବ ଅଛନ୍ତି । ଟିକସ ଦାତାଙ୍କ ପଇସାକୁ କିଭଳି ଭାବରେ ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ଅବ୍ୟବସ୍ଥା କରାଯାଉଛି, ତାହା ବଜେଟରେ ପ୍ରତିଫଳିତ ହୋଇଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ବାସ୍ତବରେ ବଜେଟ୍‌ରେ କୌଣସି ନୂତନତ୍ୱ ନାହିଁ । ନୂତନତ୍ୱ ନାଁରେ ଯେଉଁ କେତେକ ନୂଆ ଯୋଜନା ସୃଷ୍ଟି କରାଯାଇଛି, ତାହା କେନ୍ଦ୍ର ସରକାରଙ୍କ ଯୋଜନାକୁ ହଡପ କରାଯାଇ ଲୋକଙ୍କୁ ଭ୍ରମିତ କରିବା ଉଦ୍ଦେଶ୍ୟରେ କରାଯାଇଛି । ମିଶନଶକ୍ତି ସ୍କୁଟର ଯୋଜନାରେ ୫୦କୋଟି ଟଙ୍କା ବ୍ୟୟ ବରାଦ କରି “ନୂଆ ଯୋଜନା”ର ସୃଷ୍ଟି ହେଉଛି ବୋଲି ପ୍ରହେଳିକା ସୃଷ୍ଟି କରାନଯାଉ । ରାଜ୍ୟ ସରକାର “କାଳିଆ” ଯୋଜନାରେ ଚଳିତବର୍ଷ ଅନୁଦାନ ବଢ଼ାଇଲେ ନାହିଁ । ଗତବର୍ଷ ଏହି ଯୋଜନା ପାଇଁ ୧୮୭୪କୋଟି ଟଙ୍କା ବ୍ୟୟବରାଦ କରିଥିବାବେଳେ ଏହି ବର୍ଷ ଏହା ୧୮୭୯କୋଟି ଟଙ୍କା ବ୍ୟବରାଦ କରିଛନ୍ତି । ମୋଦି ସରକାରଙ୍କ ‘ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା’କୁ ଓଡ଼ିଶା ସରକାର “କାଳିଆ” ଅନୁଦାନ ଭାବରେ ଭ୍ରମ ସୃଷ୍ଟି କରିବାର ପ୍ରୟାସ ଜାରୀ ରଖିଛନ୍ତି । ରାଜ୍ୟରେ ବର୍ଷ ବର୍ଷ ଧରି ବିଭିନ୍ନ ଉଦ୍ୟାନ କୃଷି ଓ ଫଳ ପରିବା ମିଶନ ଅସଫଳ ହେବାର ମୁଖ୍ୟ କାରଣ ହେଉଛି ରାଜ୍ୟରେ ଶୀତଳଭଣ୍ଡାର ଏବଂ ଆନୁଷଙ୍ଗିକ ବିତରଣ ବ୍ୟବସ୍ଥାର ଅଭାବ । ସ୍ୱତନ୍ତ୍ର କୃଷି ବଜେଟ୍ ହେଲା ପରେ ବି ସରକାର ଗୋଟିଏ ହେଲେ ନୂଆ ଶୀତଳଭଣ୍ଡାରର ଯୋଜନା କରିନାହାନ୍ତି । ଏହା ସମସ୍ତ ଫଳ, ପନିପରିବା, ମାଛ ଚାଷୀଙ୍କୁ ହତୋତ୍ସାହିତ କରିଛି । ୨୦୨୦ ଆର୍ଥିକ ବର୍ଷ କୃଷି ବଜେଟରେ ୨,୯୦୧ କୋଟି; ୨୦୨୧ ରେ ୧,୫୪୪ କୋଟି ଖର୍ଚ୍ଚ ନ ହୋଇପାରିବା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଓ ଚାଷୀକୁଳ ପ୍ରତି ଉପହାସ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଓଡିଶାର ୬୦ଲକ୍ଷ ଗରିବ ପରିବାର ଓ ପାଖାପାଖି ୧କୋଟି ପ୍ରବାସୀ ଓଡ଼ିଆଙ୍କୁ ପ୍ରଧାନମନ୍ତ୍ରୀଙ୍କର କଲ୍ୟାଣକାରୀ “ଆୟୁଷ୍ମାନ ଭାରତ” ଯୋଜନାରୁ ବଂଚିତ କରି ଓଡ଼ିଶା ସରକାର ନିଜସ୍ୱ ଯୋଜନାକୁ ଗତ ବର୍ଷ ତୁଳନାରେ କମ୍ ଅର୍ଥ ବ୍ୟୟବରାଦ କରିବା ଏକ ଚିନ୍ତାଜନକ ବିଷୟ । ଗତବର୍ଷ ଏହା ୨,୬୬୪କୋଟି ଟଙ୍କା ଥିଲାବେଳେ ଏହି ବର୍ଷ ଏହା ୨,୩୮୦କୋଟି ଟଙ୍କାକୁ ହ୍ରାସ ପାଇଛି । ରାଜ୍ୟ ସରକାର ଆମ ହସ୍ପିଟାଲ ନାମରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ଘୋଷଣା କରିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ଭିତିଭୂମିରେ ବ୍ୟାପକ ଅବ୍ୟବସ୍ଥା ସହ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପଦବୀ ଖାଲି ପଡିବା ବିଡମ୍ବନାର ବିଷୟ । ଏନ୍‌ଏଫ୍‌ଏଚ୍‌ଏସ୍‌-୫ତଥ୍ୟ ଅନୁଯାୟୀ, ଓଡ଼ିଶାର ୧୯ପ୍ରତିଶତ ଶିଶୁ ଜନ୍ମ ବେଳେ କମ୍ ଓଜନ; ୩୧ ପ୍ରତିଶତ ପୁଷ୍ଟିହୀନ; ୬୪ ପ୍ରତିଶତ ଶିଶୁ ରକ୍ତହୀନତାରେ ପୀଡିତ । ୬ମାସରୁ ୫୯ମାସର ୬୪.୨ପ୍ରତିଶତ ଶିଶୁ ଓ ୬୧.୮ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାରେ ପୀଡିତ । ଓଡ଼ିଶାର ୨୧% ବାଳିକା ମଧ୍ୟ କମ ଓଜନର । ଚିନ୍ତାର ବିଷୟ ହେଉଛି ୨୦୧୫-୨୦୧୬ରେ ୧୫ରୁ ୧୯ବର୍ଷ ବୟସର ୫୧ପ୍ରତିଶତ ଅଣଗର୍ଭବତୀ ମହିଳା ଓ ବାଳିକାଙ୍କ ରକ୍ତହୀନତାର ଶିକାର ଥିବାବେଳେ ୨୦୨୦-୨୧ରେ ଏହା ୬୪ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୧୬ ରୁ ୨୦୨୨ ମଧ୍ୟରେ ୯୨,୯୨୪ ଜଣ ପାଂଚ ବର୍ଷରୁ କମ ଶିଶୁ ମୃତ୍ୟୁବରଣ କରିଛନ୍ତି । ଏହାକୁ ରୋକିବା ପାଇଁ ବଜେଟରେ ଠୋସ ପଦକ୍ଷେପ ନେଇ ନାହାନ୍ତି ରାଜ୍ୟ ସରକାର ।

ଯେଉଁ ସ୍କୁଲ ଗୁଡିକରେ ଶିକ୍ଷକ ପଦବୀ ଖାଲି ପଡିଥିବା ସହ ଭିତିଭୂମିର ଅଭାବ ରହିଛି ଏବଂ ସେହି ପଦବୀ ଗୁଡିକୁ କିପରି ପୂରଣ କରାଯିବ, ସେଥିପାଇଁ ରାଜ୍ୟ ସରକାରଙ୍କ ପାଖରେ କୌଣସି ଯୋଜନା ନାହିଁ । ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକଙ୍କ ନିଯୁକ୍ତି ନେଇ କୌଣସି ବ୍ୟବସ୍ଥା କରାଯାଇନାହିଁ । ଏହାସହ ସ୍କୁଲରେ ଥିବା କର୍ମଚାରୀଙ୍କ ଦରମା ଠିକ ସମୟରେ ନମିଳିବାରୁ ହତାଶ ହୋଇଯାଉଛନ୍ତି । ଦୀର୍ଘ ୨୫ବର୍ଷ ଶାସନରେ ରହି ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟ ବଢ଼ାଇବା ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ରାଜ୍ୟର ବେରୋଜଗାର, ବିଶେଷ ଭାବରେ ଶିକ୍ଷିତ ବେରୋଜଗାରଙ୍କ ସଂଖ୍ୟା ବୃଦ୍ଧି ପାଇବା ଚିନ୍ତାର ବିଷୟ । ୨୦୨୦-୨୧ ବର୍ଷରେ ବେରୋଜଗାର ଜାତୀୟ ହାର ୪.୨ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ୫.୩ପ୍ରତିଶତ ରହିଛି । ଓଡ଼ିଶାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପାଇଁ ମୋଟ ନାମଲେଖା ଅନୁପାତ ୨୫.୪ପ୍ରତିଶତ ରହିଛି । ସେହିପରି ମାଧ୍ୟମିକରୁ ଉଚ୍ଚ ମାଧ୍‌ୟମିକ ନାମଲେଖା ଅନୁପାତ ୪୯.୯ ପ୍ରତିଶତ ରହିଛି । ଉଚ୍ଚ ମାଧ୍ୟମିକରେ ୨୭.୩ପ୍ରତିଶତ ଅଧାରୁ ପାଠପଢ଼ା ଛାଡୁଛନ୍ତି । ଉଚ୍ଚ ମାଧ୍ୟମିକରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଅନୁପାତ ୬୨:୧ । ଗୁଣାତ୍ମକ ଶିକ୍ଷା ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ ।
୨୦୧୭ ମସିହା ନଭେମ୍ବର ୨୩ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ଆଇନ ପ୍ରଣୟନ କରିଥିଲେ ଏବଂ ୨୦୧୮ ମସିହା ଜୁଲାଇ ୨୭ରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତି ନେଇଥିଲେ । ପୁରୀ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟର ଘୋଷଣାର ୩ବର୍ଷ ପରେ ମଧ୍ୟ ଗୋଟିଏ ହେଲେ ଇଟା ପଡିପାରିଲା ନାହିଁ । କେବଳ ଘୋଷଣାରେ ସୀମିତ ଏହି ବିଶ୍ୱବିଦ୍ୟାଳୟ ପାଇଁ ମାତ୍ର ୨୦କୋଟି ଟଙ୍କା ବ୍ୟୟବରାଦ କରାଯିବା ଆଦୈା ବିଶ୍ୱାସଯୋଗ୍ୟ ନୁହେଁ । ଭୁବନେଶ୍ୱର ସ୍ଥିତ ୱାର୍ଲଡ ସ୍କିଲ୍ ସେଂଟର ପ୍ରତିଷ୍ଠା ହେବା ପରଠାରୁ ବର୍ତମାନ ସୁଦ୍ଧା ମାତ୍ର ୨୧୪ଜଣ ଓଡ଼ିଆଙ୍କୁ ତାଲିମ ଦେଇଛି । ଯାହା ଏହାର ଖରାପ ପ୍ରଦର୍ଶନକୁ ଦର୍ଶାଉଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ ।

Leave A Reply

Your email address will not be published.