ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ଦେଶବାସୀ ଅମୃତ ମହୋତ୍ସବ ପାଳନ କରୁଛି । ୨୦୨୨ ମସିହା ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ଉଦ୍ଦେଶ୍ୟରେ ମୋଦି ସରକାର ପ୍ରତିବଦ୍ଧତା ଓ ଯତ୍ନବାନ ହୋଇ କାର୍ଯ୍ୟ କରୁଛନ୍ତି । ଏହି ସମୟରେ ସାମାନ୍ୟ ବର୍ଷା କାରଣରୁ ଘର କାନ୍ଥ ପଡି ଛଅ ଛଅଟି ଅମୂଲ୍ୟ ଜୀବନ ଚାଲିଯିବା ଆଦୈା ଗ୍ରହଣୀୟ ନୁହେଁ ବରଂ ଅକଳ୍ପନୀୟ । ରାଜ୍ୟ ସରକାରଙ୍କ ଅସମ୍ବେଦନଶୀଳ ଆଚରଣ ଓ ବ୍ୟବହାର କାରଣରୁ ପକ୍କା ଘରଟିଏ ପାଇବାରୁ ବଂଚିତ ହୋଇଥିବା ମୟୂରଭଂଜ ଜିଲ୍ଲାର କପ୍ତିପଦା, ଉଦଳା ଏବଂ ବାରିପଦା ସହରରେ ବର୍ଷା ପାଣିରେ କଚ୍ଚାଘରର କାନ୍ଥ ପଡି ୬-୬ ଜଣ ପ୍ରାଣ ହରାଇଛନ୍ତି । ଲଗାଣ ବର୍ଷା ନୁହେଁ କି, ବାତ୍ୟା କି ବନ୍ୟା ବି ନୁହେଁ; ମାତ୍ର ଦୁଇ ଦିନର ବର୍ଷାରେ ୬ ଜଣଙ୍କ ମୃତ୍ୟୁ ଘଟଣା ରାଜ୍ୟରେ ଦୀର୍ଘ ୨୩ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ଥିବା ରାଜ୍ୟ ସରକାର ଓ ପ୍ରଶାସାନର ଅପାରଗତାକୁ ପ୍ରମାଣିତ କରିଛି । ଅମୃତ ମହୋତ୍ସବ ପାଳନ ଅବସରରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଜନଜାତି ସଂପ୍ରଦାୟର ମହିଳାଙ୍କୁ ସମ୍ବିଧାନର ସର୍ବୋଚ୍ଚ ସ୍ଥାନରେ ଅଳଙ୍କୃତ ହେବାକୁ ନେଇ ଆମେ ସମସ୍ତେ ଗର୍ବ ଅନୁଭବ କରୁଥିବାବେଳେ ସେହି ଜିଲ୍ଲାରେ ବିକାଶର ବିକଳ ଚିତ୍ର ସମସ୍ତଙ୍କ ସାମ୍ନାରେ ଆହ୍ୱାନ ସୃଷ୍ଟି କରିଛି ।
ପ୍ରଚାର ଓ ଭୋଟ ସର୍ବସ୍ୱ ବିଜେଡି ସରକାରର ବିଶ୍ୱସ୍ତରୀୟ ବିକାଶ ମଡେଲର ଅସଲ ମୁଖାକୁ ଏହି ଅଭାବନୀୟ ଘଟଣା ପଦାରେ ପକାଇ ଦେଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।
ଏଭଳି ଅଭାବନୀୟ ଘଟଣାର ଅନୁଧ୍ୟାନ ପାଇଁ ଗତକାଲି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ମୃତକଙ୍କ ପରିବାରବର୍ଗକୁ ଭେଟିଥିଲେ । ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସୁବର୍ଣ୍ଣରେଖା ଓ ବୈତରଣୀ ବେସିନରେ ଲଗାଣ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ତରଫରୁ ସୂଚନା ଦିଆଯାଇଥିଲା ଏବଂ ରାଜ୍ୟ ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଏବଂ ଜିରୋ କାଜୁଆଲିଟି ହେଉଛି ପ୍ରାଥମିକତା ବୋଲି ବାହାସ୍ପୋଟ ମାରିଥିଲେ ।
ମୟୂରଭଞ୍ଜ ଜିିଲ୍ଲାରେ ବନ୍ୟା ହୋଇ ନାହିଁ, ମାତ୍ର ଲଗାଣ ବର୍ଷାରେ ବାସହୀନଙ୍କ ଦୟନୀୟ ସ୍ଥିତି ସାମ୍ନାକୁ ଆସିଛି । ମାତ୍ର ୩ ଦିନର ବର୍ଷା କାରଣରୁ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଭେଜିଡିହା, ଉଦଳାର ରାଇଡାହି, ବିଶୋୟୀ ବ୍ଲକର ବାହାଡବେଢା ଏବଂ ବାରିପଦା ସହରର ୨୨ ନମ୍ବର ୱାର୍ଡରେ ଘର କାନ୍ଥ ପଡି ୬ଟି ନିରୀହ ଓ ମୂଲ୍ୟବାନ ଜୀବନ ଯାଇଛି । ଭେଜିଡିଆ ଗାଁର ପେଲମ ମହାକୁଡ ବାସଗୃହଟିଏ ପାଇବାକୁ ଯୋଗ୍ୟ ନଥିଲା କି ? କାନ୍ଥ ପଡି ମାକୁ ହରାଇଥିବା ୪ ମାସର ଶିଶୁଟିର ଦୋଷ କଣ ? ଗୋପବନ୍ଧୁ ନଗର ବ୍ଲକର ରାଇଡାହି ଗ୍ରାମର ୧୦ ବର୍ଷିୟା ଯଶୋଦା ସିଂହ ଓ ୮ ବର୍ଷୀୟା ଜ୍ୟୋତିଶଂକର ସିଂହଙ୍କ ଭଳି ନିଷ୍ପାପ ଶିଶୁ ମା କୋଳ ଖାଲି କରି ଚାଲିଯିବା; ବାରିପଦା ସହରରେ ରଶ୍ମୀ ବେହେରାଙ୍କ ମଧ୍ୟ କାନ୍ଥ ପଡି ମୃତ୍ୟୁ ହେବା ଅତ୍ୟନ୍ତ ହୃଦୟ ବିଦାରକ । ବର୍ତମାନ ସୁଦ୍ଧା ମୃତକ ପରିବାର ପାଖକୁ କୈାଣସି ପ୍ରଶାସନିକ ଅଧିକାରୀ କିମ୍ବା ସରକାରୀ ସହାୟତା ପହଂଚି ନପାରିବା ପ୍ରଶାସନର ସମ୍ବେଦନହୀନତାର ନଗ୍ନ ଉଦାହରଣ ନୁହେଁ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି ।

୨୩ବର୍ଷ ଶାସନ ଗାଦିରେ ବସିଥିବା ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଆଜି ବି ମୟୂରଭଞ୍ଜ ଜିଲ୍ଲାରେ କଚା ଘରେ ଲୋକେ ବସବାସ କରୁଛନ୍ତି । ଜିରୋ କାଜୁଆଲଟି କଥା କହି ରାଜ୍ୟ ସରକାର ବାଃ ବାଃ ସାଉଂଟୁଛନ୍ତି, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ଜିରୋ କାଜୁଆଲିଟି କାହିଁକି ତୃଣମୁଳ ସ୍ତରରେ ପାଳନ ହେଲା ନାହିଁ ? ସରକାରୀ ଅଧିକାରୀମାନେ ଏହାକୁ ପାଳନ କରିଲେ ନାହିଁ କାହିଁକି ? ଏଭଳି ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ, ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଦାବି କରିଛନ୍ତି ।
ବାସହୀନଙ୍କୁ ବାସଗୃହ ଯୋଗାଇ ଦେବା ଉଦ୍ଦେଶ୍ୟରେ ଓଡିଶାକୁ ୨୬ ଲକ୍ଷ ବାସଗୃହ ଆବଂଟନ ହୋଇଛି । କେବଳ ମୟୂରଭଞ୍ଜ ଜିଲ୍ଲା ପାଇଁ ଆବଂଟିତ ହୋଇଥିବା ୧ ଲକ୍ଷ ୪୭ ହଜାର ବାସଗୃହ ଆବଂଟନ ନହୋଇ ପଡି ରହିଛି କାହିଁକି ? ମାତ୍ର ଗ୍ରାଉଣ୍ଡ ଜିରୋରେ ଏହା ପ୍ରତିଫଳିତ ହେଉନାହିଁ । ଯୋଗ୍ୟ ହିତାଧିକାରୀ ଘରଟିଏ ପାଇବାରୁ ବଂଚିତ ହୋଇଛନ୍ତି । ଯେଉଁ ସ୍ଥାନରେ ବାସଗୃହ ଅର୍ଦ୍ଧ ନିର୍ମିତ ଅଛି, ସେଇଠି ବିଜୁ ପକ୍କା ଘର ଲୋଗୋ ଲାଗିଛି ଏବଂ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା’ ନାଁ କାଳିରେ ଲେଖା ହୋଇଛି । ଘର କେବେ ନିର୍ମାଣ ହୋଇଛି, ତାହା ଉଲ୍ଲେଖ ହୋଇନାହିଁ । ପୂର୍ବରୁ ନିର୍ମାଣ ହୋଇଥିବା ବାସଗୃହ ବିନା ଝରକା, କବାଟ ଓ ଚଟ୍ଟାଣ ଅସଂପୂର୍ଣ୍ଣ ଅବସ୍ଥାରେ ପଡିରହିଛି, ଏପରିକି ଛାତରୁ ମଧ୍ୟ ପାଣି ଗଳୁଛି । ମାତ୍ର ଏ ସମସ୍ତ ଘରକୁ ସଂପୂର୍ଣ୍ଣ ଦର୍ଶାଇ ମିଥ୍ୟା ବିଲ୍ ଜରିଆରେ ଶାସକ ବିଜେଡିର ଠିକାଦାରମାନେ ବ୍ୟାପକ ମାତ୍ରାରେ ଗରୀବଙ୍କ ଅର୍ଥକୁ ଲୁଟ୍ କରିଛନ୍ତି ବୋଲି ସ୍ଥାନୀୟ ବାସିନ୍ଦା ଓ ଓ୍ôାର୍ଡ ମେମ୍ବରମାନେ ଅଭିଯୋଗ କରିଛନ୍ତି ।
ସେହିପରି ଜାଗା ମିଶନ ଫେଲ, କେବଳ ହୋର୍ଡିଂ ଏବଂ ପ୍ରଚାର ପତ୍ରରେ ଭିତରେ ସୀମିତ ରହିଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ‘ଜମିର ଯୋଗ୍ୟତା ପ୍ରମାଣ ପତ୍ର’ର କୈାଣସି ମୂଲ୍ୟ ନାହିଁ । ଦୁର୍ନୀତି ଓ ଦଳୀୟ ଆଧାରରେ ପକ୍କାଘର ଆବଂଟନ ହୋଇଥିବାରୁ ଆଜି ୬-୬ ଜଣ ନିରୀହ ଗରିବ ଲୋକଙ୍କ ପ୍ରାଣ ଚାଲିଗଲା ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ତରଫରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଏପରିକି କେନ୍ଦ୍ରମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କୁ ଭେଟି ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ସାଂସଦମାନେ ଦାବି ଜଣାଇଥିଲେ । ଏହା ସତ୍ୱେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟା କାରଣରୁ ଓଡିଶାକୁ ୯ଲକ୍ଷ ୪୦ହଜାର ନୂତନ ଘର ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ଅସହଯୋଗ ଓ ପରଶ୍ରୀକାତରତା କାରଣରୁ ଗରିବ ଲୋକଟି ବାସଗୃହ ପାଇବାରୁ ବଂଚିତ ରହୁଛି ।
ସମ୍ବେଦନହୀନ, ପ୍ରଚାର ସର୍ବସ୍ୱ, ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା ରାଜ୍ୟ ସରକାରଙ୍କ କାରଣରୁ ସାଧାରଣ ଗରିବ ଲୋକଟି ବାସଗୃହ ପାଇବାରୁ ବଂଚିତ ରହୁଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଓ ଲଜ୍ଜାଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଶ୍ରୀ ଗୋଲକ ମହାପାତ୍ର, ବିଧାୟକ ଶ୍ରୀ ଭବାନି ଭୋଇ, ଓବିସି ମୋର୍ଚ୍ଚାର ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଠାକୁର ରଞ୍ଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।