ମିଛ ରେଜିଷ୍ଟ୍ରେସନ୍ କରାଇ ନିର୍ମାଣ ଶ୍ରମିକଙ୍କଠାରୁ ଭୋଟ୍ ହାତେଇବା ଚକରରେ ରହୁଛି ଶାସକ ବିଜେଡି, ଟାର୍ଗେଟ କଲା ବିଜେପି

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଅଣସଂଗଠିତ ଶ୍ରମିକ ଓ କର୍ମଚାରୀମାନଙ୍କ ସାମଗ୍ରିକ ବିକାଶ ପାଇଁ କଟିବଦ୍ଧ ମୋଦି ସରକାର । ଦେଶର କୋଟି କୋଟି ଶ୍ରମିକ ଏବଂ କର୍ମଚାରୀମାନଙ୍କ ସାମର୍ଥ୍ୟ ଆଜି ନୂତନ ଭାରତ ଆଧାରସ୍ତମ୍ଭ ପାଲଟିଛି । ୩୮କୋଟି ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନାରେ ଶ୍ରମିକ ଭାଇ ଓ ଭଉଣୀଙ୍କ ଆର୍ଥୀକ ସହାୟତା ପାଇଁ ମାସିକ ୩୦୦୦ଟଙ୍କା ସୁନିଶ୍ଚିତ କରିଥିବାରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଦୁର୍ଗାପୂଜା ମଣ୍ଡପ ନିକଟରେ ଅଣସଂଗଠିତ ଶ୍ରମିକ ସମ୍ମିଳନୀରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣକାରୀ ବିଭିନ୍ନ ଯୋଜନା ଇ-ଶ୍ରମ କାର୍ଡ, ଅଟଳ ପେନସନ, ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ଲାଭାନ୍ୱିତ ହୋଇଥିବା ହିତାଧିକାରୀଙ୍କୁ ସମ୍ମାନିତ କରିଛନ୍ତି ରାଜ୍ୟ ସଭାପତି ଶ୍ରୀ ମହାନ୍ତି ।
ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ ମୋଦି ସରକାର ପ୍ରଣୟନ କରିଥିବା ଯୋଜନାଗୁଡିକ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଅଧାବାଟରେ ଅଟକିଯାଇଛି । ଭୁବନେଶ୍ୱର ଭଳି ସହରରେ ସକାଳ ହେଲା ମାତ୍ରେ କାମଧନ୍ଦା ଅନ୍ୱେଷଣରେ ଥିବା ଅଣସଂଗଠିତ ଶ୍ରମିକମାନଙ୍କ ପାଇଁ କୈାଣସି ବ୍ୟବସ୍ଥା ନାହିଁ । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ ଆସୁଥିବା ସତ୍ୱେ ତାଙ୍କ ପାଇଁ ବସିବା, ପନୀୟ ଜଳ, ଶୈାଚାଳୟଟିଏ ମଧ୍ୟ ନଥିବା କାରଣରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଂଚଳରେ ଅଣସଂଗଠିତ ଶ୍ରମିକମାନଙ୍କୁ ପ୍ରତାରଣା କରାନଯାଇ ତାଙ୍କ ପାଇଁ ଯେଉଁ ଯୋଜନା ଅଛି, ତାର ସଫଳ ରୂପାୟନ କରାଯାଉ । ନିର୍ବାଚନ ପୂର୍ବରୁ ନିର୍ମାଣ ଶ୍ରମିକ ଭାବରେ ମିଛ ରେଜିଷ୍ଟ୍ରେସନ୍ କରାଇ ଶାସକ ବିଜେଡି ଶ୍ରମିକଙ୍କଠାରୁ ଭୋଟ୍ ହାତେଇବା ଚକରରେ ରହୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ବାସ୍ତବ କ୍ଷେତ୍ରରେ ସଠିକ କାର୍ଯ୍ୟନ୍ୱୟନର ସମୀକ୍ଷା ଏବଂ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଦେଶବ୍ୟାପୀ ଗତ ୭ରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ତରଫରୁ ସାମାଜିକ ନ୍ୟାୟ ପକ୍ଷ ପାଳନ କରାଯାଉଛି । ଆଜି ଏହି ଅବସରରେ ଅଣସଂଗଠିତ ଶ୍ରମିକଙ୍କ ପାଇଁ ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣମୁଳକ ଯୋଜନାର କାର୍ଯ୍ୟାନ୍ୱୟନ ଏବଂ ଏହାର ବାସ୍ତବସ୍ଥିତି ସଂପର୍କରେ ବିଜେପି କାର୍ଯ୍ୟକର୍ତାମାନେ ଗ୍ରାଉଣ୍ଡ ଜିରୋକୁ ଯାଇ ଅବଗତ ହେବା ସହ ସଚେତନତା ସୃଷ୍ଟି କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଅବସରରେ ବରିଷ୍ଠ ନେତା ଶାରଦା ଶତପଥୀ, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ରମାରଂଜନ ବଳିୟାରସିଂହ, ଠାକୁର ରଣଜିତ ଦାସ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ରାଜ୍ୟ ସାମାଜିକ ସଂଗଠନ ସଂଯୋଜକ ରଶ୍ମିରଞ୍ଜନ କାନୁନଗୋ, ଦୀଲିପ ବେହେରା, ଅଞ୍ଜନ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.