ସରକାରଙ୍କ ଦାୟୀତ୍ୱହୀନତା କାରଣରୁ ଲକ୍ଷ ଲକ୍ଷ ଲୋକ ଆଜି ଦୁର୍ଦ୍ଦଶାରେ, ରାଜ୍ୟ ସରକାରଙ୍କୁ ବିଜେପିର ଟାର୍ଗେଟ

0

ଓଡିଆ ନ୍ୟୁଜ୍(ବ୍ୟୁରୋ): ଚାରି ଦିନପରେ ବି ବନ୍ୟା ପରିଚାଳନା, ବନ୍ୟା ନିୟନ୍ତ୍ରଣ, ବନ୍ୟା ପ୍ରପିଡୀତଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ରାଜ୍ୟ ସରକାର । ଜଳବନ୍ଦୀ ହୋଇ ରହିଥିବା ଅଧିକାଂଶ ଜାଗାରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସାତ ସପନ ହୋଇଛି । ବନ୍ୟା ପୀଡିତ ଲୋକେ ଭଗବାନଙ୍କୁ ଭରସା କରି ଜୀବନ କାଟୁଛନ୍ତି । ବନ୍ୟାଂଚଳବାସୀଙ୍କ ପାଇଁ ରାଜ୍ୟ ସରକାର ପଲିଥିନି କି ମହମବତୀ ଯୋଗାଇ ନଥିବାବେଳେ ଖାଦ୍ୟ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି । ୨୨ବର୍ଷ ଶାସନରେ ଥାଇ ମଧ୍ୟ ରାଜ୍ୟ ସରକାର ବନ୍ୟା ଏବଂ ବନ୍ୟା ପରବର୍ତୀ ପରିସ୍ଥିତି ପରିଚାଳନାରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି ।

ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା କାରଣରୁ ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ଦାୟୀତ୍ୱହୀନତା କାରଣରୁ ଲକ୍ଷ ଲକ୍ଷ ଲୋକମାନେ ଆଜି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଏହି ବନ୍ୟା ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବିଜେପିର ୩ଟି ଟିମ୍ ଗତ ୪ ଦିନ ହେଲାଣି ବିଭିନ୍ନ ବନ୍ୟା ଅଂଚଳକୁ ଯାଇ ବାସ୍ତବସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରୁଛନ୍ତି । ବନ୍ୟାଂଚଳବାସୀଙ୍କ ଅସହାୟତା ଅତ୍ୟନ୍ତ ଅବର୍ଣ୍ଣନୀୟ ଏବଂ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ସରକାରୀ ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ବନ୍ୟାରେ ୬ଜଣ ଲୋକଙ୍କ ପ୍ରାଣ ହରାଇଛନ୍ତି, ବେସରକାରୀ ତଥ୍ୟ ଅଧିକ ।

ବନ୍ୟାରେ ଜନସାଧାରଣଙ୍କ ବ୍ୟାପକ ଧନ ସମ୍ପତି ଓ ଫସଲ ହାନୀ ହେବା ସହିତ ବହୁ ଗୃହପାଳିତ ପଶୁ ନିଖୋଜ ଅଛନ୍ତି । ବର୍ତମାନ ସୁଦ୍ଧା ଶୁଖିଲା ଓ ରନ୍ଧା ଖାଦ୍ୟ, ମହମବତୀ, ତାରପୋଲିନ ଜରି ଆଦି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦେବାରେ ମଧ୍ୟ ବିଫଳ ହୋଇଛନ୍ତି । ପାନୀୟ ଜଳ ଅଭାବ କାରଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ବନ୍ୟା ପାଣି କାରଣରୁ ବିଷାକ୍ତ ସାପ ମଧ୍ୟ ଘର ଭିତରକୁ ପଶି ଯାଉଥିବାରୁ ବୟସ୍କ ଓ ଛୋଟ ଛୋଟ ପିଲାମାନଙ୍କ ଜୀବନ ବିପଦରେ ପଡିଛି । ବେସରକାରୀ ସଂସ୍ଥା ଓ ଅନୁଷ୍ଠାନଗୁଡିକ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଅଗ୍ରଣୀ ଭୁମିକା ନେଉଥିବାବେଳେ ସରକାର ଓ ପ୍ରଶାସନ ବନ୍ୟାଂଚଳବାସୀଙ୍କ ନିକଟରେ ଅପହଂଚ ହୋଇ ରହିବା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ଅନେଇ ବସିଛନ୍ତି । ଏହି ଆଳରେ ସୁବିଧାରେ ଅର୍ଥ ହଡପ୍ କରିବାର ସୁଯୋଗ ପାଇଯାଉଛନ୍ତି । ରାଜ୍ୟର ନଦୀବନ୍ଧ, ବାଡ ମରାମତି ପାଇଁ କେନ୍ଦ୍ର ସରକାର ପଠାଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ଚଳୁ କରିଦେଉଛନ୍ତି । ଦଳୀୟ ଠିକାଦାରଙ୍କ ସହାୟତାରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବ୍ୟାପକ ହରି ଲୁଟ୍ କରୁଛନ୍ତି । ସେହିପରି ଅସମ୍ବେଦନଶୀଳ ରାଜ୍ୟ ସରକାରଙ୍କ ପାଖରେ ‘ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ର କୈାଣସି ମୂଲ୍ୟ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଜଳ ସଂରକ୍ଷଣ ଏବଂ ବନ୍ୟା ଜଳ ପରିଚାଳନାରେ ଫେଲ ହେଉଥିବା ରାଜ୍ୟ ସରକାର ସବୁବେଳେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେବାର ଅପପ୍ରୟାସ କରିଥାନ୍ତି ।

୨୨ ବର୍ଷ ଶାସନରେ ଗୋଟିଏ ବି ବ୍ୟାରେଜ କିମ୍ବା ଡ୍ୟାମ ନିର୍ମାଣ କରିନଥିବା ରାଜ୍ୟ ସରକାର ସବୁବେଳେ ପଡୋଶୀ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶକୁ ଦୋଷ ଦେଇ ନିଜ ଦାୟୀତ୍ୱରୁ ଓହରି ଯିବା ସହିତ ରାଜ୍ୟବାସୀଙ୍କୁ ପ୍ରତାରଣା କରିଆସୁଛନ୍ତି । ହୀରାକୁଦ ଡ୍ୟାମର ଜଳଧାରଣା ଏବଂ ବନ୍ୟାଜଳ ନିଷ୍କାସନ ପରିଚାଳନା ପାଇଁ ଥିବା ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ରାଜ୍ୟ ସରକାର ମନଇଚ୍ଛା ଗେଟ୍ ଖୋଲି ଦେଉଛନ୍ତି । ବନ୍ୟା ପୂର୍ବ ପ୍ରସ୍ତୁତି ଆଳରେ ସଚିବାଳୟରେ ହେଉଥିବା ଅଧିକାରୀ ବୈଠକ ବାସ୍ତବ କ୍ଷେତ୍ରରେ ସଂପୂର୍ଣ୍ଣ ଓଲଟା । ଉପରମୁଣ୍ଡରେ ଥିବା ପଡୋଶୀ ରାଜ୍ୟ ସରକାରଙ୍କ ସହ କୈାଣସି ଆଲୋଚନା କରାଯାଉନାହିଁ । ମହାନଦୀ ବେସିନରେ ସୃଷ୍ଟି ହୋଇଥିବା ବନ୍ୟା ସଂପର୍କରେ ରାଜ୍ୟ ସରକାର ସଂପୂର୍ଣ୍ଣ ଅବଗତ ଥିବା ସତ୍ୱେ କାହିଁକି ବିହୀତ ପଦକ୍ଷେପ ଗ୍ରହଣ କଲେ ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି ।

ବନ୍ୟା ହେବାର ୪ଦିନ ପରେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ କୈାଣସି ରିଲିଫ ଦିଆଯାଇନଥିଲା । ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟାଂଚଳ ପରିଦର୍ଶନ କରିବା ପରେ ବିଳମ୍ବରେ ରିଲିଫ ଯୋଗାଇ ଦେବାର ଘୋଷଣା କଲେ, କିନ୍ତୁ ବର୍ତମାନ ସୁଦ୍ଧା ବହୁ ଅଂଚଳରେ ରିଲିଫ ସାମଗ୍ରୀ ପହଂଚିନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରୀ ଘରଟିଏ ନପାଇ ଖୋଲା ଆକାଶ ତଳେ ବର୍ଷା ପାଣି ଏବଂ ବନ୍ୟା ପାଣିରେ ରହୁଛି । ଦଳୀୟ ଆଧାରରେ ପଲିଥିନ ଓ ରିଲିଫ ସାମଗ୍ରୀ ବଂଟନ କରାଯାଉଛି । ରାଜ୍ୟବାସୀଙ୍କ ପ୍ରତି ନୈତିକତା, ଦାୟିତ୍ୱବୋଧ ଓ ଉତରଦାୟିତ୍ୱକୁ ନିର୍ବାହ କରୁନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।

ବର୍ଷଦିନ ଆରମ୍ଭରୁ ନଦୀବନ୍ଧ ମରାମତି ଦାୟିତ୍ୱ ଜଳସମ୍ପଦ ବିଭାଗ ନେବା କଥା କିନ୍ତୁ କୌଣସି କାର୍ଯ୍ୟ ହୋଇନାହିଁ । ବନ୍ୟା ପାଇଁ ଜଳସମ୍ପଦ ବିଭାଗ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ ଏବଂ ଏଥି ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ । ବନ୍ୟା ପରିଚାଳନା ପାଇଁ ଦୀର୍ଘସୁତ୍ରୀ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଏହାକୁ ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି । ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.