ଓଡିଆ ନ୍ୟୁଜ୍(ବ୍ୟୁରୋ): ଶାସନ କ୍ଷମତାକୁ ଆସିବା ପରେ ମୋଦି ସରକାର ଭାରତବର୍ଷକୁ ବାହ୍ୟମଳମୁକ୍ତ ରାଷ୍ଟ୍ର ଭାବେ ଗଢି ତୋଳିବା ପାଇଁ ସଂକଳ୍ପ ନେଇଥିଲେ । ପ୍ରତିଟି ଘରେ ଶୈାଚାଳୟ ନିର୍ମାଣ କରି ବାହ୍ୟମଳ ପରିତ୍ୟାଗରୁ ସମାଜକୁ ମୁକ୍ତ କରାଯିବା ଲକ୍ଷ୍ୟରେ ମୋଦି ସରକାର ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଥିଲେ ଏବଂ ଏଥି ପାଇଁ ବ୍ୟାପକ ମାତ୍ରାରେ ଆର୍ଥୀକ ଅନୁଦାନର ବ୍ୟବସ୍ଥା ମଧ୍ୟ କରିଥିଲେ । ଓଡିଶା ରାଜ୍ୟ ପାଇଁ ଏହି ଯୋଜନା ମାଧ୍ୟମରେ ବ୍ୟାପକ ମାତ୍ରାରେ କେନ୍ଦ୍ରୀୟ ଅନୁଦାନ ଆସିଛି । ଏହି ଯୋଜନା ଜରିଆରେ ଶୈାଚାଳୟ ନିର୍ମାଣ ପାଇଁ ଓଡିଶାକୁ ଆସିଥିବା ଶହ ଶହ କୋଟି ଟଙ୍କାକୁ ଶାସକ ବିଜେଡି ମନ୍ତ୍ରୀ ଓ ନେତାମାନେ ଚଂଚକତା କରି ହରିଲୁଟ କରିଛନ୍ତି । ରାଜ୍ୟର ଗ୍ରାମାଂଚଳମାନଙ୍କରେ “ବାହ୍ୟ ମଳମୁକ୍ତ ଗ୍ରାମ”ର ସିମେଂଟର ଫଳକ ଲାଗିଛି ସତ, କିନ୍ତୁ ବାସ୍ତବରେ ଶୈାଚାଳୟ ନିର୍ମାଣ ହୋଇନାହିଁ । ସ୍ୱଚ୍ଛ ଭାରତ ଅଭିଯାନର ମୁଳ ଉଦ୍ଦେଶ୍ୟରୁ ବାହାରି ଯାଇ ବ୍ୟାପକ ହରିଲୁଟ୍ରେ ବ୍ୟସ୍ତ ଅଛନ୍ତି ଶାସକ ବିଜେଡି ମନ୍ତ୍ରୀ ଓ ନେତାମାନେ ।
ସାଧାରଣ ଗରୀବ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ଲୋକଙ୍କ ପାଇଁ ଆସୁଥିବା ଅର୍ଥକୁ ଆତ୍ମସାତ କରିବା ଅତ୍ୟନ୍ତ ଲଜ୍ଜାଜନକ । ଏହାକୁ ଅଦୈା ବରଦାସ୍ତ କରାଯିବ ନାହିଁ ଏବଂ ଗାଁ ଗାଁ ବୁଲି ପାଇଖାନା ଦୁର୍ନୀତି ପ୍ରସଙ୍ଗରେ ଲୋକଙ୍କୁ ଅବଗତ କରାଯିବ । ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିବା ପାଇଁ ବିଜେପି ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ତରଫରୁ ନିଷ୍ପତି ନିଅଯାଇଛି । ବିଜେପି ସ୍ୱଚ୍ଛ ଭାରତ ଅଭିଯାନ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ଶ୍ରୀ ମହେଶ ମହାନ୍ତିଙ୍କ ନେତୃତ୍ୱରେ ୫ ଜଣିଆ ରାଜ୍ୟ କମିଟି ଗଠନ ହୋଇଛି ଏବଂ ଏହି କମିଟିର ସଦସ୍ୟମାନେ ରାଜ୍ୟର ସମସ୍ତ ଅଂଚଳ ଗସ୍ତ କରି ଶୈାଚାଳୟ ନିର୍ମାଣ ଓ ବାସ୍ତବ ସ୍ଥିତି ନିରୀକ୍ଷଣ କରିବେ ।
ସେହିପରି ଗତ ୨ ବର୍ଷ ହେଲାଣି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ବନ୍ଦ ରହିଛି ଏବଂ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରାରେ ବହୁ ଜନସମାଗମ ହେବାର ସମ୍ଭାବନା ରହିଛି । ଏହା ଦ୍ୱାରା ପୁରୀ ସମେତ ଆଖପାଖ ଅଂଚଳରେ ଅଳିଆ ଆବର୍ଜନା ବୃଦ୍ଧି ପାଇବ । ତେଣୁ ଆସନ୍ତା ପବିତ୍ର ରଥଯାତ୍ରା ଅବସରରେ “ସ୍ୱଚ୍ଛ ପୁରୀ ଅଭିଯାନ” ଆରମ୍ଭ କରାଯାଇ ପୁରୀ ଓ ଏହାର ଆଖପାଖ ଅଂଚଳକୁ ସ୍ୱଚ୍ଛ ରଖିବା ଉଦ୍ଦେଶ୍ୟରେ ସ୍ୱଚ୍ଛଛତା ଆଚରଣ ପାଇଁ ଯାତ୍ରୀମାନଙ୍କୁ ସଚେତନ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ରାଜ୍ୟ ସଂଯୋଜକ ଶ୍ରୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ବୈଠକରେ କମିିଟିର ସଦସ୍ୟ ଶ୍ରୀମତୀ ପଦ୍ମଜା ଦେବତା, ଲମ୍ବୋଦର ନାୟକ, ମହେଶ ମିଶ୍ର ଏବଂ କାଳିପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଆଗାମୀ କାର୍ଯ୍ୟପନ୍ଥା ଉପରେ ବିସ୍ତୃତ ଆଲୋଚନା କରିଥିଲେ ।