ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ଜିତିବାକୁ ବିଜେପି ପ୍ରସ୍ତୁତ କରିଛି ମାଷ୍ଟର ପ୍ଲାନ । ନିର୍ବାଚନ ସୁପରିଚାଳନା ଓ ପ୍ରଚାର ଲାଗି ରାଜ୍ୟ ବିଜେପି ୨ଟି କମିଟି ଗଠନ କରିଛି । ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମଙ୍କ ଅଧ୍ୟକ୍ଷତାରେ ୮ ଜଣ ସଦସ୍ୟ ବିଶିଷ୍ଟ ନିର୍ବାଚନ ପରିଚାଳନା କମିଟି ଗଠିତ ହୋଇଛି । ସେହିଭଳି ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ୧୪ ସଦସ୍ୟଙ୍କୁ ନେଇ ବିଜେପି ଗଠନ କରିଛି ନିର୍ବାଚନ ପ୍ରଚାର କମିଟି । ଆସନ୍ତାକାଲି ବିଜେପି ପ୍ରାର୍ଥୀ ଭାବେ ରାଜ୍ୟ ବିଜେପିର ସମ୍ପାଦକ ଟଙ୍କଧର ତ୍ରିପାଠୀ ନାମାଙ୍କନପତ୍ର ଦାଖଲ କରିବେ । ଏହା ପୂର୍ବରୁ ଆଜି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏହି ଦୁଇଟି କମିଟିର ଘୋଷଣା କରିଛନ୍ତି । ଯେଉଁଥିରେ ନିର୍ବାଚନ ସୁପରିଚାଳନା ସହ ନିର୍ବାଚନ ପ୍ରଚାରକୁ ଗୁରୁତ୍ୱ ଦିଆଯାଇଛି । ବିଜେପିର ୮ ଜଣିଆ ନିର୍ବାଚନ ସୁପରିଚାଳନା କମିଟିରେ ଜୁଏଲ୍ ଓରାମ ଅଧ୍ୟକ୍ଷ ରହିଥିବା ବେଳେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, କେଭି ସିଂହଦେଓ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସମୀର ମହାନ୍ତି, ରବି ନାରାୟଣ ନାୟକ ଓ ଗୋଲକ ପ୍ରସାଦ ମହାପାତ୍ର ଅଛନ୍ତି । ସେହିଭଳି ସାଂସଦ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ସାଂସଦ ସଙ୍ଗୀତା ସିଂଦେଓ, ନିତେଶ ଗଙ୍ଗଦେବ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ଶଙ୍କର ଓରାମ, ନାଉରୀ ନାୟକ, ସୁବାଷ ପାଣିଗ୍ରାହୀ, ପ୍ରଦୀପ ପୁରୋହିତ, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ମୁକେଶ ମହାଲିଙ୍ଗ ଓ ରଞ୍ଜନ ପଟେଲ୍ ଅଛନ୍ତି ।
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଗତକାଲି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତରୁଣ ହେଉଛନ୍ତି ୩ ଥରର ଝାରସୁଗୁଡ଼ା ବିଧାୟକ ସ୍ବର୍ଗତ ବୀରେନ୍ ପାଣ୍ଡେଙ୍କ ପୁଅ। ଆଜି ସେ ନିଜର ସମର୍ଥକ ଓ ବରିଷ୍ଠ ନେତାଙ୍କ ସହ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ ନିକଟରେ ନିଜର ନାମାଙ୍କନ ଭରିଛନ୍ତି। ଏହି ପ୍ରାର୍ଥୀପତ୍ର ଦାଖଲ ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ବିଧାୟକ ତାରା ପ୍ରସାଦ ବାହିନୀପତି ପ୍ରମୁଖ ଉପସ୍ଥିତ ଥିଲେ। ଉଲ୍ଲେଖ ଥାଉ କି ପ୍ରଦେଶ କଂଗ୍ରେସ କମିଟିର ୫ ଜଣିଆ ଟିମ୍ ଝାରସୁଗୁଡ଼ା ଗସ୍ତ କରି ଦଳୀୟ ପ୍ରାର୍ଥିତ୍ବ ନେଇ କର୍ମୀ ଓ ନେତାଙ୍କ ସହ ବିଚାରବିମର୍ଶ କରିଥିଲେ।ଟିମ୍ ୬ ଜଣିଆ ତାଲିକା ପ୍ରସ୍ତୁତ କରି ଦଳର ରାଜ୍ୟ କମିଟିକୁ ହସ୍ତାନ୍ତର କରିଥିଲା। ତେବେ ଏଆଇସିସି ତରୁଣଙ୍କ ନାମ ଉପରେ ମୋହର ଲଗାଇଥିଲା। ତରୁଣ କୌଣସି ସାଧାରଣ ନିର୍ବାଚନରେ ପୂର୍ବରୁ ପ୍ରତିଦ୍ବନ୍ଦିତା କରିନଥିବା ବେଳେ ପ୍ରଥମ ଥର ପାଇଁ ଦଳ ତାଙ୍କୁ ଉପ ନିର୍ବାଚନ ମଇଦାନରେ ଠିଆକରେଇଛି । ଝାରସୁଗୁଡାର ବିଧାୟକ ନବ କିଶୋର ଦାସଙ୍କ ମୃତ୍ୟୁ ପରେ ଉକ୍ତ ଆସନ ଖାଲି ପଡ଼ିଥିଲା । ମେ ୧୦ ତାରିଖରେ ଏହି ଉପନିର୍ବାଚନ ଲାଗି ଭୋଟ୍ ଗ୍ରହଣ କରାଯିବ।ଏଣେ ଆସନ୍ତା ୧୭ ତାରିଖରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି । ସେହିପରି ୧୮ ତାରିଖରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ।