ବଲାଙ୍ଗୀର ନକଲି ସାର୍ଟିଫିକେଟ୍ କେଳେଙ୍କାରୀ: ହାର୍ଡଡିସ୍କର ଶହ ଶହ ବ୍ଲାଙ୍କ୍ ସାର୍ଟିଫିକେଟ୍ ନେଇ ଟେନସନରେ କ୍ରାଇମବ୍ରାଞ୍ଚ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦିନକୁ ଦିନ ସଂଗୀନ ସ୍ଥିତି ଆଡ଼କୁ ଗତିକରୁଛି ବଲାଙ୍ଗୀର ନକଲି ସାର୍ଟିଫିକେଟ୍ କେଳେଙ୍କାରୀ। ପ୍ରତ୍ୟେକ ଦିନ ଆସୁଛି କିଛି କିଛି ନୂଆ ନୂଆ ତଥ୍ୟ। କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ହାତରେ କୋଚିଂ ସେଣ୍ଟର୍ ମାଲିକ ମନୋଜ ମିଶ୍ରର ଯେଉଁ ୪ କମ୍ପ୍ୟୁଟର୍ ହାର୍ଡ ଡିସ୍କ ଲାଗିଛି, ସେଥିରେ ବି ଶହ ଶହ ବ୍ଲାଙ୍କ୍ ସାର୍ଟିଫିକେଟ୍ ରହିଛି। ଅବିକଳ ଅସଲି ଭଳି ଦେଖାଯାଉଥିବା ଏହି ସାର୍ଟିଫିକେଟ୍ ପୂର୍ବରୁ ଡିଜାଇନ୍ ହୋଇଥିବା ବେଳେ ଏଗୁଡ଼ିକ ମନୋଜ ନିଜେ ବଲାଙ୍ଗୀରରେ ଥିବା କୋଚିଂ ସେଣ୍ଟର୍ରେ ପ୍ରିଣ୍ଟର୍ ମାଧ୍ୟମରେ ଛାପୁଥିଲା କି? ମନୋଜର କୋଚିଂ ସେଣ୍ଟର୍ର କମ୍ପ୍ୟୁଟର୍ ଶିକ୍ଷକ ଆଲୋକ ରଞ୍ଜନ ଉଦ୍ଗାତା ଛାପିବା ଦାୟିତ୍ବରେ ଥିଲା କି? ରାଜ୍ୟ ବାହାର ଶିକ୍ଷାନୁଷ୍ଠାନ ନାଁ ନେଇ ତଦନ୍ତକାରୀ ଅଧିକାରୀଙ୍କୁ ମନୋଜ ଭୂଆଁ ବୁଲାଉନାହିଁ ତ? ତଦନ୍ତର ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କ ମନରେ ଏଭଳି ପ୍ରଶ୍ନ ଉଠିଲାଣି। ରାଜ୍ୟ ବାହାର ଲିଙ୍କ ସମ୍ପର୍କରେ ସ୍ପଷ୍ଟ ହେବାକୁ କ୍ରାଇମବ୍ରାଞ୍ଚ ଏମାନଙ୍କ ମୋବାଇଲ୍ ଯାଞ୍ଚ ଆରମ୍ଭ କରିଦେଇଛି। ଜଣେ କିରାଣିଙ୍କ ପୁଅ ମନୋଜ କୁମାର ମିଶ୍ର ବାଣିଜ୍ୟ ପଢ଼ିବା ପରେ ୧୯୯୮ରେ ବଲାଙ୍ଗୀର ଟାଉନ୍ ସିଭିଲ୍ କୋର୍ଟ ନିକଟରେ ତିନି ଜଣ ବନ୍ଧୁଙ୍କୁ ନେଇ ଘରୋଇ କୋଚିଂ ସେଣ୍ଟର୍ ଆରମ୍ଭ କରିଥିଲା।
୨୦୧୬ରେ ଏହି ଶିକ୍ଷାନୁଷ୍ଠାନରେ ଏମ୍ସିଏ ପଢ଼ିଥିବା ଆଲୋକ ରଞ୍ଜନ ଉଦ୍ଗାତା କମ୍ପ୍ୟୁଟର୍ ଶିକ୍ଷକ ଭାବେ ଯୋଗ ଦେଇଥିଲା। ତା ପରଠାରୁ ଏହି ନକଲି ସାର୍ଟିଫିକେଟ୍ କେଳେଙ୍କାରୀ ଦ୍ରୁତ ଗତିରେ ବଢ଼ିବା ଘଟଣା ପଛରେ ଆଲୋକର ଭୂମିକା ଏବେ ସବୁଠାରୁ ଅଧିକ ସନ୍ଦେହ ସୃଷ୍ଟି କରୁଛି। ରବିବାର କ୍ରାଇମବ୍ରାଞ୍ଚ ଡିଏସ୍ପି ଦେବବ୍ରତ ଚକ୍ରଙ୍କ ନେତୃତ୍ବରେ ଏକ ୫ ଜଣିଆ ଟିମ୍ ମନୋଜର ସିଲ୍ ହୋଇଥିବା କୋଚିଂ ସେଣ୍ଟର୍ ଓ ବଲାଙ୍ଗୀର ମୁଖ୍ୟ ଡାକଘରକୁ ଯାଇଥିଲା। ରବିବାର ଡାକଘର ବନ୍ଦ୍ ଥିବାରୁ କ୍ରାଇମବ୍ରାଞ୍ଚ ପୁଣି ଥରେ ଡାକ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରିବାକୁ ଯୋଜନା କରୁଛି। ଏହାସହିତ ବଲାଙ୍ଗୀର ଟାଉନ୍ ଥାନା ଆଇଆଇସି, ସଦର ଥାନା ଆଇଆଇସି ଓ ବଲାଙ୍ଗୀର ଏସ୍ଡିପିଓଙ୍କ ସହିତ ଟାଉନ୍ ଥାନାରେ ଆଲୋଚନା କରିଥିଲା। ତଦନ୍ତ କ୍ଷେତ୍ରରେ ଯଦିଓ ବିଶେଷ ଅଗ୍ରଗତି ହୋଇ ନାହିଁ, କିନ୍ତୁ ରାଜ୍ୟ ବାହାର ଲିଙ୍କକୁ ନେଇ କ୍ରାଇମବ୍ରାଞ୍ଚ ଅଧିକାରୀ ଦ୍ବନ୍ଦ୍ବରେ ପଡ଼ିଯାଇଛନ୍ତି। ଗୋଟିଏ ପଟେ ଆନ୍ଧ୍ରପ୍ରଦେଶ, ସିକିମ୍, କର୍ଣ୍ଣାଟକ, ନୂଆଦିଲ୍ଲୀ, ବିହାର, ମଧ୍ୟପ୍ରଦେଶର ବୁନ୍ଦେଲଖଣ୍ଡ, ଉତ୍ତରପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନର ୪୧ଟି ସ୍କୁଲ୍ ଓ ବିଶ୍ବବିଦ୍ୟାଳୟ ନାଁରେ ପ୍ରାୟ ୫ ହଜାର ସାର୍ଟିଫିକେଟ୍ ଓ ମାର୍କସିଟ୍ ଜବତ ହୋଇଥିବା ବେଳେ ଆହୁରି ହାର୍ଡଡିସ୍କରେ ଶହ ଶହ ସାର୍ଟିଫିକେଟ୍ ରହିଛି। କିନ୍ତୁ ହାର୍ଡଡିସ୍କରେ ଥିବା ସାର୍ଟିଫିକେଟ୍ ବ୍ଲାଙ୍କ୍ ଥିବା କ୍ରାଇମବ୍ରାଞ୍ଚ ଟିମ୍ ଦେଖିବାକୁ ପାଇଛି। ଅର୍ଥାତ୍ ସାର୍ଟିଫିକେଟ୍ ପୂର୍ବରୁ ଡିଜାଇନ୍ ହୋଇ କମ୍ପ୍ୟୁଟର୍ରେ ଥିବା ବେଳେ ପ୍ରାର୍ଥୀଙ୍କ ଆବଶ୍ୟକତା ଅନୁଯାୟୀ, ସେମାନଙ୍କ ନାଁ ଲେଖି ଏହାକୁ ଛପାଯାଉଥିବା କୁହାଯାଉଛି।
କ୍ରାଇମବ୍ରାଞ୍ଚ ମନୋଜର ଚାରିଟି କମ୍ପ୍ୟୁଟର୍ ଓ ଚାରିଟି ହାର୍ଡଡିସ୍କ, ଦୁଇଟି ଲାପ୍ଟପ୍, ତିନୋଟି ପ୍ରିଣ୍ଟର୍, ସ୍କାନର୍ ଜବତ କରିଥିବାରୁ କୋଚିଂ ସେଣ୍ଟର୍ରେ ସାର୍ଟିଫିକେଟ୍ ଛପାଯାଉଥିବା ତଦନ୍ତକାରୀ ଅଧିକାରୀ ସନ୍ଦେହ କରୁଛନ୍ତି। ଏଗୁଡ଼ିକ ଫରେନସିକ୍ ସାଇନ୍ସ ଲାବୋରେଟୋରିରେ ଯାଞ୍ଚ ପାଇଁ ପଠାଯିବାକୁ ଯୋଜନା କରାଯାଉଛି। ରାଜ୍ୟ ବାହାରର ଲିଙ୍କ୍ ରହିଛି ନା ନାହିଁ, ସେ ନେଇ ଉଭୟ ମନୋଜ ଓ ଆଲୋକର ମୋବାଇଲ୍ ଫୋନ୍ର ସିଡିଆର୍(କଲ୍ ଡିଟେଲ୍ ରେକର୍ଡ) ୨୦୧୬ ପରଠାରୁ ଯାଞ୍ଚ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ମୋବାଇଲ୍ ପ୍ରୋଭାଇଡର୍ଙ୍କ ସହାୟତା ଲୋଡ଼ିଛି। ରାଜ୍ୟ ବାହାରର କେଉଁ ବ୍ୟକ୍ତିଙ୍କ ସହିତ ଏମାନଙ୍କ ଯୋଗାଯୋଗ ରହିଛି କି ନାହିଁ, ସେ ନେଇ ସିଡିଆର୍ ମାଧ୍ୟମରେ କ୍ରାଇମବ୍ରାଞ୍ଚ ଟିମ୍ ଜାଣିବାକୁ ଉଦ୍ୟମ ଚଳାଇଛି। ମାଷ୍ଟରମାଇଣ୍ଡ ମନୋଜ ଓ ସହକର୍ମୀ ଆଲୋକର ବ୍ୟାଙ୍କ୍ ଆକାଉଣ୍ଟଗୁଡ଼ିକ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ପରିସରଭୁକ୍ତ କରିଛି। ୨୦୧୬ ପରଠାରୁ ଆଲୋକ ଉକ୍ତ ଘରୋଇ କୋଚିଂ ସେଣ୍ଟର୍ରେ ଯୋଗଦେବା ପରଠାରୁ ଏହି କାରବାର ବଢ଼ିଥିବାରୁ ଉଭୟଙ୍କ ନାଁରେ ଥିବା ସମସ୍ତ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ବ୍ୟାଙ୍କ୍ କର୍ତ୍ତୃପକ୍ଷଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ମାଗିଛି। ସାର୍ଟିଫିକେଟ୍ ଓ ମାର୍କସିଟ୍ ପିଛା ଦେଢ଼ଲକ୍ଷରୁ ୫ ଲକ୍ଷ ଯାଏ ମନୋଜ ବିକ୍ରି କରିଥିବା ପ୍ରମାଣ ମିଳିଛି। ଗଲା ୭ବର୍ଷ ଭିତରେ ମନୋଜ କୋଟି କୋଟି ଟଙ୍କାର ଆର୍ଥିକ କାରବାର କରିଥିବା କ୍ରାଇମବ୍ରାଞ୍ଚ ଟିମ୍ ଆଶଙ୍କା କରୁଛି। ସାର୍ଟିଫିକେଟ୍ ପିଛା ସର୍ବନିମ୍ନ ଦେଢ଼ ଲକ୍ଷ ଟଙ୍କା ହେଲେ କ୍ରାଇମବ୍ରାଞ୍ଚ ନିଜ ହେପାଜତକୁ ଆଣିଥିବା ପ୍ରାୟ ୫ ହଜାର ସାର୍ଟିଫିକେଟର ମୂଲ୍ୟ ୭୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଉଛି।