ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁରୁଷୋତ୍ତମ ଏକ୍ସପ୍ରେସରେ ବୋମା ଆତଙ୍କ । ନୂଆଦିଲ୍ଲୀରୁ ପୁରୀ ଯାଉଥିବା ୧୨୮୦୧ ନମ୍ବର ଟ୍ରେନଟି ବୋମା ଆତଙ୍କ କାରଣରୁ ମିର୍ଜାପୁର ଷ୍ଟେସନଠାରେ ଅଟକି ରହିଥିଲା । ଖବର ପ୍ରଚାରିତ ହେବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । ସ୍ଥିତିକୁ କାବୁ କରିବା ପାଇଁ ରେଳବାଇ କର୍ତ୍ତୃପକ୍ଷ ତୁରନ୍ତ ଉଦ୍ୟମ ଆରମ୍ଭ କରିଥିଲେ ।
ବୋମାନିଷ୍କ୍ରୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ଉତ୍ତର କେନ୍ଦ୍ରୀୟ ରେଳବାଇ ପକ୍ଷରୁ ଯାଞ୍ଚ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା । ଚୁନାର ଷ୍ଟେସନରେ ବିସ୍ତୃତ ଯାଞ୍ଚ ପରେ ଟ୍ରେନରେ କୌଣସି ବୋମା ନ ଥିବା ସ୍ପଷ୍ଟ ହୋଇଥିଲା । ଟ୍ରେନଟି ୪ ଘଣ୍ଟାରୁ ଅଧିକ ସମୟ ଅଟକି ରହିବା ପରେ ରାତି ପ୍ରାୟ ୧୦ଟା ୧୦ରେ ଗନ୍ତବ୍ୟସ୍ଥଳକୁ ଯାତ୍ରା କରିଛି ।