୩ ପିଲାଙ୍କ ଉପରେ ଚଢ଼ିଗଲା ବ୍ରିଜଭୂଷଣଙ୍କ ପୁଅଙ୍କ କାର୍‌କେଡ୍

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଉତ୍ତରପ୍ରଦେଶ କୈସରଗଞ୍ଜ ଲୋକସଭା କ୍ଷେତ୍ରରେ ଅଭାବନୀୟ ଘଟଣା ଘଟିଛି। ଉତ୍ତରପ୍ରଦେଶ କୈସରଗଞ୍ଜରୁ ବିଜେପି ସାଂସଦ ପ୍ରାର୍ଥୀ ହୋଇଥିବା ବ୍ରିଜଭୂଷଣଙ୍କ ସାନପୁଅ କରଣ ଭୂଷଣଙ୍କ କାରକେଡ୍ ଆଜି ୩ ଜଣ ପିଲାଙ୍କୁ ଧକ୍କା ଦେଇଛି । ଏଥିରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସେପଟେ ଦୁର୍ଘଟଣା ପରେ କରଣଙ୍କ ସମେତ ତାଙ୍କ କାରକେଡ ସାମିଲ ସବୁ ଲୋକ ଫେରାର୍ ହୋଇଯାଇଥିବାବେଳେ ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ତେବେ ସୂଚନା ମୁତାବକ, କୈସରଗଞ୍ଜ ଆସନରୁ ବିଜେପିର ପ୍ରାର୍ଥୀ ଥିବା କରଣ ଭୂଷଣ ସିଂହ ହେଉଛନ୍ତି ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ପୁଅ। ସେ ଗୋଣ୍ଡା ଜିଲ୍ଲାରେ ନିର୍ବାଚନୀ ପ୍ରଚାର କରୁଥିଲେ। ଏହି ସମୟରେ ତାଙ୍କ କାରକେଡ୍‌ରେ ସାମିଲ ଥିବା ଫର୍ଚୁନର୍‌ କାର୍ ୩ ଜଣ କଲେଜ ଛାତ୍ରଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଲରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରଣ ଭୂଷଣ ସିଂହଙ୍କ କାରକେଡ୍ ବୈକୁଣ୍ଠ ଡିଗ୍ରୀ କଲେଜ୍ ଦେଇ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

କରଣଙ୍କ କାରକେଡ୍ ଯିବା ସମୟରେ କଲେଜର ତିନି ଜଣ ପିଲା ରାସ୍ତା ପାର୍ ହେଉଥିଲେ। ଏତିକି ବେଳେ କାରକେଡ ଭିତରେ ଥିବା ଏକ ଫର୍ଚ୍ୟୁନର କାର୍ ତାଙ୍କ ଉପରେ ମାଡିଯାଇଥିଲା। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦୁର୍ଘଟଣା ଘଟିବା ପରେ କରଣ ଭୂଷଣ ସିଂହ ଅଟକି ନଥିଲେ। ଏପରିକି କି ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ମଧ୍ୟ ପଚାରି ବୁଝିନଥିଲେ। ଦୁର୍ଘଟଣା ଘଟାଇଥିବା ଫର୍ଚୁନ ଗାଡି ମଧ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ସ୍ଥାନୀୟ ଉତ୍ୟକ୍ତ ଲୋକେ ଗାଡିକୁ ନିଜ କବ୍‌ଜା ନେବା ସହ ହୋହଲ୍ଲା କରୁଛନ୍ତି । ସେପଟେ ଏହି ଘଟଣା ପରେ କରଣଙ୍କ କାରକେଡରେ ସାମିଲ ସବୁ ଲୋକେ ଫେରାର୍ ହୋଇଯାଇଛନ୍ତି ।

Leave A Reply

Your email address will not be published.