ରାଜ୍ୟରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ନିର୍ବାଚନକୁ ନେଇ ସବୁ ବ୍ୟସ୍ତ ଥିବାବେଳେ ନିଶା କାରବାରୀଙ୍କୁ ଅପରାଧିକ କାର୍ଯ୍ୟକଳାପ ପାଇଁ ସୁଯୋଗ ମିଳିଯାଇଛି। ଏହାରି ଭିତରେ ଆଜି ପୁରୀ ଚନ୍ଦନପୁରରୁ ବ୍ରାଉନ ସୁଗାର ଜବତ କରିଛି ପୁଲିସ। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ବ୍ରାଉନ୍ ସୁଗାର କାରବାର ସହିତ ସଂପୃକ୍ତ ଜଣେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଭୀମସେନ ପ୍ରଧାନ ବୋଲି ଜଣାପଡିଛି। ସୂଚନାନୁସାରେ, ପୁରୀ ସଦର ଏସଡ଼ିପିଓ କିଶୋର ଚନ୍ଦ୍ରଙ୍କ ସମେତ ତାଙ୍କର ଏକ ଟିମ ଚଢଉ କରି ପୁରୀକୁ ବ୍ରାଉନ ସୁଗାର ଯୋଗାଣ କରୁଥିବା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଆଳିପୁଟ ଗାଁର ଭୀମସେନ ପ୍ରଧାନକୁ ପୁଲିସ ଗିରଫ କରିଛି। ଭୀମସେନ ନିକଟରୁ ୧୧୦ ଗ୍ରାମର ବ୍ରାଉନ ସୁଗାର ଓ ନଗଦ ୫୧୫୦ ଟଙ୍କା, ଗୋଟିଏ ମୋବାଇଲ ଫୋନ ଓ ଏକ ବାଇକ୍ ଜବତ କରାଯାଇଛି । ଏ ସଂକ୍ରାନ୍ତ ରେ ଚନ୍ଦନପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି।
ପୁରୀ ଜିଲ୍ଲାରେ ବ୍ରାଉନସୁଗର କାରବାରକୁ ମୂଳପୋଛ କରିବା ପାଇଁ ପୁରୀ ଏସ୍ପି କେଭି ସିଂହଙ୍କ ନିର୍ଦେଶରେ ପୁରୀ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଏକ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ଓ ନିକଟ ଅତୀତରେ ପୁରୀ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ପ୍ରାୟ ଏକ କୋଟି ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।