ଭୁବନେଶ୍ବର( ଓଡ଼ିଆ ନ୍ୟୁଜ୍): ବ୍ରାଉନସୁଗାର ହବ ପାଲଟିଲାଣି ବୁବନେଶ୍ଵର। ଜବତ ହେଲା କୋଟିଏ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଏହି କାରବାର ପାଇଁ ବେପାରୀମାନେ ବିଭିନ୍ନ ସମୟରେ ବିଭିନ୍ନ ଫଣ୍ଡା ଆପଣେଇଥିବା ବେଳେ ଏଥର କିନ୍ତୁ ପୁଲିସ ବେଶକୁ ଆପଣେଇଥିଲେ ବେପାରୀ। ଜଣେ ପୁଲିସ ଓ ଅନ୍ୟଜଣେ ଏମ୍ସ ଡାକ୍ତର ବୁଲେଟରେ ଲୋଗୋ ଲଗାଇ ବ୍ରାଉନସୁଗାର କାରବାର ଚଳାଇଥିବାର ସୂଚନା ପାଇ ଏସଟିଏଫ୍ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ କୋଟିଏ ୨୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି।
ଉଭୟଙ୍କଠାରୁ ୧ କେଜି ୨୩୮ ଗ୍ରାମ ବ୍ରାଉନସୁଗାର ସହ ନଗଦ ୧୭ ହଜାର ଟଙ୍କା ଓ ଫେକ ଆଇଡି କାର୍ଡ ଜବତ କରାଯାଇଛି। ଉଭୟେ ବରମୁଣ୍ଡା ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ବେଳେ ଗିରଫ ହୋଇଥିବା ନେଇ ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ କପିଲ ଦେବ ମୁଜୁମଦାର ଓ ରଶ୍ମିରଞ୍ଜନ ଭୋଳ। ଦୁହେଁ ପୁଲିସ ଆଖିରେ ଧୂଳିଦେବା ପାଇଁ ନକଲି ପୁଲିସ ଆଇଡି କାର୍ଡ ଓ ଡାକ୍ତର ଆଇଡି କାର୍ଡ ଧରି ଭୁବନେଶ୍ୱରରେ ବୁଲୁଥିଲେ।