ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ। ଏସସି-ଏସଟି ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ଏହି ବନ୍ଦ ପାଳନ କରୁଛନ୍ତି ବିଭିନ୍ନ ଦଳିତ ସଂଗଠନ। ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ବନ୍ଦ ପ୍ରଭାବ। ସଂରକ୍ଷିତ ଜାତି ଏବଂ ଜନଜାତି ଆରକ୍ଷଣରେ କ୍ରିମି ଲେୟର ଲାଗୁ କରିବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି ଆରକ୍ଷଣ ବଞ୍ଚାଅ ସଂଘର୍ଷ ସମିତି ।
ଏହାକୁ ନେଇ ଦଳିତ ଓ ଆଦିବାସୀ ସଂଗଠନ ଭାରତ ବନ୍ଦ ପାଳନ କରୁଛି । ଯାହାର ପ୍ରଭାବ ପୂରା ଦେଶରେ ନଥିଲେ ମଧ୍ୟ ଏଥିରେ କିଛି ସ୍ଥାନର ଯାତାୟତ ବାଧାପ୍ରାପ୍ତ ହୋଇଛି । ସମ୍ବଲପୁର କ୍ଷେତରାଜପୁର ଷ୍ଟେସନରେ ଆନ୍ଦୋଳନକାରୀମାନେ ଦୁଇଟି ଟ୍ରେନକୁ ଅଟକାଇଛନ୍ତି। ସମ୍ବଲପୁର-ପୁରୀ ଓ ସମ୍ବଲପୁର-ରାୟଗଡ଼ା ଇଣ୍ଟରସିଟି ଏକ୍ସପ୍ରେସକୁ ଅଟକାଇଛନ୍ତି ଆନ୍ଦୋଳନକାର। ସେପଟେ ବଲାଙ୍ଗିର ସହରରେ ଅନୁସୂଚିତ ଜାତି ଓ ଜନଜାତି ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପିକେଟିଂ କରାଯାଇଛି।
ଜିଲ୍ଲା ମୁଖ୍ୟ ଡାକଘର ସମ୍ମୁଖରେ ସ୍ଲୋଗାନ୍ ଦେଇ ପ୍ରତିବାଦ ଆରମ୍ଭ କରିଛନ୍ତି ଆନ୍ଦୋଳନକାରୀ। ସେହିପରି ବଲାଙ୍ଗୀର, କୋରାପୁଟ, ସୁବର୍ଣ୍ଣପୁର, ଯାଜପୁର ଓ ଅନୁଗୋଳରୁ ବିଭିନ୍ନ ଦଳିତ ସଂଗଠନ ଏହି ବନ୍ଦରେ ସାମିଲ ହୋଇଛନ୍ତି । ଭିମ୍ ଆର୍ମି, ନାସନାଲ କନଫେଡେରେସନ୍ ଅଫ୍ ଦଳିତ ଅର୍ଗନାଇଜେସନ୍, ଓଡ଼ିଶା ଆଦିବାସୀ କଲ୍ୟାଣ ମହାସଂଘ, ଆଦିବାସୀ ଏକତା ପରିଷଦ ଓ ବିଭିନ୍ନ ଦଳି ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।