ବର୍ଷା ପାଇଁ ରାଜଧାନୀ ଭୁବନେଶ୍ୱରର ହାଲ ବେହାଲ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) :  ଆଜି ରାଜଧାନରେ ପ୍ରବଳ ବର୍ଷା ହୋଇଛି। କାଳବୈଶାଖୀ ପ୍ରଭାବରେ ଆଜି ଅପରାହ୍ନରେ ରାଜଧାନୀ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ବର୍ଷା କଚିଲା ପରେ ରାଜଧାନୀ ହାଲ ବେହାଲ ହୋଇଯାଇଥିଲା। ରାଜପଥ ପାର୍ଶ୍ୱ ଇସ୍କନ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ବର୍ଷା ପାଣିରେ ମନ୍ଦିର ସମ୍ମୁଖରେ ଛିଡ଼ା ହୋଇଥିବା ବାଇକ୍‌ ଭାସି ଯାଇଥିବା ବେଳେ କାର୍‌ ଓ ଅଟୋ ଗୁଡ଼ିକ ବୁଡ଼ି ଯାଇଥିଲା। ଯାହାଫଳରେ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିଲା।

ପ୍ରାୟ ଅଧ ଘଣ୍ଟାଏରୁ ଅଧିକ ସମୟ ଧରି ରାଜଧାନୀରେ ଛେଚି ଥିଲା ବର୍ଷା। ଯାହାଫଳରେ ଇସ୍କୁନ୍ ସମ୍ମୁଖ, ଜୟଦେବ ବିହାର, ଆଚାର୍ଯ୍ୟବିହାର, ରସୁଲଗଡ଼ ପ୍ରମୁଖ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମି ରହିଥିଲା। ବିଶେଷ କରି ଇସ୍କନ୍‌କୁ ଚନ୍ଦନ ଯାତ୍ରା ଦେଖିବାକୁ ଆସିଥିବା ଭକ୍ତ ହଟହଟା ହୋଇଛନ୍ତି। ବର୍ଷା ପାଣିରେ ଇସ୍କନ ସମ୍ମୁଖରେ ଛିଡ଼ା ହୋଇଥିବା ବାଇକ ଗୁଡ଼ିକ ଭାସି ଯାଇଥିଲା। ପାଣିରେ ଫସିଥିବା ଅଟୋକୁ ଲୋକେ ଠେଲି ବାହାର କରୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରାଜ୍ୟକୁ ଘାରିଛି ବାତ୍ୟା ଭୟ।ସେପଟେ ଘଡ଼ଘଡ଼ି ସହ ବର୍ଷା ନେଇ ଆଜି ୧୮ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ଅନୁଗୋଳ, ସମ୍ବଲପୁର, ବୌଦ୍ଧ, ସୋନପୁର, ବଲାଙ୍ଗିର, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

Leave A Reply

Your email address will not be published.